fbpx

ତୃଣମୂଳ କଂଗ୍ରେସର ଘୋଷଣା: ୨୦ ଜଣ ଜାତୀୟ ମୁଖପାତ୍ର ଓ ୪୦ ଜଣ ରାଜ୍ୟ ମୁଖପାତ୍ରଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଦେଶର ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏପରି ସ୍ଥିତିରେ ସର୍ବ ଭାରତୀୟ ତୃଣମୂଳ କଂଗ୍ରେସ (ଏଆଇଟିସି) ମଧ୍ୟ ବିଭିନ୍ନ ରାଜ୍ୟରେ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଦେଇଛି । ନିକଟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଆଲୋଚନା କରିଥିଲେ ।

ତେବେ ନବୀନଙ୍କ ସହିତ ରାଜନୀତିକୁ ନେଇ କୌଣସି ଆଲୋଚନା ହୋଇନଥିବା ମମତା କହିଥିଲେ ହେଁ ସତ କ’ଣ ସମସ୍ତେ ଜାଣନ୍ତି । ନରେନ୍ଦ୍ର ମୋଦୀଙ୍କର କଟ୍ଟର ବିରୋଧୀ ଭାବେ ଜଣାଶୁଣା ମମତା ବିଜେପିକୁ କଡ଼ା ଟକ୍କର ଦେଇ ପଶ୍ଚିମବଙ୍ଗରେ ସରକାର ଗଠନ କରିପାରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରସଙ୍ଗରେ ଦିଦି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି । ଏପରିକି କେନ୍ଦ୍ର ସରକାର ସିବିଆଇ, ଇଡିର ଦୁରୂପଯୋଗ କରୁଥିବା ନେଇ ନିକଟରେ ୯ଟି ବିରୋଧୀ ଦଳର ନେତା ପିଏମ୍ ମୋଦୀଙ୍କୁ ଚିଠି ଲେଖିଥିଲେ । ଉକ୍ତ ୯ଟି ଦଳ ମଧ୍ୟରେ ଦିଦିଙ୍କ ତୃଣମୂଳ କଂଗ୍ରେସ ରହିଥିଲା ।

ଏହା ମଧ୍ୟରେ ତୃଣମୂଳ କଂଗ୍ରେସ ଭବିଷ୍ୟତର ଲଢ଼େଇ ପୂର୍ବରୁ ଆଗୁଆ ନିଜର ସଂଗଠନକୁ ସଜାଡ଼ିବାକୁ ପ୍ରୟାସ କରିଛି । ଆଜି ଦଳ କିଛି ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛି । ଦଳର ଅଧ୍ୟକ୍ଷା ମମତା ଏହି ତାଲିକା ଘୋଷଣା କରିଛନ୍ତି । ୨୦ ଜଣ ଜାତୀୟ ମୁଖପାତ୍ର ଓ ୪୦ ଜଣ ରାଜ୍ୟ ମୁଖପାତ୍ରଙ୍କୁ ଦିଦି ନିଯୁକ୍ତି ଦେଇଛନ୍ତି । ଏହି ନୂଆ ଦାୟିତ୍ୱ ମିଳିବା ପରେ ନବ ନିଯୁକ୍ତ ସମସ୍ତ ସଦସ୍ୟଙ୍କୁ ଦଳ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ସେମାନେ ଦଳର ଉନ୍ନତି ନିମନ୍ତେ ପ୍ରୟାସ ଜାରି ରଖିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.