ବୋଳି ହେଲେ ଚିତାର ଭସ୍ମ, ଖାଇଗଲେ ଅଧା ପୋଡ଼ା ମଣିଷ ମାଂସ, ଅଘୋରୀ କାଳୀଙ୍କ ଭୟାନକ ରୂପ ଦେଖି ସବୁ ଆଶ୍ଚର୍ଯ୍ୟ

ଶ୍ମଶାନରେ ଜଳୁଥିଲା ଶବ... ହଠାତ୍ ଆସିଲେ ଅଘୋରୀ, କ୍ୟାମେରାରେ ରେକର୍ଡ ହେଲା ଭୟାନକ କାଣ୍ଡ!

ମଧ୍ୟପ୍ରଦେଶ: ଶ୍ମଶାନରେ ଜଳୁଥିଲା ଚିତା, ହାତରେ ଖଣ୍ଡା ଧରି ପହଞ୍ଚିଲେ ଅଘୋରୀ କାଳୀ… ଆଉ ତା’ପରେ ଯେଉଁ କାଣ୍ଡ କଲେ ତାହା ଦେଖି ସବୁ ତାଜୁବ୍। ଦେହରେ ବୋଳିହେଲେ ଚିତାର ଭସ୍ମ ଆଉ ଖାଇଗଲେ ଅଧା ପୋଡ଼ା ମଣିଷ ମାଂସ। ହେଲେ ସବୁଠୁ ଆଶ୍ଚର୍ଯ୍ୟ କଲା ଏହି କଥା କି ସେ ଅଘୋରୀ ହେଲେ ବି ଜଣେ ମହିଳା।

ଏହି କଥାଟି ଶୁଣି ନିଶ୍ଚିତ ଆପଣ ଚକିତ ହୋଇଯାଇଥିବେ। କିନ୍ତୁ ଘଟଣାଟି ସତ। ଉଜ୍ଜୟିନର ଶ୍ମଶାନଘାଟରୁ ସାମ୍ନାକୁ ଆସିଛି ଏମିତି ଏକ ଘଟଣା, ଯାହା ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠିଛି।

ଜଳୁଥିବା ଚିତା… ଚାରିଆଡ଼େ ନିରବତା… ଆଉ ସେହି ଚିତା ପାଖରେ ଜଣେ ଅଘୋରୀଙ୍କ ଅମାନବୀୟ କାଣ୍ଡ। ଘଟଣାର ଭିଡିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ୍ ହେବା ପରେ ଏବେ ପୋଲିସ ଅଭିଯୁକ୍ତ କାଳୀ ଓରଫ ନନ୍ଦଗିରିଙ୍କୁ ଗିରଫ କରିଛି।

ଘଟଣାଟି ମଧ୍ୟପ୍ରଦେଶର ଉଜ୍ଜୟିନ ଅଞ୍ଚଳର ଚକ୍ରତୀର୍ଥ ଶ୍ମଶାନଘାଟର ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଚିତାରେ ଜଳୁଥିବା ମଣିଷ ଶବ ସହ ଅତ୍ୟନ୍ତ ଆପତ୍ତିଜନକ ଓ ଅମାନବୀୟ ଆଚରଣ କରାଯାଇଥିଲା। କେବଳ ସେତିକି ନୁହେଁ, ସମ୍ପୂର୍ଣ୍ଣ ଘଟଣାର ଭିଡିଓ ମଧ୍ୟ ରେକର୍ଡ କରାଯାଇ ଇନ୍‌ଷ୍ଟାଗ୍ରାମରେ ଅପଲୋଡ୍ କରାଯାଇଥିବା ଅଭିଯୋଗ ହୋଇଛି।

କିଏ ଏହି କାଳୀ ଓରଫ ନନ୍ଦଗିରି: ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ କାଳୀ ଓରଫ ନନ୍ଦଗିରି ସାଡୁମାତାଙ୍କ ବାଉଡ଼ି ଆଗରେ ଥିବା ଆଉଟର ରିଙ୍ଗ ରୋଡ୍ ଅଞ୍ଚଳର ବାସିନ୍ଦା। ଅଭିଯୋଗ ମିଳିବା ପରେ ଜୀବାଜୀଗଞ୍ଜ ଥାନା ପୁଲିସ ତୁରନ୍ତ ମାମଲା ରୁଜୁ କରି ତାଙ୍କୁ ଉଜ୍ଜୟିନରୁ ଗିରଫ କରିଛି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସନ୍ତ ସମାଜ ଓ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ ଅଭିଯୋଗ ହେଉଛି, ମୃତଦେହ ସହ ଏଭଳି ଆଚରଣ କେବଳ ମାନବୀୟ ମର୍ଯ୍ୟାଦାର ଅପମାନ ନୁହେଁ, ଏହା ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରିଛି।

ଭିଡିଓ ହିଁ ଖୋଲିଦେଲା ରହସ୍ୟ: ଫରିଆଦୀ ବିଷ୍ଣୁନାଥ ଜୀବାଜୀଗଞ୍ଜ ଥାନାରେ ଅଭିଯୋଗ କରିବା ସହ ଭାଇରାଲ୍ ଭିଡିଓ ମଧ୍ୟ ପୋଲିସକୁ ଦେଇଥିଲେ। ଥାନା ପ୍ରଭାରୀ ପ୍ରତୀକ ଶର୍ମାଙ୍କ କହିବା ଅନୁସାରେ, ଭିଡିଓରେ ଚିତା ସହ ଛେଡ଼ଛାଡ଼ କରାଯାଉଥିବା ଏବଂ ମଣିଷ ମାଂସ ଖାଇବା ଭଳି ଦୃଶ୍ୟ ଦେଖାଯାଉଛି।

ଅଭିଯୋଗ ଆଧାରରେ କାଳୀ ଓରଫ ନନ୍ଦଗିରିଙ୍କ ବିରୋଧରେ BNS ଧାରା ୩୦୧ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ପରେ ତାଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଉଛି। ଘଟଣାର ଅନ୍ୟାନ୍ୟ ପ୍ରସଙ୍ଗ ନେଇ ପୁଲିସର ତଦନ୍ତ ଜାରି ରହିଛି।

ଭିଡିଓରୁ ପୋଲିସ ହାତରେ ଅଭିଯୁକ୍ତ: ଯେଉଁ ଭିଡିଓ ଲୋକଙ୍କ ମଧ୍ୟରେ ଭୟ ଓ ଆଶ୍ଚର୍ଯ୍ୟ ସୃଷ୍ଟି କରିଥିଲା, ସେହି ଭିଡିଓ ହିଁ ଏବେ ପୋଲିସ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଆଧାର ପାଲଟିଛି। ଜଳୁଥିବା ଚିତା ନିକଟରେ ଏଭଳି ଆପତ୍ତିଜନକ କାଣ୍ଡ କାହିଁକି କରାଯାଇଥିଲା, ଏହା ପଛରେ ଆଉ କିଛି କାରଣ ରହିଛି କି ନାହିଁ ସେନେଇ ଏବେ ପୁଲିସ ଖୋଳତାଡ଼ ଜାରି ରଖିଛି।