ଅନ୍ନା ହଜାରେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁମ୍ବାଇ ହସ୍ପିଟାଲର ICUରେ ଭର୍ତ୍ତି

ସାମାଜିକ କର୍ମୀ ଅନ୍ନା ହଜାରେଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବା କାରଣରୁ ତାଙ୍କୁ ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କିଡ୍‌ନୀ ସଂକ୍ରମଣରେ ପୀଡ଼ିତ ଥିବା ଜଣାପଡ଼ିଛି।

ମୁମ୍ବାଇ: ସାମାଜିକ କର୍ମୀ ଅନ୍ନା ହଜାରେଙ୍କ ସ୍ୱାସ୍ଥ୍ୟବସ୍ଥା ସୋମବାର ଅପରାହ୍ଣରେ ହଠାତ୍‌ ଖରାପ ହୋଇଯିବାରୁ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ରର ରାଲେଗାଁ ସିଦ୍ଧିର ଏକ ସ୍ଥାନୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ହଠାତ୍‌ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ମୁମ୍ବାଇ ଅଣାଯାଇଛି।

ଭାଇରାଲ୍‌ ସଂକ୍ରମଣ, ଶରୀରରେ ପାଣିର ଅଭାବ ଏବଂ କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ପରେ ଏହି ବର୍ଷୀୟାନ ଗାନ୍ଧୀବାଦୀ ସାମାଜିକ କର୍ମୀଙ୍କୁ କାର୍ଡିଆକ୍‌ ଆମ୍ବୁଲାନ୍ସରେ ମୁମ୍ବାଇର ବମ୍ବେ ହସ୍ପିଟାଲକୁ ଅଣାଯାଇଥିଲା। ୮୯ ବର୍ଷୀୟ ଅନ୍ନା ହଜାରେଙ୍କ ଚିକିତ୍ସା ଡାକ୍ତର ଗୌତମ ଭନସାଲଙ୍କ ତତ୍ତ୍ୱାବଧାନରେ ଚାଲିଛି।

ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ଆବଶ୍ୟକ ମେଡିକାଲ୍‌ ପରୀକ୍ଷା ଆରମ୍ଭ କରିଛନ୍ତି। ଏଥିରେ କିଡ୍‌ନୀର କାର୍ଯ୍ୟକ୍ଷମତା ପରୀକ୍ଷା ମଧ୍ୟ ସାମିଲ ରହିଛି। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆହୁରି ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।

ଗତ ସପ୍ତାହରେ ମଧ୍ୟ ଅନ୍ନା ହଜାରେଙ୍କୁ ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଯୋଗୁ ଶିରୁରର ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୩ ଦିନ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା। ତେବେ ଚିକିତ୍ସା ସମୟରେ ତାଙ୍କ କ୍ରିଏଟିନିନ୍‌ ସ୍ତର ବଢ଼ିଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ।

ଦୁର୍ନୀତି ବିରୋଧୀ ଆନ୍ଦୋଳନ ଓ ସାମାଜିକ ସଂସ୍କାର ପାଇଁ ପରିଚିତ ଅନ୍ନା ହଜାରେ ୨୦୧୧ ମସିହାର ଦୁର୍ନୀତି ବିରୋଧୀ ଆନ୍ଦୋଳନ ପରେ ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ସେତେବେଳେ ଏକ ଶକ୍ତିଶାଳୀ ଲୋକପାଳ ଆଇନ ଲାଗୁ କରିବା ଦାବିରେ ସେ ଅନଶନ କରିଥିଲେ।

ନିକଟରେ ଅନ୍ନା ହଜାରେ, NEET ପେପର ଲିକ୍‌କୁ ନେଇ ଜନ୍ତର ମନ୍ତରରେ କକରୋଚ୍‌ ଜନତା ପାର୍ଟି (CJP) ନେତୃତ୍ୱରେ ହୋଇଥିବା ବିକ୍ଷୋଭକୁ ସମର୍ଥନ କରିଥିଲେ। ଜୁଲାଇ ୨୦ରେ ବିକ୍ଷୋଭକାରୀମାନେ ସଂସଦ ଆଡ଼କୁ ଯାଉଥିବା ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ସେ ନିନ୍ଦା କରିଥିଲେ।

ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀଙ୍କ ସହ ସରକାର ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ହିଂସା ଓ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଖବରକୁ ସେ ‘ଦୁଃଖଦାୟକ’ ବୋଲି କହିଥିଲେ। ଗଣତନ୍ତ୍ରରେ ହିଂସା, ସରକାରୀ ସମ୍ପତ୍ତି ନଷ୍ଟ କରିବା ଏବଂ ଅଯଥା ବଳ ପ୍ରୟୋଗର ସ୍ଥାନ ନାହିଁ ବୋଲି ସେ କହିଥିଲେ।

ବିକ୍ଷୋଭକାରୀଙ୍କ ସମର୍ଥନରେ ଅନ୍ନା ହଜାରେ ଜନ୍ତର ମନ୍ତରରେ ୨ ଘଣ୍ଟା ଧରି ନିରବ ବିକ୍ଷୋଭ ମଧ୍ୟ କରିଥିଲେ। ଜୁଲାଇ ୨୩ରେ ସେ ସକାଳ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ନିରବ ବିକ୍ଷୋଭ କରି ବିକ୍ଷୋଭକାରୀଙ୍କ ପ୍ରତି ନିଜ ସମର୍ଥନ ଜଣାଇଥିଲେ।

ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ମଧ୍ୟ ଅନ୍ନା ହଜାରେ କହିଥିଲେ ଯେ ଜନକଲ୍ୟାଣକୁ ସର୍ବଦା ପ୍ରାଥମିକତା ଦିଆଯିବା ଉଚିତ। କିନ୍ତୁ ସମସ୍ୟାର ସମାଧାନ ହିଂସା ନୁହେଁ, ବରଂ ଆଲୋଚନା ଓ ଶାନ୍ତିପୂର୍ଣ୍ଣ ଉପାୟରେ କରାଯିବା ଦରକାର। ଲୋକମାନେ କ’ଣ ଚାହୁଁଛନ୍ତି ତାହା ବୁଝି ସେମାନଙ୍କ କଲ୍ୟାଣ ପାଇଁ କାମ କରିବା ଜରୁରୀ ବୋଲି ସେ କହିଥିଲେ। କୌଣସି ମନ୍ତ୍ରୀଙ୍କ ଇସ୍ତଫା ଦାବି ଭଳି ବିଷୟ ମଧ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ଉଠାଇବା ଉଚିତ ବୋଲି ଅନ୍ନା ହଜାରେ କହିଥିଲେ।