fbpx

ଓଡ଼ିଶା-ମୋ ପରିବାର ସଂଯୋଜକଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଜଣାଇଲେ ଅକ୍ଷୟ କୁମାର

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ସଂଯୋଜକ ସୁବାଷ ମହାରାଣାଙ୍କୁ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ କୃତଜ୍ଞତା ପତ୍ର ଦେଇଛନ୍ତି । ଓଡ଼ିଶାରେ ରହୁଥିବା ତାଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପରିବାରକୁ ସହଯୋଗ କରିଥିବାରୁ ସେ ସୁବାଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ ସଙ୍ଗୀତା ଭୂୟାଁ ବ୍ରହ୍ମପୁର ମେଡିକାଲରେ ଅସ୍ତ୍ରୋପଚାର ପାଇଁ ମେ ୬ରେ ଭର୍ତ୍ତି ହୋଇଥିଲେ । ୪-୫ ଘଣ୍ଟା ବିତିଯାଇଥିଲେ ହେଁ ସେଠାରୁ ତାଙ୍କର କୌଣସି ଖବର ଆସିନଥିଲା । ସେଥିପାଇଁ ଅକ୍ଷୟ କୁମାର ବ୍ୟସ୍ତ ହୋଇ ବିଭିନ୍ନ ପଦସ୍ତ ଅଧକାରୀଙ୍କ ସହିତ ଯୋଗାଯୋଗ କରିଥିଲେ । ହେଲେ କୌଣସି ସୁଫଳ ମିଳିପାରିନଥିଲା ।

ଏନେଇ ଅକ୍ଷୟ ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କୁ ଟେଲିଫୋନ କରି ଜଣାଇଲେ । ଏହାସହ ଗଞ୍ଜାମ ଜୀବନବିନ୍ଦୁ ସଂଯୋଜକ ସୁବାଷ ମହାରଣାଙ୍କ ସହିତ ଯୋଗାଯୋଗ କରି ଏହି ବିଷୟରେ ଅବଗତ କରାଇଥିଲେ । ସୁବାଷ ତୁରନ୍ତ ବ୍ରହ୍ମପୁର ମେଡିକାଲକୁ ଯାଇ ସଙ୍ଗୀତା ଭୂୟାଁଙ୍କୁ ଠାବ କରିଥିଲେ । ଏହାସହ ଯଥା ସମ୍ଭବ ଚିକିତ୍ସା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଇଥିଲେ ।

ପରେ ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ସଂପାଦନା ହୋଇଥିଲା । ଏନେଇ ଅକ୍ଷୟଙ୍କୁ ଏହା ବିଷୟରେ ଜଣାଇ ଦିଆଯାଇଥିଲା । ସୁବାଷଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଏହି ସଠିକ ଏବଂ ତ୍ବରିତ ପଦକ୍ଷେପରେ ପ୍ରଭାବିତ ହୋଇ ଅକ୍ଷୟ ଏକ ଭାବପ୍ରବଣତା କୃତଜ୍ଞତା ପତ୍ର ପଠାଇଛନ୍ତି ।

Get real time updates directly on you device, subscribe now.