ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ୍‌: ଆନ୍ଦୋଳନରେ ଯୋଗଦେବା ପାଇଁ ଅଫର ହେଉଛି ଟଙ୍କା

ବିଗ ବସ ଓ ‘ବିଘ୍ନହର୍ତ୍ତା ଗଣେଶ' ଭଳି ଟିଭି ଧାରାବାହିକରେ ଅଭିନୟ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଏହି ଅଭିନେତ୍ରୀଙ୍କ ବୟାନ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ଯିବା ପାଇଁ ଅଫର ହେଉଛି ଟଙ୍କା…। ମୁଁ ଏ ଅଳିଆ ଭିତରେ ପଶିବାକୁ ଚାହୁଁନାହିଁ। ଆଜି ଏପରି ଢଙ୍ଗରେ ଦିଲ୍ଲୀ ଛାତ୍ର ଆନ୍ଦୋଳନରେ ସାମିଲ ହେଉଥିବା ସେଲିବ୍ରିଟିଙ୍କୁ ସମାଲୋଚନା କରିଛନ୍ତି ଚର୍ଚ୍ଚିତ ଅଭିନେତ୍ରୀ ଆକାକ୍ଷା ପୁରୀ।

ବିଗ ବସ ଓ ‘ବିଘ୍ନହର୍ତ୍ତା ଗଣେଶ’ ଭଳି ଟିଭି ଧାରାବାହିକରେ ଅଭିନୟ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଏହି ଅଭିନେତ୍ରୀଙ୍କ ବୟାନ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଗୁରୁବାର ଆଇଏଏନ୍‌ଏସ୍ ସହ କଥାବାର୍ତ୍ତା ବେଳେ ଆକାକ୍ଷା ପୁରୀ କହିଛନ୍ତି, ମୁଁ ଚାହୁଁଛି ଲୋକମାନେ ସଠିକ୍ କଥାକୁ ସମର୍ଥନ କରନ୍ତୁ। ମୁଁ ଚାହୁଁନି ଯେ ଛାତ୍ରମାନଙ୍କ ଆନ୍ଦୋଳନକୁ ମାର୍କେଟିଂର ଏକ ଅଂଶ କରାଯାଉ। ଏଥିରୁ କେହି ଟଙ୍କା ରୋଜଗାର କରନ୍ତୁ କିମ୍ବା ନିଜ ସ୍ୱାର୍ଥ ସାଧନ କରନ୍ତୁ ବୋଲି ମୁଁ ଚାହୁଁନି। ସଠିକ କଥାକୁ ସମର୍ଥନ କରନ୍ତୁ। ସଠିକ୍ ଲୋକଙ୍କ ସହ ଛିଡ଼ା ହୁଅନ୍ତୁ ବୋଲି ଆକାକ୍ଷା କହିଛନ୍ତି।

Uttarakhand Govt.

ସେ ଆହୁରି କହିଛନ୍ତି; “ମୋ ସହ ଜଡ଼ିତ ଥିବା ଅନେକ ଅଭିନେତା ଓ କଣ୍ଟେଣ୍ଟ କ୍ରିଏଟର ଜାଣିଛନ୍ତି ଯେ, ବିଭିନ୍ନ ପକ୍ଷରୁ ସେମାନଙ୍କୁ ଯୋଗାଯୋଗ କରାଯାଉଛି। ସେମାନେ ଚାହୁଁଛନ୍ତି ଆମେ ଏହାକୁ ମାର୍କେଟିଂର ଅଂଶ କରିବା, ପ୍ରଦର୍ଶନ ସ୍ଥଳରେ ଉପସ୍ଥିତ ରହିବା ଏବଂ ରାଲିରେ ଯୋଗଦେବା।”

ଆକାକ୍ଷା କହିଛନ୍ତି; ମୁଁ ଏହି ଅପରିଷ୍କାର କାର୍ଯ୍ୟର ଅଂଶ ହେବାକୁ ଚାହୁଁନି। ମୁଁ କେବଳ ସଠିକ୍ କଥାକୁ ସମର୍ଥନ କରିବାରେ ବିଶ୍ୱାସ କରେ। ସେଥିପାଇଁ ମୁଁ ସେଠାରେ ଉପସ୍ଥିତ ଅଛି କି ନାହିଁ, ତାହା ଆପଣ ଦେଖି ପାରିବେ। ଯେତେବେଳେ କାହାର ଆବଶ୍ୟକତା ପଡ଼ିବ, ମୁଁ ସେମାନଙ୍କ ସହ ରହିବି। ମୋତେ ବହୁତ ଦୁଃଖ ଲାଗିଥିଲା, କାରଣ ସେମାନେ ହେଉଛନ୍ତି ଭାରତର ଭବିଷ୍ୟତ। ସେମାନେ ଛାତ୍ରଛାତ୍ରୀ। ସେମାନଙ୍କ ସହ ଏଭଳି ବ୍ୟବହାର ହେବା ଉଚିତ୍ ନୁହେଁ। ସେମାନଙ୍କ ଫଟୋ ଦେଖି ମୁଁ ବ୍ୟଥିତ ହୋଇପଡ଼ିଥିଲି। ସେମାନେ କେବଳ ଏତିକି ଚାହୁଁଛନ୍ତି ଯେ, ସେମାନଙ୍କ କଥା ଶୁଣାଯାଉ। ସେମାନଙ୍କୁ ସମର୍ଥନ ମିଳିବା ଉଚିତ୍ ବୋଲି ଆକାକ୍ଷା କହିଛନ୍ତି।

ସୂଚନାରୁ ପ୍ରକାଶ, ପ୍ରଶ୍ନପତ୍ର ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦିଲ୍ଲୀ ଜନ୍ତରମନ୍ତରରେ କକ୍‌ରୋଚ ଜନତା ପାର୍ଟି(ସିଜେପି) ସମର୍ଥନରେ ଛାତ୍ରଛାତ୍ରୀମାନେ ଆନ୍ଦୋନଳ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବହୁ ଅଭିନେତା ଓ ଅଭିନେତ୍ରୀ ଧାରଣସ୍ଥଳକୁ ଯାଇ ପ୍ରତିବାଦ କରୁଛନ୍ତି। ସରକାରଙ୍କ ବିରୋଧରେ ବର୍ଷୁଛନ୍ତି। ଯାହାକୁ ବିରୋଧ କରିଛନ୍ତି ଅଭିନେତ୍ରୀ ଆକାକ୍ଷା ପୁରୀ।