ଅଗ୍ନିବୀରଙ୍କ ୨ ବର୍ଷର ସେବା ଅବଧି ବୃଦ୍ଧି, କେତେ ବଢ଼ିବ ଦରମା ଏବଂ ଅବସର ପରେ ମିଳିବ କେତେ ଟଙ୍କା?

ଅଗ୍ନିବୀରଙ୍କୁ ମିଳିବ ଅତିରିକ୍ତ ୨ ବର୍ଷ ସେବା କରିବାର ସୁଯୋଗ। ଚାରି ବର୍ଷ ପରେ ଅବସର ନେଲେ ମିଳିବ ପ୍ରାୟ ୧୧.୭୧ ଲକ୍ଷ ଟଙ୍କା।

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ଆସିଛି ବଡ଼ ଖବର। କେନ୍ଦ୍ର ସରକାର ଅଗ୍ନିବୀରଙ୍କ ସେବା ଅବଧିକୁ ଆଉ ଦୁଇ ବର୍ଷ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଚାରି ବର୍ଷର ପ୍ରାରମ୍ଭିକ ସେବା ପୂରଣ ପରେ ନିୟମିତ ସେନାରେ ସ୍ଥାୟୀ ନିଯୁକ୍ତି ନପାଇଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଏହି ଅତିରିକ୍ତ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ। ଫଳରେ ସେମାନଙ୍କ ମୋଟ ସେବା ଅବଧି ଛଅ ବର୍ଷ ହୋଇପାରିବ।

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣିଙ୍କ ସୂଚନା ଅନୁସାରେ, ଅଗ୍ନିବୀରଙ୍କୁ ଅତିରିକ୍ତ ଦୁଇ ବର୍ଷ ସେବା ସୁଯୋଗ ଦେବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।

ତେବେ ଏହି ଛଅ ବର୍ଷର ସେବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ଅଗ୍ନିବୀର ଚାହିଁଲେ ଚାରି ବର୍ଷର ସେବା ପରେ ମଧ୍ୟ ଅବସର ନେଇପାରିବେ। ଅତିରିକ୍ତ ଦୁଇ ବର୍ଷ ସେବା କରିବାକୁ ରାଜି ହେଲେ ହିଁ ଏହି ସୁଯୋଗ ମିଳିବ।

୪ ବର୍ଷ ପରେ ମିଳିବ କେତେ ଟଙ୍କା: ଅଗ୍ନିପଥ ଯୋଜନା ଅନୁସାରେ ଚାରି ବର୍ଷର ସେବା ପରେ ଅବସର ନେଉଥିବା ଅଗ୍ନିବୀରଙ୍କୁ ସେବାନିଧି ପାଣ୍ଠିର ଟଙ୍କା ଏକକାଳୀନ ଭାବେ ପ୍ରଦାନ କରାଯାଏ। ଏହି ପାଣ୍ଠିରେ ଅଗ୍ନିବୀରଙ୍କ ଦରମାରୁ ପ୍ରାୟ ୫.୨ ଲକ୍ଷ ଟଙ୍କା ଜମା ହୋଇଥାଏ। ସମାନ ପରିମାଣର ଟଙ୍କା ସରକାର ମଧ୍ୟ ଜମା କରନ୍ତି। ଏହା ସହିତ ଜମା ରାଶି ଉପରେ ସୁଧ ମଧ୍ୟ ମିଳିଥାଏ।

ଏହି ସବୁକୁ ମିଶାଇ ଚାରି ବର୍ଷ ପରେ ଅବସର ନେଉଥିବା ଅଗ୍ନିବୀରଙ୍କୁ ପ୍ରାୟ ୧୧.୭୧ ଲକ୍ଷ ଟଙ୍କାର ସେବାନିଧି ପ୍ୟାକେଜ୍ ମିଳିଥାଏ।

୬ ବର୍ଷରେ ମିଳିବ କେତେ ଟଙ୍କା: ନୂଆ ବ୍ୟବସ୍ଥା ଅନୁସାରେ ଯଦି କୌଣସି ଅଗ୍ନିବୀର ଅତିରିକ୍ତ ଦୁଇ ବର୍ଷ ସେବା କରନ୍ତି, ତେବେ ତାଙ୍କ ଦରମା ସହ ସେବାନିଧି ପାଣ୍ଠିରେ ଜମା ହେଉଥିବା ଟଙ୍କା ମଧ୍ୟ ବଢ଼ିବ।

ପ୍ରତିବର୍ଷ ଦରମାରେ ୧୦ ପ୍ରତିଶତ ବୃଦ୍ଧି ହେବାର ହିସାବ ଅନୁସାରେ ପଞ୍ଚମ ଓ ଷଷ୍ଠ ବର୍ଷରେ ଅଗ୍ନିବୀରଙ୍କ ଦରମା ବଢ଼ିବ।  ତେବେ କେଉଁ ବର୍ଷରେ କେତେ ଦରମା ମିଳିବ, ଆସନ୍ତୁ ଜାଣିବା।

ପ୍ରଥମ ବର୍ଷ: ମାସିକ ଦରମା ୩୦ ହଜାର ଟଙ୍କା। ଏଥିରୁ ୨୧ ହଜାର ଟଙ୍କା ହାତକୁ ମିଳିବ ଏବଂ ୯ ହଜାର ଟଙ୍କା ସେବାନିଧି ପାଣ୍ଠିରେ ଜମା ହେବ।

ଦ୍ୱିତୀୟ ବର୍ଷ: ମାସିକ ଦରମା ୩୩ ହଜାର ଟଙ୍କା। ଏଥିରୁ ୨୩ ହଜାର ୧୦୦ ଟଙ୍କା ହାତକୁ ମିଳିବ ଏବଂ ୯ ହଜାର ୯୦୦ ଟଙ୍କା ସେବାନିଧି ପାଣ୍ଠିରେ ଜମା ହେବ।

ତୃତୀୟ ବର୍ଷ: ମାସିକ ଦରମା ୩୬ ହଜାର ୫୦୦ ଟଙ୍କା। ଏଥିରୁ ୨୫ ହଜାର ୫୫୦ ଟଙ୍କା ହାତକୁ ମିଳିବ ଏବଂ ୧୦ ହଜାର ୯୫୦ ଟଙ୍କା ସେବାନିଧିରେ ଜମା ହେବ।

ଚତୁର୍ଥ ବର୍ଷ: ମାସିକ ଦରମା ୪୦ ହଜାର ଟଙ୍କା। ଏଥିରୁ ୨୮ ହଜାର ଟଙ୍କା ହାତକୁ ମିଳିବ ଏବଂ ୧୨ ହଜାର ଟଙ୍କା ସେବାନିଧି ପାଣ୍ଠିରେ ଜମା ହେବ।

ପଞ୍ଚମ ବର୍ଷ: ୧୦ ପ୍ରତିଶତ ବୃଦ୍ଧି ହିସାବରେ ମାସିକ ଦରମା ୪୪ ହଜାର ଟଙ୍କା ହୋଇପାରେ। ଏଥିରୁ ୩୦ ହଜାର ୮୦୦ ଟଙ୍କା ହାତକୁ ମିଳିବ ଏବଂ ୧୩ ହଜାର ୨୦୦ ଟଙ୍କା ସେବାନିଧି ପାଣ୍ଠିରେ ଜମା ହେବ।

ଷଷ୍ଠ ବର୍ଷ: ମାସିକ ଦରମା ୪୮ ହଜାର ୫୦୦ ଟଙ୍କା ହୋଇପାରେ। ଏଥିରୁ ୩୩ ହଜାର ୯୫୦ ଟଙ୍କା ହାତକୁ ମିଳିବ ଏବଂ ୧୪ ହଜାର ୫୫୦ ଟଙ୍କା ସେବାନିଧି ପାଣ୍ଠିରେ ଜମା ହେବ।

୬ ବର୍ଷରେ ସେବାନିଧିରେ ଜମା ହେବ କେତେ: ଚାରି ବର୍ଷର ସେବା ପରେ ଅଗ୍ନିବୀରଙ୍କୁ ପ୍ରାୟ ୧୧.୭୧ ଲକ୍ଷ ଟଙ୍କାର ସେବାନିଧି ପ୍ୟାକେଜ୍ ମିଳିଥାଏ। କିନ୍ତୁ ଯଦି ସେମାନେ ଆଉ ଦୁଇ ବର୍ଷ ସେବା କରନ୍ତି, ତେବେ ଏହି ପାଣ୍ଠିରେ ଅଧିକ ଟଙ୍କା ଜମା ହେବ।

ପଞ୍ଚମ ବର୍ଷରେ ଅଗ୍ନିବୀରଙ୍କ ଦରମାରୁ ବର୍ଷକୁ ୧ ଲକ୍ଷ ୫୮ ହଜାର ୪୦୦ ଟଙ୍କା ଏବଂ ଷଷ୍ଠ ବର୍ଷରେ ୧ ଲକ୍ଷ ୭୪ ହଜାର ୬୦୦ ଟଙ୍କା ସେବାନିଧି ପାଣ୍ଠିରେ ଜମା ହେବ। ଏହି ଦୁଇ ବର୍ଷରେ ଅଗ୍ନିବୀରଙ୍କ ଦରମାରୁ ମୋଟ ୩ ଲକ୍ଷ ୩୩ ହଜାର ଟଙ୍କା ଜମା ହେବ।

ଏହା ସହିତ ସରକାର ମଧ୍ୟ ସମାନ ପରିମାଣର ଟଙ୍କା ଜମା କରିବେ। ଫଳରେ ଦୁଇ ବର୍ଷରେ ସେବାନିଧି ପାଣ୍ଠିରେ ଅତିରିକ୍ତ ୬ ଲକ୍ଷ ୬୬ ହଜାର ଟଙ୍କା ଜମା ହେବ।

ସୁଧକୁ ମିଶାଇ ଏହି ଅତିରିକ୍ତ ରାଶି ପ୍ରାୟ ୮ ଲକ୍ଷ ଟଙ୍କା ହୋଇପାରେ। ଏହି ହିସାବରେ ଛଅ ବର୍ଷ ପରେ ଅବସର ନେଉଥିବା ଅଗ୍ନିବୀରଙ୍କୁ ୧୯ ଲକ୍ଷ ଟଙ୍କାରୁ ଅଧିକ ସେବାନିଧି ପ୍ୟାକେଜ୍ ମିଳିପାରେ।

ସ୍ଥାୟୀ ନିଯୁକ୍ତି ସୁଯୋଗ: ଅଗ୍ନିପଥ ଯୋଜନାର ପୁରୁଣା ନିୟମ ଅନୁସାରେ, ଚାରି ବର୍ଷର ସେବା ପରେ ସର୍ବାଧିକ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା, ଯୋଗ୍ୟତା ଓ ସେନାର ଆବଶ୍ୟକତା ଅନୁସାରେ ନିୟମିତ ସେନାରେ ସାମିଲ କରାଯାଇପାରିବ।

ନୂଆ ବ୍ୟବସ୍ଥାରେ ଅତିରିକ୍ତ ଦୁଇ ବର୍ଷ ସେବା କରୁଥିବା ଅଗ୍ନିବୀରଙ୍କୁ ମଧ୍ୟ ନିୟମିତ ସେନାରେ ନିଯୁକ୍ତି ପାଇବାର ସୁଯୋଗ ମିଳିପାରେ। ଏଥିପାଇଁ ସେମାନଙ୍କୁ ନିର୍ଦ୍ଧାରିତ ଚୟନ ପ୍ରକ୍ରିୟା ଓ ଯୋଗ୍ୟତା ପୂରଣ କରିବାକୁ ପଡ଼ିବ।

କେବେ ଆରମ୍ଭ ହୋଇଥିଲା ଯୋଜନା: ୨୦୨୨ ମସିହା ଜୁନ୍ ୧୪ ତାରିଖରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ସାଢ଼େ ୧୭ରୁ ୨୧ ବର୍ଷ ବୟସର ଯୁବକଯୁବତୀଙ୍କୁ ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତି ଦିଆଯାଏ।

ନିଯୁକ୍ତି ପରେ ଅଗ୍ନିବୀରଙ୍କ କାର୍ଯ୍ୟଦକ୍ଷତାର ନିୟମିତ ମୂଲ୍ୟାଙ୍କନ କରାଯାଏ। ଚାରି ବର୍ଷର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତାକୁ ଆଧାର କରି ଏହି ପରିବର୍ତ୍ତନ ଅଣାଯାଇଥିବା କୁହାଯାଇଛି।