fbpx

ମହିଳାଙ୍କ ଦମରେ ଚୀନକୁ ପଛରେ ପକାଇଲା ଆମେରିକା, ୩୯ ସ୍ଵର୍ଣ୍ଣ ସହ ଶୀର୍ଷରେ, ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସର ପଦକ ତାଲିକାରେ ଶେଷରେ ଆମେରିକା ଚୀନକୁ ପଛରେ ପକାଇ ଦେଇଛି। ଆମେରିକା ୩୯ ସ୍ଵର୍ଣ୍ଣ ଓ ୧୧୩ ପଦକ ସହିତ ଶୀର୍ଷ ସ୍ଥାନ ଅକ୍ତିକାର କରିଛି। ୩୮ ସ୍ଵର୍ଣ୍ଣ ସହ ଚୀନ ଦ୍ଵିତୀୟ ଏବଂ ଆୟୋଜକ ଜାପାନ ୨୭ ସ୍ଵର୍ଣ୍ଣ ସହ ତୃତୀୟରେ ରହିଛି। ଆମେରିକାକୁ ଟୋକିଓ ଅଲିମ୍ପିକ୍ସର ଶେଷ ଦିନରେ ମହିଳା ତିନୋଟି ସ୍ଵର୍ଣ୍ଣ ପଦକ ଦେଇଛନ୍ତି। ଆମେରିକା ମହିଳା ଦଳ ଭଲିବଲ ଓ ବାସ୍କେଟଲର ଫାଇନାଲ୍ ମୁକାବିଲା ଜତିଥିବା ବେଳେ ଜେନିଫର ବାଲେନ୍ତେ ସାଇକ୍ଲିଂରେ ସ୍ଵର୍ଣ୍ଣ ପଦକ ଜିତି ଆମେରିକାକୁ ଶୀର୍ଷରେ ପହଞ୍ଚାଇଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ଆମେରିକା ୩୯ ସ୍ଵର୍ଣ୍ଣ, ୪୧ ରୌପ୍ୟ ଓ ୩୩ କାଂସ୍ୟ ସହ ମୋଟ୍ ୧୧୩ ପଦକ ସହ ତାଲିକାର ଶୀର୍ଷରେ ରହିଛି। ଟୋକିଓ ଅଲିମ୍ପିକ୍ସରେ ୧୦୦ ପଦକ ଜିତିବାରେ ଆମେରିକା ଏକ ମାତ୍ର ଦେଶ। ଚୀନ ୩୮ ସ୍ଵର୍ଣ୍ଣ, ୩୨ ରୌପ୍ୟ ଓ ୧୮ କାଂସ୍ୟ ସହିତ ୮୮ ପଦକ ସହ ଦ୍ଵିତୀୟ ସ୍ଥାନରେ ରହିଛି। ଆୟୋଜକ ଜାପାନ ୨୭ ସ୍ଵର୍ଣ୍ଣ, ୧୪ ରୌପ୍ୟ ଓ ୧୭ କାଂସ୍ୟ ସହିତ ମୋଟ୍ ୫୮ ପଦକ ସହ ତୃତୀୟ ସ୍ଥାନରେ ରହିଛି।

ଗ୍ରେଟ୍ ବ୍ରିଟେନ ୨୨ ସ୍ଵର୍ଣ୍ଣ, ୨୧ ରୌପ୍ୟ ଓ ୨୨ କାଂସ୍ୟ ମୋଟ୍ ୬୫ ପଦକ ସହ ଚତୁର୍ଥ ସ୍ଥାନରେ ରହିଛି। ପଞ୍ଚମରେ ରୁଷ ଅଲିମ୍ପିକ୍ସ କମିଟି ରହିଛି। କମିଟି ୨୦ ସ୍ଵର୍ଣ୍ଣ, ୨୭ ରୌପ୍ୟ ଓ ୨୩ କାଂସ୍ୟ ସହ ୭୦ ପଦକ  ଜିତିଛି। ବ୍ରିଟେନ ଓ ଆରଓସି ଜାପାନଠୁ ଅଧିକ ପଦକ ଜିତିଛନ୍ତି। କିନ୍ତୁ ଅଧିକ ସ୍ଵର୍ଣ୍ଣ ଜିତିଥିବା କାରଣରୁ ଜାପାନ ତୃତୀୟରେ ରହିଛି।

୪୮ତମ ସ୍ଥାନରେ ଭାରତ

ଭାରତ ଗୋଟିଏ ସ୍ଵର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ସହ ଟୋକିଓ ଅଲିମ୍ପିକ୍ସରେ ନିଜର ଅଭିଯାନ ସମାପ୍ତ କରିଛି। ଏହା ଭାରତର ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ଭାରତ ଛଅ ପଦକ ଜିତିବାରେ ସଫଳ ହୋଇଥିଲା। ଭାରତ ତାଲିକାରେ ୪୮ମ ସ୍ଥାନରେ ରହିଛି। ଭାରତକୁ ଏକ ମାତ୍ର ସ୍ଵର୍ଣ୍ଣ ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଦେଇଥିବା ବେଳେ ଦୁଇଟି ରୌପ୍ୟ ମୀରାବାଈ ଚାନୁ ଓ ରବି କୁମାର ଦାହିଆ ଜିତାଇଛନ୍ତି। ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ରେସଲର ବଜରଙ୍ଗ ପୁନିଆ,  ବକ୍ସିଂରେ ଲଭଲିନା ଓ ପୁରୁଷ ହକି ଦଳ କାଂସ୍ୟ ପଦକ ଜିତାଇଛନ୍ତି।

 

Get real time updates directly on you device, subscribe now.