fbpx

[VIDEO] କଟକରେ ମାତିଛନ୍ତି ୨ ଗୋଷ୍ଠୀ; ଖଣ୍ଡା ଓ ବନ୍ଧୁକ ଧରି ଅଶ୍ଲୀଳ ଭାଷାରେ କରୁଛନ୍ତି ଭିଡିଓ, ଉଠାଇନେଲା ପୋଲିସ

କଟକ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର କେବିଏନ୍ ଗ୍ରୁପ ପରେ କଟକରେ ମାତିଛନ୍ତି ଆଉ ୨ ଗୋଷ୍ଠୀର ଯୁବକ ଯୁବତୀ । ହାତରେ ଖଣ୍ଡା ଓ ବନ୍ଧୁକ ଦେଖାଇ ପରସ୍ପରକୁ ଟାର୍ଗେଟ କରୁଥିବା ସହ ଅଶ୍ଲୀଳ ଗାଳି ଦେଇ ଭିଡିଓ କରୁଛନ୍ତି । ଏହି ୨ ଗୋଷ୍ଠୀର ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ଘଟଣାରେ ଜଣେ ଯୁବତୀଙ୍କ ସହ ୩ ଯୁବକଙ୍କୁ ଅଟକର ରଖି ପଚରାଉଚୁରା କରୁଛି ମାଲଗୋଦାମ ଥାନା ପୋଲିସ । ଭିଡିଓରେ ବ୍ୟବହୃତ ଖଣ୍ଡା ଏବଂ ଖେଳନା ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, କଟକରେ ‘ଅମାନିଆ ବାଘ’ ଓ ‘ପବ୍ଲିକ ଷଣ୍ଢ’ ଦୁଇଟି ଗ୍ରୁପ କରି ଯୁବକ, ଯୁବତୀମାନେ ଭିଡିଓ ସୁଟ୍ କରିଛନ୍ତି । ଭିଡିଓରେ ଜଣେ ଯୁବକ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ତାଳଦଣ୍ଡା କେନାଲ ଅଞ୍ଚଳରେ ଏହି ଭିଡିଓ ସୁଟ୍ ହୋଇଥିବା ଜଣାପଡିଛି । ଘଟଣାରେ ଜବତ ହୋଇଥିବା ଖଣ୍ଡା କେଉଁଠୁ ଆସିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ ଭିଡିଓ ପ୍ରସ୍ତୁତ କରିଥିବା ଜଣେ ଯୁବତୀ କହିଛନ୍ତି ଯେ, ‘ଏହି ଭିଡିଓ କେବଳ ଲାଇକ, ସେୟାର ଓ ଫଲୋ ପ୍ରତିଯୋଗିତା ପାଇଁ କରିଥିଲୁ । ଅମାନିଆ ବାଘ ଓ ପବ୍ଲିକ୍ ଷଣ୍ଢ ନାମରେ ୨ଟି ଗ୍ରୁପ୍ ରହିଛି । ଅମାନିଆ ଷଣ୍ଢ ଆମ ପବ୍ଲିକ୍ ସହ ସହିତ ପ୍ରତିଯୋଗିତା କରୁଛି । ଖୁସିରେ ଭିଡିଓ କରୁ କରୁ ଥାନାରେ ଫସିଗଲୁ । ଭିଡିଓରେ ଜବତ ହୋଇଥିବା ବନ୍ଧୁକଟି ଖେଳନାର ଥିଲା । କିନ୍ତୁ ସେମାନେ ବ୍ୟବହାର କରିଥିବା ଖଣ୍ଡାଟି ଖେଳନା ନଥିଲା ।’

Get real time updates directly on you device, subscribe now.