fbpx

ଅନୀଲ ଦେଶମୁଖ ମାଗିଲେ ସମୟ… ଦୁର୍ନୀତି ମାମଲାରେ ଇଡି କରିଥିଲା ସମନ୍

ମୁମ୍ବାଇ: ଆର୍ଥିକ ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଫସିଛନ୍ତି । ଇତି ମଧ୍ୟରେ ତାଙ୍କ ପିଏ ଓ ବ୍ୟକ୍ତିଗତ ସଚିବ ଗିରଫ ହୋଇଥିବାବେଳେ ଅନୀଲ ଓକିଲ ଜରିେଆରେ ମାଗିଛନ୍ତି ସମୟ । ତାଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ସମନ୍ ଜାରି ହୋଇଥିଲା କିନ୍ତୁ ସେ ନିଜେ ଉପସ୍ଥିତ ନହୋଇ ଓକିଲ ସହାୟତାରେ ସମୟ ମାଗିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ୧୦୦ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିବାବେଳେ ୪ କୋଟିର ପ୍ରାମାଣିକ ଆଧାରକୁ ଭିତ୍ତିକରି ଇଡି ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଏହି ଅଭିଯୋଗରେ ଅନୀଲ ଦେଶମୁଖଙ୍କର ଦୁଇଜଣ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ ମଧ୍ୟ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡ୍ରିଙ୍ଗ୍ ଆକ୍ଟ୍’ ଅନୁଯାୟୀ ପ୍ରାୟ ୯ ଘଣ୍ଟା ଜେରା କରିବା ପରେ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡେ ଏବଂ ବ୍ୟକ୍ତିଗତ ସହଯୋଗୀ କୁନ୍ଦନ ସିନେ୍ଧଙ୍କୁ ଗିରଫ କରାଯାଇଛି । କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ମୁମ୍ବାଇସ୍ଥିତ ବାଲାର୍ଡ ଇଷ୍ଟେଟ୍ରେ ଥିବା କାର୍ଯ୍ୟାଳୟରେ ଜେରା ବେଳେ ଦୁହେଁ ସହଯୋଗ କରି ନ ଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି । ଆଜି ସେମାନଙ୍କୁ ‘ପିଏମ୍ଏଲ୍ଏ’ର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ । ଏହା ସହ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ଅନୀଲ ଦେଶମୁଖଙ୍କୁ ଆଜି ୧୧ଟା ବେଳେ ହାଜର ହେବାକୁ ସମନ୍ ଜାରି କରିଥିବାବେଳେ ସେ ଉପସ୍ଥିତ ହୋଇନଥିଲେ । ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶମୁଖଙ୍କ ଘରେ ଚଢ଼ଉ ମଧ୍ୟ କରିଥିଲା ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରାୟ ୧୨ଜଣ ବାର୍ ମାଲିକଙ୍କ ଠାରୁ ଅଳ୍ପ କିଛି ମାସ ତଳେ ପୂର୍ବତନ ସହକାରୀ ଇନ୍ସ୍ପେକ୍ଟର ସଚିନ ୱାଜେଙ୍କ ଦ୍ୱାରା ୪ କୋଟି ଆଦାୟ ହୋଇଥିବା କଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ପ୍ରମାଣ ପାଇଛନ୍ତି ।

Get real time updates directly on you device, subscribe now.