ସଞ୍ଜୁଙ୍କୁ କାହିଁକି ମିଳିଲାନି ସୁଯୋଗ? ଜିମ୍ବାୱେ ସିରିଜ୍‌ରୁ ବାଦ୍ ପଡ଼ିବା ନେଇ ଚୟନକର୍ତ୍ତାଙ୍କୁ ପ୍ରଶ୍ନ କଲେ ରହାଣେ

ଜିମ୍ବାୱେ ଟି-୨୦ ଦଳରୁ ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯିବା ଉପରେ ଅଜିଙ୍କ୍ୟ ରହାଣେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ସେ ଖୁବଶୀଘ୍ର ଦଳକୁ ଫେରିବେ ବୋଲି ଆଶା ରଖିଛନ୍ତି।

ନୂଆଦିଲ୍ଲୀ: ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହୋଇଥିବା ଭାରତୀୟ ଟି-୨୦ (T20I) ଦଳରୁ ୱିକେଟକିପର-ବ୍ୟାଟର ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯିବା ଉପରେ ସିନିୟର କ୍ରିକେଟର ଅଜିଙ୍କ୍ୟ ରହାଣେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଚୟନକର୍ତ୍ତା (ସିଲେକ୍ଟର) ମାନେ ଏହି ନିଷ୍ପତ୍ତି ବିଷୟରେ ସଞ୍ଜୁଙ୍କ ସହ ନିଶ୍ଚୟ କଥା ହୋଇଥିବେ ବୋଲି ସେ ଆଶା କରୁଛନ୍ତି। ରହାଣେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସଞ୍ଜୁ ସାମସନଙ୍କୁ ସମର୍ଥନ କରି ଲେଖିଛନ୍ତି, “ଆଶା କରୁଛି ସଞ୍ଜୁ ସାମସନଙ୍କ ସହ ଏହି ବିଷୟରେ କିଛି ଆଲୋଚନା ହୋଇଥିବ। ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍ ବିଜୟର ଜଣେ ମୁଖ୍ୟ ଖେଳାଳିଙ୍କୁ ଜିମ୍ବାୱେ ଗସ୍ତ ପାଇଁ ଟି-୨୦ ଦଳରୁ ବାଦ୍ ଦିଆଯିବା ମତେ ଟିକେ ଅଜବ ଲାଗୁଛି। ଆଶା କରୁଛି ସେ ଖୁବଶୀଘ୍ର ଜାତୀୟ ଦଳକୁ ଫେରିବେ।”

ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ରହାଣେଙ୍କର ଏଭଳି ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆଇସିସି ଟି-୨୦ ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ ହେବାରେ ସଞ୍ଜୁଙ୍କ ଅବଦାନ ଥିବା ସତ୍ତ୍ୱେ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଜୁଲାଇ ୬ରେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି, ଯେଉଁଥିରେ ଅଶୋକ ଶର୍ମା, ପ୍ରଭସିମରନ ସିଂ ଏବଂ ୟଶ ଠାକୁରଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସୁଯୋଗ ମିଳିଛି। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଏହି ଟି-୨୦ ସିରିଜ୍ ଜୁଲାଇ ୨୩ରୁ ଆରମ୍ଭ ହେବ।

ସୂଚନା ଅନୁସାରେ, ଭାରତ ଜୁଲାଇ ୨୩ରେ ପ୍ରଥମ, ଜୁଲାଇ ୨୫ରେ ଦ୍ୱିତୀୟ ଏବଂ ଜୁଲାଇ ୨୬ରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳିବ ଏବଂ ଏହି ସବୁ ମ୍ୟାଚ୍ ହରାରେଠାରେ ଖେଳାଯିବ। ଏହି ସିରିଜ୍‌ରେ ଶ୍ରେୟସ ଆୟର ଦଳର ଅଧିନାୟକତ୍ୱ କରିବେ। ଚାଲୁ ରହିଥିବା ଭାରତ ବନାମ ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ନିଜର ପ୍ରଥମ ମ୍ୟାଚ୍ ଖେଳିଥିବା ବୈଭବ ସୂର୍ଯ୍ୟବଂଶୀ ଏହି ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ ତିଲକ ବର୍ମାଙ୍କୁ ଦଳର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ:
ଶ୍ରେୟସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଲକ ବର୍ମା (ଉପ-ଅଧିନାୟକ), ଇଶାନ କିଷାନ (ୱିକେଟକିପର), ଶିବମ ଦୁବେ, ସୂର୍ଯ୍ୟାଂଶ ସେଡଗେ, ରିଙ୍କୁ ସିଂ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ୟଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ ଏବଂ ପ୍ରଭସିମରନ ସିଂ (ୱିକେଟକିପର)।