୩୬ ହଜାର ଫୁଟ ଉପରେ କମିଲା ଅଏଲ୍; ଗୋଟିଏ ଇଞ୍ଜିନରେ ଫେରିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ
ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଂ ୭୩୭ ବିମାନଟି କୋଚିରୁ ଆବୁଧାବି ଅଭିମୁଖେ ଯାତ୍ରା କରୁଥିଲା। ଆକାଶରେ ଉଡ଼ିବାର ପ୍ରାୟ ୫୦ ମିନିଟ୍ ପରେ ପ୍ରାୟ ୩୬ ହଜାର ଫୁଟ୍ ଉଚ୍ଚତାରେ ଥିବା ବେଳେ ପାଇଲଟ୍ ଓ କୋ-ପାଇଲଟ୍ ଇଞ୍ଜିନ-୧ର ଅଏଲ୍ ଲେଭଲ୍ ଦ୍ରୁତ ହ୍ରାସ ପାଉଥିବା ଦେଖିଥିଲେ
କୋଚି: ନୀଳ ଆକାଶରେ ଉଡ଼ୁଥିଲା ବିମାନ। ଗନ୍ତବ୍ୟ ଥିଲା ଆବୁଧାବି। କିନ୍ତୁ ହଠାତ୍ କକ୍ପିଟ୍ରେ ଦେଖାଦେଲା ଚିନ୍ତାର କାରଣ। ଇଞ୍ଜିନ-୧ରେ ଦ୍ରୁତ ଗତିରେ କମିବାକୁ ଲାଗିଲା ଅଏଲ୍। ପରିସ୍ଥିତି ଗମ୍ଭୀର ହେବାରୁ ଗନ୍ତବ୍ୟ ପଥ ବଦଳାଇଲେ ପାଇଲଟ। ବିପଦ ଦେଖି ମଝି ଆକାଶରୁ ବିମାନକୁ ଫେରିବାକୁ ପଡ଼ିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସର ଫ୍ଲାଇଟ୍ IX 415ରେ ଏପରି ଘଟିଛି।
ପୂରା ଘଟଣା ଏମିତି। ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଂ ୭୩୭ ବିମାନଟି କୋଚିରୁ ଆବୁଧାବି ଅଭିମୁଖେ ଯାତ୍ରା କରୁଥିଲା। ଆକାଶରେ ଉଡ଼ିବାର ପ୍ରାୟ ୫୦ ମିନିଟ୍ ପରେ ପ୍ରାୟ ୩୬ ହଜାର ଫୁଟ୍ ଉଚ୍ଚତାରେ ଥିବା ବେଳେ ପାଇଲଟ୍ ଓ କୋ-ପାଇଲଟ୍ ଇଞ୍ଜିନ-୧ର ଅଏଲ୍ ଲେଭଲ୍ ଦ୍ରୁତ ହ୍ରାସ ପାଉଥିବା ଦେଖିଥିଲେ। ଦେଖୁଦେଖୁ ଅଏଲ୍ ଲେଭଲ୍ ଲଗାତାର କମୁଥିବାରୁ ଆବୁଧାବି ଯିବା ପରିବର୍ତ୍ତେ କୋଚିକୁ ଫେରିବା ନିଷ୍ପତ୍ତି ନିଆଗଲା।
ଲାଲ ଜୋନରେ ପହଞ୍ଚିଲା ଇଞ୍ଜିନ ଅଏଲ୍ ପ୍ରେସର: ଫେରିବା ସମୟରେ ପାଇଲଟ୍ମାନେ ଇଞ୍ଜିନର ସମସ୍ତ ପାରାମିଟର ଉପରେ ନଜର ରଖିଥିଲେ। ପ୍ରାୟ ୪୫ ମିନିଟ୍ ପରେ ଇଞ୍ଜିନ-୧ର ଅଏଲ୍ ପ୍ରେସରରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଲା। କକ୍ପିଟ୍ ଗେଜ୍ରେ ଅଏଲ୍ ପ୍ରେସର ଡେଞ୍ଜର ରେଞ୍ଜ୍ ବା ରେଡ୍ ଜୋନ୍କୁ ଚାଲି ଆସିଥିଲା। ଏହାପରେ ନନ୍-ନର୍ମାଲ୍ ଚେକଲିଷ୍ଟ୍ର ନିୟମ ଅନୁସରଣ କରି ଇଞ୍ଜିନ-୧କୁ ବନ୍ଦ କରିଦେଇଥିଲେ। ଏହା ସହିତ ବିମାନଟି ଗୋଟିଏ ଇଞ୍ଜିନରେ କୋଚି ଦିଗକୁ ଫେରିଥିଲା।
ଗୋଟିଏ ଇଞ୍ଜିନରେ ସୁରକ୍ଷିତ ଅବତରଣ: ଅଧିକ ଓଜନ ଥିବା ବୋଇଂ ୭୩୭କୁ ଗୋଟିଏ ଇଞ୍ଜିନରେ ଲ୍ୟାଣ୍ଡିଂ କରାଇବା ପାଇଲଟ୍ଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ତଥାପି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖି କୋଚି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲା। ବିମାନରେ ଥିବା ଯାତ୍ରୀମାନେ କକ୍ପିଟ୍ ଭିତରେ ଘଟୁଥିବା ଘଟଣାର ଗମ୍ଭୀରତା ସମ୍ପର୍କରେ ଅବଗତ ନଥିଲେ। ସୁରକ୍ଷିତ ଲ୍ୟାଣ୍ଡିଂ ପରେ ଏକ ବଡ଼ ବିପଦ ଟଳିଥିବା ଜଣାପଡ଼ିଥିଲା।

