କର୍ମଚାରୀ ଛଟେଇକୁ ବିରୋଧ କଲେ ଆମାଜନରେ କାର୍ଯ୍ୟରତ ଇଞ୍ଜିନିୟର
ଆମାଜନ ପ୍ରାୟ ୩୦,୦୦୦ ଚାକିରି ହ୍ରାସ କରିଦେଇଛି। ଏହାର ଅର୍ଥ ଆଗକୁ ଖୁବ୍ଶୀଘ୍ର ୩୦ ହଜାର କର୍ମଚାରୀ ଛଟେଇ ହେବେ
ୱାସିଂଟନ୍: ବିଶ୍ୱର ସବୁଠାରୁ ବଡ଼ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି ଆମାଜନ। ଏବେ ଆମାଜନ ଦୋମୁହାଁ ନୀତି ଅପଣାଇଛି। ଗୋଟିଏ ପଟେ କମ୍ପାନୀ ଏଆଇ ଉପରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନ୍ୟପଟରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଛି। ଯାହାକୁ ନେଇ କମ୍ପାନୀ ଭିତରେ ବିଦ୍ରୋହ ଆରମ୍ଭ ହୋଇଛି।
ରିପୋର୍ଟ ଅନୁସାରେ, ଆମାଜନ ପ୍ରାୟ ୩୦,୦୦୦ ଚାକିରି ହ୍ରାସ କରିଦେଇଛି। ଏହାର ଅର୍ଥ ଆଗକୁ ଖୁବ୍ଶୀଘ୍ର ୩୦ ହଜାର କର୍ମଚାରୀ ଛଟେଇ ହେବେ। ଅନ୍ୟପକ୍ଷରେ କମ୍ପାନୀ ଏଆଇ ଭିତ୍ତିଭୂମି ଡାଟା ସେଣ୍ଟର ଓ ନୂଆ ଟେକ୍ନୋଲୋଜି ଉପରେ ବଡ଼ ନିବେଶ କରୁଛି। ଏହି କାରଣରୁ ଏବେ କମ୍ପାନୀ ଭିତରେ ବିରୋଧ ଆରମ୍ଭ ହୋଇଯାଇଛି।
ଆମେରିକାର ସିଆଟଲ ସହରରେ ହୋଇଥିବା ଏକ ସିଟି କାଉନସିଲ ବୈଠକରେ ଆମାଜନର କେତେକ ଇଞ୍ଜିନିୟର ଖୋଲାଖୋଲି ଭାବେ ନିଜ କମ୍ପାନୀ ବିରୋଧରେ ସ୍ୱର ଉଠାଇଛନ୍ତି। ସେମାନେ କହିଛନ୍ତି, ଯେଉଁ ସମୟରେ କମ୍ପାନୀ ବଡ଼ ବଡ଼ ଏଆଇ ଡାଟା ସେଣ୍ଟର ତିଆରି କରୁଛି, ସେତେବେଳେ କର୍ମଚାରୀଙ୍କ ଛଟେଇ କରିବା ଭୁଲ ନିଷ୍ପତ୍ତି।
ରିପୋର୍ଟ ଅନୁସାରେ କମ୍ପାନୀ ୨୦୨୬ ମସିହାରେ ଏଆଇ ଉପରେ ୨୦୦ ବିଲିୟନ ଆମେରିକୀୟ ଡଲାର ନିବେଶ କରୁଛି। ଏପରି ସ୍ଥିତିରେ ୩୦ ହଜାର ଲୋକଙ୍କ ଛଟେଇ ଉପରେ ଅନେକ ପ୍ରଶ୍ନ ଉଠୁଛି। କାରଣ ଏହା ସମ୍ପୂର୍ଣ୍ଣ ୱର୍କଫୋର୍ସର ୮.୬%। ଯାହା ବହୁତ ଅଧିକ। ଏହି ଇଞ୍ଜିନିୟରମାନେ କେବଳ ଚାକିରି କଟାଯିବା ଉପରେ ପ୍ରଶ୍ନ ଉଠାଇ ନାହାଁନ୍ତି। ବରଂ ଡାଟା ସେଣ୍ଟରକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଏହି ଡାଟା ସେଣ୍ଟରଗୁଡ଼ିକ ବହୁତ ଅଧିକ ବିଜୁଳି ଓ ସମ୍ବଳ ଖର୍ଚ୍ଚ କରିବ। ଯାହା ଫଳରେ ପରିବେଶ ଓ ସ୍ଥାନୀୟ ସମୁଦାୟ ଉପରେ ପ୍ରଭାବ ପଡ଼େ।
ସାମ୍ପ୍ରତିକ ଦିନରେ ଆମେରିକା ଓ ୟୁରୋପରେ ଏଆଇ ଏବଂ ଡାଟା ସେଣ୍ଟର ବିରୋଧରେ ଅନେକ ସ୍ଥାନରେ ପ୍ରଦର୍ଶନ ହେଉଛିଛି। ଲୋକଙ୍କୁ ଡର ଯେ ଏଆଇ ଚାକିରି ସମାପ୍ତ କରିଦେବ ଏବଂ ସେହି ସମୟରେ ପରିବେଶ ଉପରେ ଭାରୀ ଚାପ ପକାଇବ। ଆମାଜନ ମାମଲାରେ ଏହି ବିରୋଧ ସେଥିପାଇଁ ଆହୁରି ଖାସ। କାରଣ ଏହା କମ୍ପାନୀ ଭିତରୁ ଉଠୁଛି। ସାଧାରଣତଃ କର୍ମଚାରୀମାନେ ନିଜ କମ୍ପାନୀର ନିଷ୍ପତ୍ତି ଉପରେ ସାର୍ବଜନୀନ ଭାବେ ପ୍ରଶ୍ନ ଉଠାନ୍ତି ନାହିଁ। କିନ୍ତୁ ଏଠାରେ ମାମଲା ଅଲଗା।
ବିଶେଷଜ୍ଞମାନେ କହିଛନ୍ତି, ଏଆଇ ଉପରେ ହେଉଥିବା ବଡ଼ ଖର୍ଚ୍ଚ ଏବେ କମ୍ପାନୀଗୁଡ଼ିକ ପାଇଁ ରୋଜଗାରରେ ପରିଣତ ହୋଇପାରୁ ନାହିଁ। ଅର୍ଥାତ କମ୍ପାନୀଗୁଡ଼ିକ ପ୍ରଥମେ ଟଙ୍କା ଲଗାଉଛନ୍ତି, କିନ୍ତୁ ତା’ର ଲାଭ ତୁରନ୍ତ ମିଳୁନାହିଁ। ଏପରି ସ୍ଥିତିରେ ଖର୍ଚ୍ଚ କମାଇବା ପାଇଁ ଚାକିରି ଛଟେଇର ରାସ୍ତା ଅବଲମ୍ବନ କରାଯାଉଛି। ଏବେ ଏହି ବିତର୍କ ତୀବ୍ର ହୋଇଯାଇଛି ଯେ ଏଆଇ ଏହି ମଡେଲ ସ୍ଥାୟୀ ଅଟେ କି ନାହିଁ?

