ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ହେଲେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଟ୍ରଷ୍ଟ ସିଇଓ

ଜିତେନ୍ଦ୍ର ମିଶ୍ର ଭାରତୀୟ ବାୟୁସେନାର ପଶ୍ଚିମ କମାଣ୍ଡର ମୁଖ୍ୟ ଥିଲେ। ତାଙ୍କର ୩ ହଜାର ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଣର ଅଭିଜ୍ଞତା ରହିଛି

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ମିଳିଛି ପ୍ରଥମ ସିଇଓ। ଆଜି ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଜିତେନ୍ଦ୍ର ମିଶ୍ର ଚଳିତ ବର୍ଷ ୩୯ ବର୍ଷର ସେବା ପରେ ଏପ୍ରିଲ ୩୦ ତାରିଖରେ ଚାକିରିରୁ ଅବସର ନେଇଥିଲେ।

ଜିତେନ୍ଦ୍ର ମିଶ୍ର ଭାରତୀୟ ବାୟୁସେନାର ପଶ୍ଚିମ କମାଣ୍ଡର ମୁଖ୍ୟ ଥିଲେ। ତାଙ୍କର ୩ ହଜାର ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଣର ଅଭିଜ୍ଞତା ରହିଛି। ସେ ‘ଅପରେସନ ସିନ୍ଦୂର’ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସୂଚନା ଅନୁସାରେ, ‘ଟାଇଗର ହିଲ୍’ ଓ ‘ସଫେଦ ସାଗର’ ଅପରେସନ ସମୟରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।

ଜିତେନ୍ଦ୍ର ମିଶ୍ରଙ୍କ ଫ୍ଲାଇଂ ଓ ଅପରେସନାଲ ଦକ୍ଷତା ବିଷୟରେ କହିଲେ, ବାୟୁସେନାରେ ସେବା ସମୟରେ ସେ ୧୮ରୁ ଅଧିକ ପ୍ରକାରର ଫାଇଟର ଜେଟ୍, ପରିବହନ ବିମାନ ଏବଂ ହେଲିକପ୍ଟର ଉଡ଼ାଇଛନ୍ତି।

ଆଇଏଏଫ୍‌ରେ କେଉଁ କେଉଁ ପଦବୀରେ ସେବା ଦେଇଛନ୍ତି: ଫାଇଟର ସ୍କ୍ୱାଡ୍ରନ (ଗସଏ-୨୧)ର କମାଣ୍ଡିଂ ଅଫିସର ଥିଲେ। ଏୟାରକ୍ରାଫ୍ଟ ଆଣ୍ଡ ସିଷ୍ଟମ୍ସ ଟେଷ୍ଟିଂ ଏଷ୍ଟାବ୍ଲିସମେଣ୍ଟର ଚିଫ୍ ଟେଷ୍ଟ ପାଇଲଟ୍ ଥିଲେ।

ନାସିକ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ମୁଖ୍ୟ ଟେଷ୍ଟ ପାଇଲଟ୍ ଥିଲେ। ୧୫ ୱିଙ୍ଗ (ବରେଲୀ) ଏବଂ ୧୮ ୱିଙ୍ଗ (ପଠାନକୋଟ) ଏୟାର ଅଫିସର କମାଣ୍ଡିଂ ଥିଲେ। ଅପରେସନାଲ ପ୍ଲାନିଂ ଆଣ୍ଡ ଆସେସମେଣ୍ଟ ଗ୍ରୁପ୍‌ର ନିର୍ଦ୍ଦେଶକ ଥିଲେ।

ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ‘ଅପରେସନ ସିନ୍ଦୂର’ ସମୟରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ସର୍ବୋତ୍ତମ ଯୁଦ୍ଧ ସେବା ପଦକରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ୨୦୨୪ରେ ତାଙ୍କୁ ଅତି ବିଶିଷ୍ଟ ସେବା ପଦକ ଓ ୨୦୧୩ରେ ବିଶିଷ୍ଟ ସେବା ପଦକ ମଧ୍ୟ ପ୍ରଦାନ କରାଯାଇଥିଲା।