କାଳ ହେଲା କ୍ଲୋରୋକୁଇନ୍! ୭ ବର୍ଷର ଝିଅ ମୃତ, ମେଡିକାଲରେ ୫୨ ଗାଁ ଲୋକ
କ୍ଲୋରୋକୁଇନ ଟାବଲେଟ୍ ଖାଇବା ପରେ ପ୍ରାୟ ୫୨ ଜଣ ଗାଁ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଶିଶୁ। ମାଡିଭି ଜମୁନା ନାମକ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି
ପୋଲାଭରମ: ମ୍ୟାଲେରିଆରୁ ବଞ୍ଚିବା ପାଇଁ କ୍ଲୋରୋକୁଇନ୍ ଖାଇଥିଲେ। ହେଲେ ଜୀବନ ବଞ୍ଚାଇବା ପରିବର୍ତ୍ତେ କ୍ଲୋରୋକୁଇନ୍ ଜଣେ ୭ ବର୍ଷର ଝିଅର ଜୀବନ ନେଲା। ୫୨ ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଘଟଣା ଆନ୍ଧ୍ରପ୍ରଦେଶ ଏଟାପାକା ମଣ୍ଡଳର ଗୋଲ୍ଲାଗୁପ୍ପା ଗାଁରେ ଘଟିଛି।
ଏଟାପାକା ମଣ୍ଡଳର ଗୋଲ୍ଲାଗୁପ୍ପା ଗାଁରେ ମ୍ୟାଲେରିଆ ବ୍ୟାପିଥିଲା। ଉକ୍ତ ଗାଁରେ ୫ରୁ ଅଧିକ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ସ୍ଥିତି ଭୟଙ୍କର ହେବା ପୂର୍ବରୁ ପ୍ରତିଷେଧକ ଭାବେ ମଙ୍ଗଳବାର ଲକ୍ଷ୍ମୀପୁରମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଗୋଲ୍ଲାଗୁପ୍ପା ଗାଁର ୭୧ ଜଣଙ୍କୁ କ୍ଲୋରୋକୁଇନ ଟାବଲେଟ୍ ଖାଇବାକୁ ଦେଇଥିଲେ।
କ୍ଲୋରୋକୁଇନ ଟାବଲେଟ୍ ଖାଇବା ପରେ ପ୍ରାୟ ୫୨ ଜଣ ଗାଁ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଶିଶୁ। ମାଡିଭି ଜମୁନା ନାମକ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସମସ୍ତଙ୍କୁ ଏଟାପାକା ମଣ୍ଡଳର ଲକ୍ଷ୍ମୀପୁରମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ୨୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରାଚଳମ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ରହିଛି।
ପୋଲାଭରମ ଜିଲ୍ଲାପାଳ କେ. ଦିନେଶ କୁମାର ଗଣମାଧ୍ୟମକୁ କହିଛନ୍ତି, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ବିପଦମୁକ୍ତ ଅଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।
ଇଣ୍ଟିଗ୍ରେଟେଡ ଟ୍ରାଇବାଲ ଡେଭେଲପମେଣ୍ଟ ଏଜେନ୍ସିର ପ୍ରକଳ୍ପ ଅଧିକାରୀ ଶୁଭମ ନୋକୱାଲ କହିଛନ୍ତି, ମାଡିଭି ଜମୁନା ନାମକ ଜଣେ ଝିଅର ମୃତ୍ୟୁ ହୋଇଛି। ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି।


