fbpx

ଶାହାଙ୍କ ଗସ୍ତ ଆଣିବ କି ପରିବର୍ତ୍ତନ? ରାଜ୍ୟ ବିଜେପିର ହେବ କି ନୂତନ ସୂର୍ଯ୍ୟୋଦୟ………

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମତି ଶାହା । ବିଜେପିଦଳର ଚାଣକ୍ୟ ବୋଲାଉଥିବା ଶାହାଙ୍କ ଓଡିଶା ଗସ୍ତକୁ ନେଇ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଶାହାଙ୍କ ଏହି ଗସ୍ତ ରାଜ୍ୟ ବିଜେପି କୁ ନୂଆ ଦିଗଦର୍ଶନ ଦେଖାଇବ ବୋଲି ଆଶା କରାଯାଉଥିବା ବେଳେ ଦଳ ଶାହାଙ୍କ ଗସ୍ତ ପାଇଁ ପୂରା ପ୍ରସ୍ତୁତ ।

ଆଗକୁ ଅଛି ୨୦୨୪ ସାଧାରଣ ନିର୍ବାଚନ । ତେବେ ବିଜେଡିକୁ ମାତ ଦେବା ବିଜେପି ତାର ରୋଡମ୍ୟାପ ପ୍ରସ୍ତୁତ କରୁଛି । ଆଜି ଦଳୀୟକର୍ମୀ ମାନଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା କେଉଁ ଗୁରୁମନ୍ତ୍ର ଦେବେ ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର । ବିଜେପି ପୂର୍ବରୁ ହିଁ ତାର ଗୋଟି ଚଳାଇବା ଆରମ୍ଭ କରିଦେଇଛି । ବିରୋଧୀ ଦଳର ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଦାଇତ୍ୱ ଦେବା ହେଉ ଅବା ରାଷ୍ଟ୍ରପତି ଭାବେ ମଯୁରଭଞ୍ଜର ମାଟିର ଝିଅ ଦ୍ରୌପଦୀଙ୍କୁ ଚୟନ ହେଉ, ବିଜେପି ତାର ରଣନୀତି ପ୍ରସ୍ତୁତ କରି ସାରିଲାଣି ।

 

ଶାହାଙ୍କ ଗସ୍ତ ରାଜ୍ୟବିଜେପି ପାଇଁ ସଞ୍ଜୀବନି:ଶାହାଙ୍କ ଗସ୍ତକୁ ନେଇ ବିଜେଡିଗଡରେ କୋକୁଆଭୟ ଦେଖା ଦେଇଛି । ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ କେବଳ ମୟୁରଭଞ୍ଜବାସୀଙ୍କର ନୁହେଁ ବରଂ ଓଡିଶାବାସୀଙ୍କ ମଧ୍ୟ ହୃଦୟ ଜିତିବାରେ ସକ୍ଷମ ହୋଇଛି । ଏହାପରେ ଜୟନାରାୟଣଙ୍କୁ ବିରୋଧୀଦଳର ନେତା ଭାବେ ବସାଇବାର ତତ୍କ୍ଷଣାତ ସେ ବିଜେଡି ମୁକ୍ତ ଓଡିଶାର ଡାକରା ଦେଇଛନ୍ତି । ତେବେ ବିଜେଡି ସରକାରଙ୍କୁ ହଟାଇବା ପାଇଁ ବିଜେପି ତାର ଗୋଟିଏ ପରେ ଗୋଟିଏ ମାଷ୍ଟରକାର୍ଡ ଖେଳି ଚାଲିଛି ଆଉ ଏହା ଉପରେ ଶାହାଙ୍କ ଗସ୍ତ ଦଳୀୟକର୍ମୀ ମାନଙ୍କ ମଧ୍ୟରେ ନିର୍ବାଚନ ଲଢ଼ିବା ପାଇଁ ସଞ୍ଜୀବନି ଯୋଗାଇବ ବୋଲି ଆଶା କରାଯାଉଛି । ଶାହାଙ୍କ ଗସ୍ତରେ ରାଜ୍ୟବିଜେପିର ନିଦ ଭାଙ୍ଗିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ବିଜେଡିଗଡ ଟଳମଳ: ସେପଟେ ଶାହାଙ୍କ ଗସ୍ତକୁ ନେଇ ବିଜେଡି ବର୍ତ୍ତମାନ ଚିନ୍ତାରେ ପଡିଯାଇଛି । ବର୍ଷ ପରେ ବର୍ଷ ଦୀର୍ଘ ୨୫ ବର୍ଷ ହେବ ଯେଉଁ ସାମ୍ରାଜ୍ୟ ବିସ୍ତାର କରିଛି ବିଜେଡି ତାହାକୁ ଧରାଶାୟୀ କରିବା ପାଇଁ ବର୍ତ୍ତମାନ ବିଜେପି ତାର ମୁଣ୍ଡ ଟେକିଲାଣି । ଆଉ ଏହାକୁ ଦେଖି ବିଜେଡିର ମଧ୍ୟ ଅବସ୍ଥା ଶୋଚନୀୟ ହୋଇ ପଡିଲାଣି । ସେଥିପାଇଁ ଶାହାଙ୍କ ଗସ୍ତକୁ ଦେଖି ମୁଖ୍ୟମନ୍ତ୍ରୀ ଆସନ୍ତା ୧୨ ରେ ମୟୁରଭଞ୍ଜ ଗସ୍ତରେ ଯିବେ ବୋଲି ସ୍ଥିର କରିଛନ୍ତି । ବହୁ ପ୍ରତିକ୍ଷୀତ ଦେଓ ଜଳସେଚନ ପ୍ରକଳ୍ପର ଉଦ୍ଘାଟନ କରିବା ପାଇଁ ମୟୁରଭଞ୍ଜ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ । ତେବେ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ କଣ ରହିଛି ତାହା ସମସ୍ତଙ୍କୁ ଜଣା ।

ସର୍ବଶେଷ ରେ ଶାହାଙ୍କ ଏହି ଗସ୍ତ ରାଜ୍ୟ ବିଜେପି ପାଇଁ ଗୁରୁତ୍ୱପୁର୍ଣ୍ଣ ଭୂମିକା ବହନ କରିବ । ଶାହା ବିଜେପି କର୍ମୀ ମାନଙ୍କ ମନୋବଳ ବଢ଼ାଇବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି କିପରି ଜୟଯୁକ୍ତ ହୋଇପାରିବେ ତାହାକୁ ନେଇ ବୁ୍ଲପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେବେ । ବର୍ତ୍ତମାନ ଦଳୀୟକର୍ମୀ ଏହି କାର୍ଯ୍ୟକୁ କେତେ ଦୂର ଫଳପ୍ରଦ କରିବାକୁ ଚେଷ୍ଟା କରିବେ ଆଉ କେତେ ପରିମାଣର ଝାଳବୁହା ପରିଶ୍ରମ କରିବେ ତାହା ଆଗାମୀ ନିର୍ବାଚନରେ ଜଣାପଡିଯିବ ।

Get real time updates directly on you device, subscribe now.