ପ୍ରେମିକ ସହ ମିଶି ଜଙ୍ଗଲରେ ପତ୍ନୀ ରଚିଲା ବର୍ବର କାଣ୍ଡ, ଡିଜିଟାଲ ପ୍ରମାଣରୁ ଖୋଲିଲା ଗୁମର, ଲାଇଭ୍ ଲୋକେସନ୍ ପାଲଟିଲା ଜରିଆ

ପ୍ରେମିକ ସହ ମିଶି ଜଙ୍ଗଲରେ ପତ୍ନୀ ରଚିଲା ବର୍ବର କାଣ୍ଡ, ଡିଜିଟାଲ ପ୍ରମାଣରୁ ଖୋଲିଲା ଗୁମର

ଓଡ଼ିଶା ଭାସ୍କର ଡେସ୍କ: ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି । ଜଣେ ମହିଳା ନିଜର କଥିତ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଉଭୟଙ୍କୁ ଗିରଫ କରିଛି ।

ଅମାବାସ୍ୟା ଅବସରରେ ଆଶୀର୍ବାଦ ନେବା ପାଇଁ ମନ୍ଦିର ଯିବାର ଏହି କାର୍ଯ୍ୟକ୍ରମ ପ୍ରକୃତରେ ଏକ ସୁଚିନ୍ତିତ ହତ୍ୟାକାଣ୍ଡର ଯୋଜନା ଥିଲା । ପୋଲିସ ସୂଚନା ଅନୁଯାୟୀ, ଡିଜିଟାଲ ପ୍ରମାଣ, ସିସିଟିଭି ଫୁଟେଜ୍ ଏବଂ ବୈଷୟିକ ବିଶ୍ଳେଷଣ ସାହାଯ୍ୟରେ ମାତ୍ର କେଇ ଘଣ୍ଟା ମଧ୍ୟରେ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇପାରିଛି ।

ପ୍ରେମ ପାଇଁ ସ୍ୱାମୀ ସାଜିଲେ ବାଧକ: ମୃତକ ଜଣକ ହେଉଛନ୍ତି ୨୩ ବର୍ଷୀୟ ରମେଶ, ଯିଏକି ତାମିଲନାଡୁର କୃଷ୍ଣଗିରି ଜିଲ୍ଲା ସୁଲାଗିରି ଅଞ୍ଚଳର ବାସିନ୍ଦା ଥିଲେ । ସେ ହୋସୁରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ପ୍ରାୟ ଦୁଇ ବର୍ଷ ପୂର୍ବେ ଶାନ୍ତିପୁରମର ୧୯ ବର୍ଷୀୟା ହସିନୀଙ୍କ ସହ ତାଙ୍କର ବିବାହ ହୋଇଥିଲା ଏବଂ ସେମାନଙ୍କର ଏକ ଛୋଟ ଝିଅ ମଧ୍ୟ ଅଛି ।

ସମ୍ପର୍କୀୟଙ୍କ ନଜରରେ ସବୁକିଛି ସ୍ୱାଭାବିକ ଥିଲା, କିନ୍ତୁ ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ବିବାହ ପରେ ବି ହସିନୀଙ୍କର ତାଙ୍କ ପିଲାଦିନର ସାଙ୍ଗ ୨୦ ବର୍ଷୀୟ ଯୁଗନ୍ଧର ସହ ପ୍ରେମ ସମ୍ପର୍କ ରହିଥିଲା । ଏହି କାରଣରୁ ଉଭୟ ମିଶି ରମେଶଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ।

ଲାଇଭ୍ ଲୋକେସନ ସେୟାର୍ କରିଥିଲେ ସ୍ତ୍ରୀ: ହତ୍ୟାକାଣ୍ଡର ଯୋଜନା ମୁତାବକ, ହସିନୀ ଗତ ମଙ୍ଗଳବାର ଦିନ ରମେଶଙ୍କୁ ଗୁଡୁପଲ୍ଲେ ମଣ୍ଡଳର ମଲ୍ଲପ୍ପା କୋଣ୍ଡା ପାହାଡ଼ ଚୂଡ଼ାରେ ଥିବା ‘ଶ୍ରୀ ମଲ୍ଲେଶ୍ୱର ସ୍ୱାମୀ ମନ୍ଦିର’ ଯିବା ପାଇଁ ବାଧ୍ୟ କରିଥିଲେ ।

Uttarakhand Govt.

ଯେତେବେଳେ ରମେଶ ନିଜ ପତ୍ନୀ ଓ ଛୋଟ ଝିଅ ସହ ବାଇକ୍‌ରେ ଯାଉଥିଲେ, ହସିନୀ ଲଗାତାର ଫୋନ୍‌ ମାଧ୍ୟମରେ ପ୍ରେମିକ ଯୁଗନ୍ଧର ସହ ନିଜର ଲାଇଭ୍ ଲୋକେସନ ସେୟାର କରୁଥିଲେ । ଏହାଦ୍ୱାରା ହତ୍ୟାକାରୀମାନଙ୍କୁ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହଜ ହୋଇଥିଲା ।

ଛୋଟ ଝିଅ ଆଗରେ ଘଟିଲା ବର୍ବର କାଣ୍ଡ: ତଦନ୍ତକାରୀଙ୍କ ଅନୁଯାୟୀ, ପାହାଡ଼ ରାସ୍ତାର ତୃତୀୟ ହେୟାରପିନ୍ ବାଙ୍କ ନିକଟରେ ହତ୍ୟାକାଣ୍ଡ ଘଟାଇବାକୁ ସ୍ଥିର ହୋଇଥିଲା । ହସିନୀ ଜାଣିଶୁଣି ନିଜର ହ୍ୟାଣ୍ଡବ୍ୟାଗ୍‌ଟିକୁ ତଳେ ପକାଇ ଦେଇଥିଲେ, ଯାହାକୁ ଉଠାଇବା ପାଇଁ ରମେଶ ମୋଟରସାଇକେଲ ଅଟକାଇଥିଲେ ।

ଠିକ୍ ସେହି ସମୟରେ ପୂର୍ବରୁ ଲୁଚି ରହିଥିବା ଯୁଗନ୍ଧର ଓ ତାର ସହଯୋଗୀମାନେ ବାହାରକୁ ଆସି ରମେଶଙ୍କୁ ଜଙ୍ଗଲ ଭିତରକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ସବୁଠାରୁ ଦୁଃଖଦ କଥା ହେଉଛି, ଯେତେବେଳେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଥିଲା, ସେତେବେଳେ ଉଭୟଙ୍କର ନିଷ୍ପାପ ଝିଅ ପାଖରେ ହିଁ ଉପସ୍ଥିତ ଥିଲା ।

ଧରାପଡ଼ିଲା ପତ୍ନୀର ଯୋଜନା: ହସିନୀ, ତାର ଝିଅ ଓ ସ୍ଵାମୀ ରମେଶ ଘରକୁ ନଫେରିବାରୁ ହସିନୀଙ୍କ ମା’ ଚିନ୍ତିତ ହୋଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମନ୍ଦିର ରାସ୍ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ଫୁଟେଜ୍‌ରେ ଦେଖାଯାଇଥିଲା ଯେ ରମେଶ ନିଜ ପତ୍ନୀ ସହ ମନ୍ଦିର ଯାଇଥିଲେ, କିନ୍ତୁ ଫେରିବା ବେଳେ ହସିନୀ ରମେଶଙ୍କ ବାଇକ୍‌ରେ ଅନ୍ୟ ଦୁଇଜଣ ପୁରୁଷଙ୍କ ସହ ସେହି ଅଞ୍ଚଳ ଛାଡ଼ି ଯାଉଛନ୍ତି । ଏହାପରେ ପୋଲିସ ମୋବାଇଲ୍ ଫୋନ୍ ରେକର୍ଡ, ଲୋକେସନ ଡାଟା ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରମାଣ ଆଧାରରେ ରମେଶଙ୍କ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

ପୋଲିସ ଏବେ ମୃତକଙ୍କ ପତ୍ନୀ, ତାର ପ୍ରେମିକ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରି ଜେରା କରୁଛି । ଏହା ସହିତ ବିବାହ ସମୟରେ ହସିନୀ ନାବାଳିକା ଥିଲେ ଓ ୯ମ ଶ୍ରେଣୀରେ ପଢୁଥିଲେ ବୋଲି ଗ୍ରାମବାସୀ ଦାବି କରୁଥିବାରୁ, ପୋଲିସ ଏହାର ମଧ୍ୟ ତଦନ୍ତ କରୁଛି । ଯଦି ଏହି ଦାବି ସତ ପ୍ରମାଣିତ ହୁଏ, ତେବେ ବାଲ୍ୟ ବିବାହ ନିରୋଧ ଆଇନ ଅନୁଯାୟୀ ଭିନ୍ନ ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି ।