ନଭେମ୍ବର ୭ ଯାଏଁ ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ
ବନ୍ୟା ଯୋଗୁଁ ବର୍ଷା ଜଳ ପଶିଯିବା କାରଣରୁ ବର୍ତ୍ତମାନ ସ୍କୁଲ ଘରର ମରାମତି କାମ ଚାଲୁଛି ।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବୁଧବାର ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏହି ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ଅଧିକାଂଶ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି ପଶିଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ପିଲାମାନଙ୍କ ପାଠପଢ଼ା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମରାମତି ଓ ସଫେଇ କାମ ଚାଲିଛି। ଏଭଳି ସ୍ଥିତିରେ ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନବାଡ଼ିକୁ ଆସିବା ଠିକ୍ ହେବ ନାହିଁ। ତେଣୁ ନଭେମ୍ବର ୭ ଯାଏଁ ପାଠପଢ଼ା ବନ୍ଦ ରଖାଯାଇଛି। ତେବେ ଏହି ସମୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନେ ସ୍କୁଲକୁ ଆସିବେ। ସେମାନଙ୍କ ଉପସ୍ଥିତିରେ ମରାମତି ଓ ସଫେଇ କାମ ଠିକ୍ ଭାବେ କରାଯିବ।
ସେହିପରି ନଭେମ୍ବର ୯ ତାରିଖରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ କି ନାହିଁ, ତାହା ପରିସ୍ଥିତିର ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ଆସିଥିବା ବାତ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲା ବେଶ୍ ପ୍ରଭାବିତ ହୋଇଥିଲା। ବାତ୍ୟା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେବା ସହ ବହୁ କ୍ଷୟକ୍ଷତି ହୋଇଥିଲା।


