ଦୀପାବଳି ପୂର୍ବରୁ ଅମୁଲ ଦେଲା ବଡ଼ ଝଟକା, ଘିଅ ଓ ବଟର ଦରରେ ବୃଦ୍ଧି, ଜାଣନ୍ତୁ ନୂଆ ରେଟ୍
ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ଝଟକା ଦେଇଛି ଅମୁଲ। କମ୍ପାନୀ ଘିଅ ଓ ବଟରର ଦାମ୍ ବୃଦ୍ଧି କରିଛି।
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ମିଠା ଓ ପିଠାପଣା ପ୍ରସ୍ତୁତି ପାଇଁ ଯଦି ଘିଅ ଓ ବଟର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ୍ ଉପରେ ପଡ଼ିବ ଅଧିକ ବୋଝ। ପାର୍ବଣ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି ଅମୁଲ।
କମ୍ପାନୀ ପକ୍ଷରୁ ଘିଅ ଓ ବଟରର ଦାମ୍ ବଢ଼ାଇ ଦିଆଯାଇଛି। ଏବେ ଗୋଟିଏ କିଲୋ ଘିଅ କିଣିବାକୁ ଗ୍ରାହକଙ୍କୁ ୬୮୦ ଟଙ୍କା ଗଣିବାକୁ ପଡ଼ିବ। ସେହିପରି ୫୦୦ ଗ୍ରାମ୍ ବଟର ପ୍ୟାକେଟ୍ର ଦାମ୍ ମଧ୍ୟ ୧୫ ଟଙ୍କା ବଢ଼ିଛି। ଫଳରେ ପାର୍ବଣ ସମୟରେ ଗ୍ରାହକଙ୍କ ଘରୋଇ ବଜେଟ୍ ଉପରେ ମହଙ୍ଗା ମାଡ଼ ପଡ଼ିବାକୁ ଯାଉଛି।
ଘିଅ କିଲୋ ପିଛା ୫୦ ଟଙ୍କା ବୃଦ୍ଧି: ନୂଆ ଦର ଅନୁସାରେ, ଅମୁଲର ୧ କିଲୋ ଘିଅ କାର୍ଟନ୍ର ମୂଲ୍ୟ ୬୩୦ ଟଙ୍କାରୁ ବଢ଼ି ୬୮୦ ଟଙ୍କା ହୋଇଛି। ଅର୍ଥାତ୍ ଗ୍ରାହକଙ୍କୁ ଏବେ ଗୋଟିଏ ପ୍ୟାକେଟ୍ ପାଇଁ ଅତିରିକ୍ତ ୫୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ୫୦୦ ଗ୍ରାମ୍ ପ୍ୟୁର୍ ଘିଅ ପାଉଚ୍ର ଦାମ୍ ୩୨୫ ଟଙ୍କାରୁ ବଢ଼ି ୩୪୫ ଟଙ୍କା ହୋଇଛି।
କେବଳ ଘିଅ ନୁହେଁ, ବଟର ଦର ମଧ୍ୟ ବଢ଼ିଛି। ୧୦୦ ଗ୍ରାମ୍ ବଟର ପ୍ୟାକେଟ୍ର ମୂଲ୍ୟ ୬୩ ଟଙ୍କାରୁ ବଢ଼ି ୬୬ ଟଙ୍କା ହୋଇଥିବା ବେଳେ ୫୦୦ ଗ୍ରାମ୍ ପ୍ୟାକେଟ୍ର ଦାମ୍ ୩୧୦ ଟଙ୍କାରୁ ବଢ଼ି ୩୨୫ ଟଙ୍କାରେ ପହଞ୍ଚିଛି।
ଅନଲାଇନ୍ରେ ଘିଅର ଦାମ୍ କେତେ: ଅନ୍ୟପଟେ ଅମୁଲର ଅନଲାଇନ୍ ପ୍ଲାଟଫର୍ମରେ ବିଭିନ୍ନ ପ୍ରକାର ଘିଅର ଦାମ୍ ମଧ୍ୟ ଅଲଗା ଅଲଗା ରହିଛି। ଦି ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ, ଅମୁଲର ଗାଈ ଘିଅ ଲିଟର ପିଛା ୭୪୦ ଟଙ୍କା, ସାଗର ଘିଅ ୭୧୦ ଟଙ୍କା, ପ୍ୟୁର୍ ଘିଅ ୭୦୦ ଟଙ୍କା ଏବଂ ମଇଁଷି ଘିଅ ୭୨୦ ଟଙ୍କାରେ ତାଲିକାଭୁକ୍ତ ହୋଇଛି।
ତେବେ ଏଠାରେ ମଧ୍ୟ ଗ୍ରାହକଙ୍କୁ ନିରାଶ ହେବାକୁ ପଡ଼ିପାରେ। କାରଣ ଅନଲାଇନ୍ ପ୍ଲାଟଫର୍ମରେ ପ୍ୟୁର୍ ଘିଅ, ମଇଁଷି ଘିଅ ଓ କିଛି କମ୍ବୋ ପ୍ୟାକ୍ ଆଉଟ୍ ଅଫ୍ ଷ୍ଟକ୍ ଦେଖାଯାଉଥିଲା। ଅର୍ଥାତ୍ ଦର ବୃଦ୍ଧି ସହ କିଛି ସ୍ଥାନରେ ଯୋଗାଣ ସମସ୍ୟା ମଧ୍ୟ ଗ୍ରାହକଙ୍କ ଚିନ୍ତା ବଢ଼ାଇପାରେ।
କାହିଁକି ବଢ଼ିଲା ଘିଅର ଚାହିଦା: ଗୁଜରାଟ ଓ ପଡ଼ୋଶୀ ରାଜ୍ୟ ରାଜସ୍ଥାନରେ ନକଲି ଓ ଅପମିଶ୍ରିତ ଘିଅ ଉତ୍ପାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ବ୍ରାଣ୍ଡେଡ୍ ଘିଅର ଚାହିଦା ବଢ଼ିଥିବା ରିପୋର୍ଟରେ କୁହାଯାଇଛି। ବିଶେଷ କରି ଅମୁଲର ଗାଈ ଘିଅ ପାଇଁ ଅଧିକ ଚାହିଦା ଦେଖାଯାଉଛି। ଫଳରେ କିଛି ବଜାରରେ ଏହାର ଅଭାବ ମଧ୍ୟ ଦେଖାଦେଇଛି।
ସେପଟେ ୨୦୨୫ ସେପ୍ଟେମ୍ବରରେ ଜିଏସ୍ଟି ହ୍ରାସ ହେବା ପରେ ଡାଏରୀ ଉତ୍ପାଦ ଉପରେ ଟିକସ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇଥିଲା। ଏହାଦ୍ୱାରା ଗ୍ରାହକଙ୍କୁ ମିଳିଥିବା ଆଶ୍ୱସ୍ତି ଏବେ ଦର ବୃଦ୍ଧି ଯୋଗୁଁ ଅନେକାଂଶରେ କମିଯାଇଛି।
ଦୀପାବଳି ବଜେଟ୍ରେ ପଡ଼ିବ ମହଙ୍ଗା ମାଡ଼: ଦୀପାବଳି ଆସିଲେ ପ୍ରାୟ ପ୍ରତ୍ୟେକ ଘରେ ମିଠା, ନମକିନ୍ ଓ ବିଭିନ୍ନ ପ୍ରକାରର ପିଠାପଣା ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ଘିଅ ଓ ବଟରର ବ୍ୟବହାର ମଧ୍ୟ ଅଧିକ ହୁଏ। ଏଭଳି ସମୟରେ ଦୁଇଟି ଅତ୍ୟାବଶ୍ୟକ ଡାଏରୀ ଉତ୍ପାଦର ଦର ବୃଦ୍ଧି ଗ୍ରାହକଙ୍କ ପାର୍ବଣ ବଜେଟ୍କୁ ପ୍ରଭାବିତ କରିପାରେ।
ଗୋଟିଏ ପଟେ ଅଧିକ ଦାମ୍ ଦେଇ ଘିଅ ଓ ବଟର କିଣିବାକୁ ପଡ଼ିବ, ଅନ୍ୟପଟେ କିଛି ବଜାରରେ ଏହି ଉତ୍ପାଦର ଅଭାବ ମଧ୍ୟ ଚିନ୍ତା ବଢ଼ାଉଛି। ତେଣୁ ଏଥର ଦୀପାବଳିରେ ମିଠାର ମିଠାସ୍ଠାରୁ ଘିଅ ଓ ବଟରର ମହଙ୍ଗା ଦାମ୍ ହିଁ ଗ୍ରାହକଙ୍କୁ ଅଧିକ ଚିନ୍ତାରେ ପକାଇପାରେ।


