ଆମେରିକାରେ ଗୁଳିକାଣ୍ଡ; ୨୪ ମୃତ, ୧୦୦ରୁ ଅଧିକ ମେଡିକାଲ୍‌ରେ

ଅଭିଯୋଗ ଅନୁସାରେ ଟେକ୍ସାସର ଡାଲାସ୍ ସହରର ‘ଡିପ୍ ଏଲମ’ ନାଇଟ୍‌ଲାଇଫ୍ ଅଞ୍ଚଳରେ ମାତ୍ର ୭୫ ମିନିଟ୍ ମଧ୍ୟରେ ତିନୋଟି ପୃଥକ୍ ଗୁଳିକାଣ୍ଡ ଘଟିଛି।

ୱାଶିଂଟନ୍: ଅଶାନ୍ତ ହେଉଛି ଆମେରିକା। ଫୁଟୁଛି ଗୁଳି, ଗଡ଼ୁଛି ମୁଣ୍ଡ। ରକ୍ତ ରଞ୍ଜିତ ହେଉଛି ଆମେରିକା। ପୃଥକ୍ ସ୍ଥାନରେ ହୋଇଥିବା ଗୁଳିକାଣ୍ଡରେ ୨୪ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଯାହାକୁ ନେଇ ଆମେରିକା ପୋଲିସ ଟେନ୍‌ସନରେ ପଡ଼ି ଯାଇଛି। କେତେକ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିଥିବା ବେଳେ ଆଉ କିଛି ଫେରାର ଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ ଟେକ୍ସାସର ଡାଲାସ୍ ସହରର ‘ଡିପ୍ ଏଲମ’ ନାଇଟ୍‌ଲାଇଫ୍ ଅଞ୍ଚଳରେ ମାତ୍ର ୭୫ ମିନିଟ୍ ମଧ୍ୟରେ ତିନୋଟି ପୃଥକ୍ ଗୁଳିକାଣ୍ଡ ଘଟିଛି। ଏଥିରେ ଅତି କମ୍‌ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

ସେହିପରି ସାନ୍ ଫ୍ରାନ୍ସିସ୍କୋ ନିକଟ କାଲିଫର୍ଣ୍ଣିଆର ଫେୟାରଫିଲ୍ଡ ସ୍ଥିତ ଏକ ‘ସ୍ପିରିଟ୍ ହାଲୋୱିନ୍‌’ ଷ୍ଟୋର୍‌ରେ ଗୁଳିମାଡ଼ ଘଟିଛି। ଏଥିରେ ୩୧ ବର୍ଷୀୟ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି।

ଆଲାବାମାର ବର୍ମିଂହାମ୍‌ରେ ଏକ ଐତିହାସିକ ଫୁଟବଲ୍ ମ୍ୟାଚ୍ ପରେ ଲେଜେଣ୍ଡ ଫିଲ୍ଡ ବାହାରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଜଣେ ୧୭ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। ତା’ ନିକଟରୁ ଅସ୍ତ୍ର ଜବତ ହୋଇଥିବା ଜଣାପଡ଼ିଛି।

ଠିକ୍ ସେମିତି ଡେଲାୱେର୍‌ରେ ଦୁଇଟି ବଡ଼ ଧରଣର ଗୁଳିକାଣ୍ଡ ଘଟଣା ପୋଲିସର ଚିନ୍ତା ବଢ଼ାଇଛି। ଏଲ୍‌ଡେଲ୍‌ରେ ଏକ ଖୋଲା ସ୍ଥାନରେ ଚାଲିଥିବା ପାର୍ଟି ସମୟରେ ଗୁଳିମାଡ଼ରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଡେଲାୱେର୍ ବିଶ୍ୱବିଦ୍ୟାଳୟ ନିକଟ ମେନ୍ ଷ୍ଟ୍ରିଟ୍‌ରେ ଘଟିଥିବା ଗୁଳିକାଣ୍ଡରେ ୬ ଜଣ ଆହତ ହୋଇଛନ୍ତି। ଫ୍ଲୋରିଡାର ଜ୍ୟାକ୍ସନଭିଲ୍‌ରେ ମଧ୍ୟ ହାଲୋୱିନ୍ ପାର୍ଟି ସମୟରେ ଦୁଇଟି ପୃଥକ୍ ଗୁଳିକାଣ୍ଡ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି।

ସବୁଠାରୁ ଚିନ୍ତାଜନକ ଘଟଣା ଘଟିଛି ଡେଟ୍ରଏଟ୍‌ରେ। ହାଲୋୱିନ୍ ଅବସରରେ ପିଲାମାନେ ଘରକୁ ଘର ବୁଲି ଚକୋଲେଟ୍ ସଂଗ୍ରହ କରୁଥିଲେ। ଠିକ୍ ସେହି ସମୟରେ ହୋଇଥିବା ଗୁଳି ମାଡ଼ରେ ଜଣେ ୫ ବର୍ଷୀୟା ଶିଶୁ ଗୁରୁତର ଆହତ ହୋଇଥିଲା। ତାକୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ଚିକିତ୍ସା ପରେ ଏବେ ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।