fbpx

ଆଗକୁ ଅସଲ ଲଢ଼େଇ, ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ବିପର୍ଯ୍ୟୟ ଆଣି ପାରନ୍ତି ଅମରିନ୍ଦର

ନୂଆଦିଲ୍ଲୀ: ଭାରତବର୍ଷରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଜନୀତିର ନୂଆ ନୂଆ ଝଲକ ଦେଖିବାକୁ ମିଳୁଛି । ସଂପ୍ରତି ପଞ୍ଜାବ ରାଜନୀତି ଉପରେ ସମସ୍ତଙ୍କର ନଜର ରହିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ଆଜି ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେବେ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦରକୁ ହଟାଇ କଂଗ୍ରେସ ଯେଉଁ ଗୋଟିଚାଳନା କରିଛି, ତାହା କେତେଦୂର ଲାଭଦାୟକ ହେଉଛି ତାହା ଆସନ୍ତା ୨୦୨୨ ଫେବୃଆରୀ ବିଧାନସଭା ନିର୍ବାଚନରେ ଜଣାପଡ଼ିଛି । ନିର୍ବାଚନକୁ ଆଉ ମାତ୍ର ୫ ମାସ ବାକିଥିବା ବେଳେ ଅମରିନ୍ଦର କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଅମରିନ୍ଦରଙ୍କର ବିକଳ୍ପ କ’ଣ ତାହା ସ୍ପଷ୍ଟ ହୋଇନାହିଁ । ସେ ନୂଆ ଦଳ ଗଢ଼଼ିବେ କି ବିଜେପି ଆଡ଼କୁ ଢଳିବେ ତାହା ଜଣାପଡ଼ିନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସୁସମ୍ପର୍କ କାରଣରୁ ସେ ବିଜେପି ନେତାଙ୍କ ସହ ଯୋଗସୂତ୍ର ରକ୍ଷା କରିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସମଗ୍ର ଦେଶରେ କଂଗ୍ରେସର ଅବସ୍ଥା ଦୟନୀୟ ହୋଇପଡ଼ିଥିବା ବେଳେ କ୍ୟାପ୍ଟେନଙ୍କ ସୁଚତୁର ରଣନୀତି ପାଇଁ କଂଗ୍ରେସ ରାଜ୍ୟରେ କ୍ଷମତା ବଜାୟ ରଖିବାରେ ସକ୍ଷମ ହୋଇପାରିଥିଲା । ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଥିବା ବେଳେ କଂଗ୍ରେସ ପାଇଁ ରାସ୍ତା କଠିନ ହେବ ବୋଲି ଅନୁମାନ କରାଯାଉଛି । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ସମୟରେ ତୀବ୍ର ଛକାପଞ୍ଝା ଦେଖିବାକୁ ମିଳିଥିଲା । ଏଥିରୁ ସହଜରେ ଅନୁମାନ କରିହୁଏ ଯେ, ଆଗକୁ କ’ଣ ଘଟିବାକୁ ଯାଉଛି । ଅନ୍ୟପଟେ ରାଜ୍ୟରେ ଆମ୍ ଆଦମୀ ପାର୍ଟି ସ୍ଥିତି ମଜବୁତ ପ୍ରୟାସରେ ରହିଥିବା ବେଳେ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେରୁ ଜଣାପଡ଼ିଛି । ତେବେ ଯାହା ହେଉ, ଅମରିନ୍ଦରଙ୍କ ପାଇଁ ଯଦି କଂଗ୍ରେସ ଆଗାମୀ ନିର୍ବାଚନରେ ଖରାପ ପ୍ରଦର୍ଶନ କରେ, ତେବେ କଂଗ୍ରେସ ପାଇଁ ଏହା ନିଜ ଗୋଡ଼ରେ କୁରାଢ଼ୀ ମାରିବା ସହ ସମାନ ହେବ ।

Get real time updates directly on you device, subscribe now.