ବିଶ୍ବକୁ ଘାରିଲାଣି ଟାରିଫ୍ ଭୟ; ଆମେରିକାକୁ ସମର୍ଥନ ନ କଲେ ଟାରିଫ ଲଗାଇବେ ବୋଲି ଧମକ ଦେଲେ ଟ୍ରମ୍ପ,ବିରୋଧ କଲେ ଇଉରୋପୀୟ ରାଷ୍ଟ୍ର…

ଗ୍ରୀନଲ୍ଯାଣ୍ଡ ନେଇ ବିବାଦ ଘେରରେ ଟ୍ରମ୍ପ...

ଓଡିଶା ଭାସ୍କର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଟାରିଫ ଲଗାଇବା ନେଇ ଚେତାବନୀ ଦେଇଛନ୍ତି। ଏଥର ସେ ସଫା ସଫା କହିଛନ୍ତି କି ଆମେରିକା ବିରୋଧରେ ଯିଏ ଯିବ ସେହି ଦେଶ ଉପରେ ଶୁଳ୍କ ଲଗାଯିବ। ଯାହାକି ସାରା ବିଶ୍ବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାଦାଗିରିକୁ ଦର୍ଶାଉଛି। ତେବେ ଏପରି କହିବା ପଛରେ କଣ କିଛି ବଡ଼ କାରଣ ରହିଛି କି?

କଣ କହିଲେ ଟ୍ରମ୍ପ: ଆମେରିକା ରାଷ୍ଟ୍ରପତି ଗ୍ରୀନଲ୍ଯାଣ୍ଡକୁ କବଜା କରିବା ପାଇଁ ଚାହାନ୍ତି। ଯଦି ତାଙ୍କର ଏହି ପ୍ଲାନକୁ କୌଣସି ଦେଶ ବିରୋଧ କରେ, ତେବେ ସେହି ଦେଶ ଉପରେ ଟାରିଫ ଲଗାଯିବ। ଗ୍ରୀନଲ୍ଯାଣ୍ଡ, ଡେନମାର୍କ ଅଧିନରେ ଥିବା ଏକ ସ୍ବୟଂଚାଳିତ ଦେଶ। ଏହା ନାଟୋ ସଂଗଠନର ମଧ୍ୟ ସାମିଲ ରହିଛି। ଟ୍ରମ୍ପଙ୍କ କହିବା ଅନୁଯାୟୀ ଆମେରିକାର ସୁରକ୍ଷା ପାଇଁ ଗ୍ରୀନଲ୍ଯାଣ୍ଡକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ଯକ। ଯଦି କୌଣସି ଦେଶ ଟ୍ରମ୍ପଙ୍କ ପ୍ଲାନକୁ ବିରୋଧ କରେ ତେବେ ସେହି ଦେଶ ଉପରେ ଆର୍ଥିକ ଚାପ ପ୍ରୟୋଗ କରାଯିବ।

ଗ୍ରୀନଲ୍ଯାଣ୍ଡ ଆମେରିକା ପାଇଁ ଗୁରୁତ୍ବପୂର୍ଣ୍ଣ କାହିଁକି: ଟ୍ରମ୍ପ ବାରମ୍ବାର ଯୁକ୍ତି ରଖିଛନ୍ତି ଯେ ଆର୍କଟିକର ଗ୍ରୀନଲ୍ୟାଣ୍ଡର ରଣନୈତିକ ସ୍ଥିତି ଏହାକୁ ଆମେରିକୀୟ ସୁରକ୍ଷା ସ୍ୱାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ କରୁଛି। ସେ ଦାବି କରିଛନ୍ତି ଯେ ଆମେରିକାର ସମ୍ପୃକ୍ତି ବିନା, ରୁଷ କିମ୍ବା ଚୀନ୍ ଏହି ଅଞ୍ଚଳରେ ସେମାନଙ୍କର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବେ, ଯାହାକି ଆମେରିକା ପାଇଁ ଭବିଷ୍ଯତରେ ବିପଦ ସୃଷ୍ଟି କରିବ। ଏହାଛଡା ଡେନମାର୍କ ମଧ୍ୟ ଗ୍ରୀନଲ୍ଯାଣ୍ଡକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ଯୋଗାଇବା ପାଇଁ ସକ୍ଷମ ନୁହେଁ ବୋଲି ସେ କହିଛନ୍ତି।

ଡେନମାର୍କ ଓ ଗ୍ରୀନଲ୍ଯାଣ୍ଡ ଏହି ପ୍ରସ୍ତାବକୁ ପ୍ରତ୍ଯାଖ୍ଯାନ କରିଥିଲେ: ଅନ୍ଯପଟେ ଟ୍ରମ୍ପଙ୍କ ଯୁକ୍ତିକୁ ଉଭୟ ଡେନମାର୍କ ଓ ଗ୍ରୀନଲ୍ଯାଣ୍ଡ ପ୍ରତ୍ଯାଖାନ କରି କହିଛନ୍ତି ଯେ, ଏହା ବିକ୍ରି କରିବା ପାଇଁ ପ୍ଲଟ ନୁହେଁ। ଭୟଭୀତ କରିବା ପାଇଁ ଟ୍ରମ୍ପ ଯେଉଁଭଳି ଚେତାବନୀ ଦେଉଛନ୍ତି ତାହା ଭୁଲ କହି ଦୁଇ ଦେଶ ସମାଲୋଚନା କରିଥିଲେ। ଏପରିକି ଏହା ଆଲୋଚନା ଦ୍ବାରା ସମାଧାନ କରାଯାଇପାରିବ ବୋଲି କହିଥିଲେ।

ଅନେକ ଇଉରୋପୀୟ ରାଷ୍ଟ୍ର ମଧ୍ୟ ଡେନମାର୍କକୁ ଭରପୁର ସମର୍ଥନ ଜଣାଇଥିଲେ। ଟ୍ରମ୍ପଙ୍କ ମନ୍ତବ୍ୟକୁ ଅନାବଶ୍ୟକ ଏବଂ ଅସ୍ଥିରକାରୀ ବୋଲି କହିଛନ୍ତି ଇଉରୋପୀୟ ଦେଶ। ଡେନମାର୍କ ଏକ ନାଟୋ ସଦସ୍ୟ ଏବଂ ଏହାର ସହଯୋଗୀମାନେ ଗୁରୁତ୍ୱ ଦେଇ କହିଛନ୍ତି କି ଏହି ଘଟଣାକୁ ବଳପୂର୍ବକ ନୁହେଁ ବରଂ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ୍।