ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ
୩ ବର୍ଷିଆ ସହଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଜ୍ୟରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଷ୍ଟ୍ରାଟେଜିକ ଓ ଟେକ୍ନୋ-ମ୍ୟାନେଜରିଆଲ ସହାୟତା ପ୍ରଦାନ କରିବା
ଭୁବନେଶ୍ୱର: ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଟାଟା ଷ୍ଟିଲ ଫାଉଣ୍ଡେସନ୍ ଓ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ (ପିରାମଲ୍ ଫାଉଣ୍ଡେସନ୍ର ଏକ ସଂସ୍ଥା) ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି।
ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଆଇଏଏସ ଅବସ୍ଥି ଏସ୍., ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ସଚିବ ଆଇଏଏସ୍ ଡା. ବୃନ୍ଦା ଡି, ଜାତୀୟ ସ୍ୱାସ୍ଥ୍ୟ ମିଶନ (ଓଡ଼ିଶା)ର ମିଶନ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ରବୀନ୍ଦ୍ରନାଥ ମିଶ୍ର, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ଜନସ୍ୱାସ୍ଥ୍ୟ ମୁଖ୍ୟ ଡା. ଅନୁଜ ଭଟ୍ଟନାଗର ଓ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ୍ର କୋର୍ ଟିମ୍ ସଦସ୍ୟ ଡା. ସୁନିଲ ବାବୁ ପ୍ରମୁଖ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।
ଏହି ୩ ବର୍ଷିଆ ସହଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଜ୍ୟରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଷ୍ଟ୍ରାଟେଜିକ ଓ ଟେକ୍ନୋ-ମ୍ୟାନେଜରିଆଲ ସହାୟତା ପ୍ରଦାନ କରିବା। ଏହା ବିଶେଷ ଭାବରେ ପ୍ରଜନନ, ନବଜାତ, ମାତୃ, ଶିଶୁ, କିଶୋରୀ ସ୍ୱାସ୍ଥ୍ୟ ଓ ପୋଷଣ (ଆର୍ସଏମ୍ଏନ୍ସିଏଏଚ୍+ଏନ୍) ଏବଂ ଯକ୍ଷ୍ମା (ଟିବି) ଓ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବ।
Uttarakhand Govt.
ଏହି ପ୍ରକଳ୍ପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ସହିତ ମିଶି ସଂସ୍ଥାଗତ ଦକ୍ଷତା ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ ସେବା ଯୋଗାଣ, ହେଲ୍ଥ ଗଭର୍ନାନ୍ସ, ସ୍ୱାସ୍ଥ୍ୟ ମାନବ ସମ୍ବଳ, ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟ ଏବଂ ସ୍ୱାସ୍ଥ୍ୟ ପରିଚାଳନାରେ ତଥ୍ୟ-ଆଧାରିତ ନିଷ୍ପତ୍ତି ଗ୍ରହଣକୁ ପ୍ରୋତ୍ସାହିତ କରିବ।
ଏହି ପ୍ରକଳ୍ପ ପ୍ରମାଣ-ଆଧାରିତ ଯୋଜନା, ଲକ୍ଷ୍ୟଧାର୍ଯ୍ୟ କାର୍ଯ୍ୟାନ୍ୱୟନ ଏବଂ ସମୁଦାୟର ଭାଗିଦାରୀ ମାଧ୍ୟମରେ ସ୍ୱାସ୍ଥ୍ୟ ଶାସନ ପ୍ରଣାଳୀକୁ ସୁଦୃଢ଼ କରିବ। ଏହାସହ ଡିଜିଟାଲ୍ ଓ ନୂତନ ମଡେଲ୍ ଗୁଡ଼ିକର ବ୍ୟବହାର କରି ଆର୍ମଏମ୍ଏନ୍ସିଏଏଚ୍+ଏନ୍, ଯକ୍ଷ୍ମା ଏବଂ ମ୍ୟାଲେରିଆ ନିୟନ୍ତ୍ରଣରେ ସେବା ଯୋଗାଣର ଦକ୍ଷତା ବୃଦ୍ଧି କରିବ।
ଏହି ସହଯୋଗିତା ଅଧୀନରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓଡ଼ିଶାର ୧୬ଟି ଜିଲ୍ଲାରେ କୌଶଳଗତ ଓ ବୈଷୟିକ ସହାୟତା ଯୋଗାଇଦେବ ଏବଂ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ୍ ଅବଶିଷ୍ଟ ୧୪ଟି ଜିଲ୍ଲାରେ କାର୍ଯ୍ୟ କରିବ। ଏହି ପ୍ରକଳ୍ପ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରାଥମିକତା ଏବଂ ପର୍ଯ୍ୟାୟକ୍ରମିକ କାର୍ଯ୍ୟକାରୀ ଯୋଜନା ଅନୁଯାୟୀ ସମ୍ପାଦିତ ହେବ।
ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ (ଓଡ଼ିଶା)ର ମିଶନ ନିର୍ଦ୍ଦେଶକ ଆଇଏଏସ୍ ଡା. ବୃନ୍ଦା ଡି. କହିଛନ୍ତି, “ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ସବୁବେଳେ ଓଡ଼ିଶାରେ ଆରଆଏମ୍ଏନ୍ସିଏଏଚ୍+ଏନ୍ କ୍ଷେତ୍ରରେ ସୁଧାର ଆଣିବା ଉପରେ ଗୁରୁତ୍ୱ ଦେଇଆସିଛି। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ କୈବଲ୍ୟ ଏଜୁକେସନ୍ ଫାଉଣ୍ଡେସନ୍ ଭଳି ଅନୁଷ୍ଠାନ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଖୁସି ପ୍ରକାଶ କରୁଛୁ। ସେମାନଙ୍କର ବ୍ୟବସ୍ଥାଗତ ସୁଦୃଢ଼ୀକରଣ ଓ କାର୍ୟ୍ୟାନ୍ୱୟନ ଅଭିଜ୍ଞତା ଆମର ପ୍ରଚେଷ୍ଟାକୁ ଆହୁରି ଗତିଶୀଳ କରିବ। ଏହି ସହଯୋଗିତା ରାଜ୍ୟ ଓ ଜିଲ୍ଲାସ୍ତରରେ ଉନ୍ନତ ଯୋଜନା, ମନିଟରିଂ, ଶାସନ ଏବଂ ଦକ୍ଷତା ବୃଦ୍ଧି ମାଧ୍ୟମରେ ଆର୍ଏମ୍ଏନ୍ସିଏଏଚ୍+ଏନ୍ ଫଳାଫଳକୁ ଆହୁରି ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ।”
ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ସୌରଭ ରୟ କହିଛନ୍ତି, “ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଏହି ସହଯୋଗିତା, ସାମାଜିକ ଆହ୍ୱାନଗୁଡ଼ିକର ସମାଧାନ ଏବଂ ରାଜ୍ୟସାରା ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ଆମର ମିଳିତ ସଂକଳ୍ପକୁ ଆଗକୁ ନେଉଛି। ଏହି ଭାଗିଦାରୀ ମାଧ୍ୟମରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସୁବିଧା, ବିଶେଷ କରି ଅବହେଳିତ ଓ ଦୁର୍ବଳ ବର୍ଗର ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ଏକ ସୁସ୍ଥ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବାରେ ଆମେ ଯୋଗଦାନ ଦେବାକୁ ଆଶା ରଖିଛୁ।”

