fbpx

ଟିମ୍ ଇଣ୍ଡିଆରେ କରୋନା ବିସ୍ଫୋରଣ, କୃଣାଲ ପାଣ୍ଡ୍ୟାଙ୍କ ପରେ ଆଉ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ମୁସ୍କିଲ ଥମିବାର ନାଁ ନେଉନାହିଁ । ପ୍ରଥମେ କୃଣାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହେବା ପରେ ତରବରିଆ ଭାବେ ଅଧା ଦଳ ବଦଳାଇବାକୁ ପଡିଥିଲା । ଏହାର ପରିଣାମ ମଧ୍ୟ ଭାରତକୁ ଭୋଗିବାକୁ ପଡିଛି । ଗୁରୁବାର ଶୋଚନୀୟ ପରାଜୟ ସହ ଭାରତ ଟି-୨୦ ସିରିଜରେ ପରାଜିତ ହୋଇଛି । ଏହା ମଧ୍ୟରେ ପୁଣି ଖବର ଆସିଛି ଯେ, ଦଳର ଆଉ ଦୁଇ ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କୃଣାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିବା ଆଠ ଜଣ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଥିଲା । ହେଲେ ସେଥିରୁ ୟୁଜବେନ୍ଦ୍ର ଚହଲ ଓ କୃଷ୍ଣପା ଗୌତମଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ହାର୍ଦ୍ଦିକ ପାଣ୍ଡ୍ୟା, ପୃଥ୍ୱୀ ଶ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ଦୀପକ ଚହର ଓ ଇଶାନ କିଶନ ଶେଷ ଦୁଇ ଟି-୨୦ ମୁକାବିଲା ଖେଳିନଥିଲେ । ଏବେ ସ୍ପଷ୍ଟ ହୋଇ ଯାଇଛି ଯେ, ୟୁଜବେନ୍ଦ୍ର ଚହଲ ଓ କୃଷ୍ଣପା ଗୌତମ ଉପରୋକ୍ତ ଛଅ ଖେଳାଳିଙ୍କ ସହ ଶ୍ରୀଲଙ୍କାରେ ରହିବେ । ବାକି ଦଳ ଟି-୨୦ ସିରିଜ୍ ସମାପ୍ତ ପରେ ସ୍ୱଦେଶ ଫେରୁଛନ୍ତି ।

ସୂଚନାଯୋଗ୍ୟ, ୟୁଜବେନ୍ଦ୍ର ଚହଲ ଓ ଗୌତମଙ୍କ ସହ ଅନ୍ୟ ଛଅ ଖେଳାଳିଙ୍କ କରୋନା ରିପୋର୍ଟ ଗୁରୁବାର ନେଗେଟିଭ୍ ଆସିଥିଲା । ହେଲେ ୟୁଜବେନ୍ଦ୍ର ଚହଲ ଓ ଗୌତମ ଏବେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀଲଙ୍କା ସରକାରଙ୍କ ଗାଇଡଲାଇନ ଅନୁସାରେ, କରୋନା ସଂକ୍ରମିତ କୌଣସି ବି ବ୍ୟକ୍ତିଙ୍କୁ ଅତି କମରେ ୧୦ ଦିନ ପାଇଁ ଆଇସୋଲେସନରେ ରହିବା ଜରୁରୀ । ପୁଣି ନୂତନ ଭାବେ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ଦେଶ ଛାଡିବାକୁ ଅନୁମତି ମିଳିଥାଏ । ଏହି ସମସ୍ୟା ଏବେ ପୃଥ୍ୱୀ ଶ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅଡୁଆ ବଢାଇ ଦେଇଛି । କାରଣ ଏହି ଦୁଇ ଖେଳାଳି ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତ କରିବେ । ମାତ୍ର ଦଳର ସାଥୀ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶ ଓ ସୂର୍ଯ୍ୟକୁମାରଙ୍କ ଇଂଲଣ୍ଡ ଗସ୍ତରେ ବିଳମ୍ବ ଘଟିପାରେ ।

Get real time updates directly on you device, subscribe now.