ବାୟୁସେନାର ନୂଆ ମୁଖ୍ୟ ହେବେ ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ

ଏହି ଅଭିଜ୍ଞ ଯୁଦ୍ଧ ବିମାନ ପାଇଲଟ୍‌ ‘ଅପରେସନ ସାଫେଦ ସାଗର’, ‘ଅପରେସନ ରକ୍ଷକ’, ‘କୋପ୍‌ ଇଣ୍ଡିଆ’ ଓ ‘ଅପରେସନ ସିନ୍ଦୂର’ ସମେତ ଅନେକ ବଡ଼ ସାମରିକ ଅଭିଯାନ ଓ ଯୁଦ୍ଧ ଅଭ୍ୟାସରେ ଭାଗ ନେଇଛନ୍ତି।

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF)ର ନୂଆ ମୁଖ୍ୟ ଭାବେ ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଅମର ପ୍ରୀତ ସିଂହଙ୍କ ସ୍ଥାନ ନେବେ। ଅକ୍ଟୋବର ୩୧, ୨୦୨୬ରେ ସେ ନୂଆ ଦାୟିତ୍ୱ ଗ୍ରହଣ କରିବେ।

ବର୍ତ୍ତମାନ ଏୟାର ମାର୍ଶାଲ ଦୀକ୍ଷିତ ବାୟୁସେନାର ଭାଇସ୍‌ ଚିଫ୍‌ ଭାବେ କାର୍ଯ୍ୟ କରୁଛନ୍ତି। ସେ ଜଣେ ଅଭିଜ୍ଞ ଯୁଦ୍ଧ ବିମାନ ପାଇଲଟ୍‌। ତାଙ୍କର ୩,୫୦୦ ଘଣ୍ଟାରୁ ଅଧିକ ବିମାନ ଉଡ଼ାଣ ଅଭିଜ୍ଞତା ରହିଛି। ୧୯୮୬ ଡିସେମ୍ବର ୬ରେ ସେ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମ୍‌ରେ ଯୋଗ ଦେଇଥିଲେ।

ନ୍ୟାସନାଲ ଡିଫେନ୍ସ ଏକାଡେମୀ, ବାଂଲାଦେଶର ଡିଫେନ୍ସ ସର୍ଭିସେସ୍‌ ଷ୍ଟାଫ୍‌ କଲେଜ ଓ ନ୍ୟାସନାଲ ଡିଫେନ୍ସ କଲେଜରେ ସେ ଶିକ୍ଷା ଗ୍ରହଣ କରିଛନ୍ତି। ପ୍ରାୟ ୪ ଦଶନ୍ଧିର କାର୍ଯ୍ୟଜୀବନରେ ସେ ବାୟୁସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି।

ସେ ସେଣ୍ଟ୍ରାଲ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍‌, ଡେପୁଟି ଚିଫ୍‌ ଅଫ୍‌ ଦ ଏୟାର ଷ୍ଟାଫ୍‌ ଏବଂ ଚିଫ୍‌ସ ଅଫ୍‌ ଷ୍ଟାଫ୍‌ କମିଟିର ଚେୟାରମ୍ୟାନଙ୍କ ଅଧୀନରେ ଚିଫ୍‌ ଅଫ୍‌ ଇଣ୍ଟିଗ୍ରେଟେଡ୍‌ ଡିଫେନ୍ସ ଷ୍ଟାଫ୍‌ ଭାବେ ଦାୟିତ୍ୱ ତୁଲାଇଛନ୍ତି। ୨୦୨୬ ଜୁଲାଇ ୧ରେ ସେ ବାୟୁସେନାର ଭାଇସ୍‌ ଚିଫ୍‌ ଦାୟିତ୍ୱ ନେଇଥିଲେ।

ଏୟାର ମାର୍ଶାଲ ଦୀକ୍ଷିତ ‘ଅପରେସନ ସାଫେଦ ସାଗର’, ‘ଅପରେସନ ରକ୍ଷକ’, ‘କୋପ୍‌ ଇଣ୍ଡିଆ’ ଓ ‘ଅପରେସନ ସିନ୍ଦୂର’ ଭଳି ବଡ଼ ସାମରିକ ଅଭିଯାନ ଓ ଯୁଦ୍ଧ ଅଭ୍ୟାସରେ ଭାଗ ନେଇଛନ୍ତି।

ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ, ବାୟୁସେନା ପଦକ ଓ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରାଯାଇଛି।

ବାୟୁସେନାର ଆଧୁନିକୀକରଣ, ଯୁଦ୍ଧ ପ୍ରସ୍ତୁତି ଓ ଯୁଦ୍ଧ କ୍ଷମତାକୁ ଆହୁରି ମଜବୁତ କରିବା ଉପରେ ଜୋର ଦିଆଯାଉଥିବା ସମୟରେ ଏୟାର ମାର୍ଶାଲ ଦୀକ୍ଷିତଙ୍କ ନିଯୁକ୍ତି ହୋଇଛି।