fbpx

ଚିଲିକାର ମଇଁଷି କ୍ଷୀରରେ ରହିଛି କ୍ୟାନସର ପ୍ରତିରୋଧୀ ଉପାଦାନ: ୭ ବର୍ଷର ରିସର୍ଚ୍ଚ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କର୍କଟ ରୋଗକୁ ନେଇ ଓଡ଼ିଶାରୁ ଏକ ନୂଆ ଖବର ସାମ୍ନାକୁ ଆସିଛି । ଚିଲିକା ମଇଁଷିଙ୍କ କ୍ଷୀରରେ ରହିଛି ଏକ ସ୍ୱତନ୍ତ୍ର ରୋଗପ୍ରତିଷଧକ ଉପାଦାନ । ଏଥିପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି । ହରିୟାଣାର ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଏଭଳି ରିପୋର୍ଟ ଆସିଛି । ଚିଲିକା ମଇଁଷିଙ୍କ କ୍ଷୀର ଓ ଦହିରେ ଓଭେଗା ଥ୍ରି ଫ୍ୟାଟି ଏସିଡ୍ ରହିଥିବା ଜଣାପଡ଼ିଛି । ତେବେ ଗବେଷଣାରୁ ଏଭଳି ତଥ୍ୟ ମିଳିବା ପରେ ଏବେ ଚିଲିକାକୁ ବୈଜ୍ଞାନିକଙ୍କ ଛୁଅ ଛୁଟିବାରେ ଲାଗିଛି ।

ମଣିଷଙ୍କ ଶରୀରରେ ୪୬ଟି ଗୁଣସୂତ୍ର ରହିଥିବା ବେଳେ ଚିଲିକା ମଷିଁଙ୍କ ଠାରେ ୪୮ଟି ରହିଛି । ଅନ୍ୟ ଅଞ୍ଚଳର ଗାଈ, ମଇଁଷିଙ୍କ କ୍ଷୀରରୁ ପ୍ରସ୍ତୁତ ଦହି ଦୁଇ/ ତିନି ଦିନରେ ଖଟା ହୋଇଯାଉଥିବା ବେଳେ ଚିଲିକା ମଇଁଷିଙ୍କ ଦହି ୫-୭ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହୁଥିବା ଜଣାପଡ଼ିଛି । ଚିଲିକାରେ ରହୁଥିବା ମଇଁଷିମାନେ ଅଳ୍ପ ମଧୁର ଲୁଣିପାଣି ପିଇବା ସହ ଚିଲିକାର ଦଳ ଓ ଘାସ ଖାଉଛନ୍ତି । ତେଣୁ ସେମାନଙ୍କଠାରେ ଅନେକ ରୋଗ ପ୍ରତିରୋଧକ ଶକ୍ତି ରହିଥିବା ରିସର୍ଚ୍ଚରୁ ଜଣାପଡ଼ିଛି ।

ମଇଁଷି କ୍ଷୀରରେ ଏଭଳି ଅନେକ ଉପକାରୀ ଉପାଦାନ ରହିଥିବାରୁ ତାହା ମଣିଷ ଶରୀର ପାଇଁ ବରଦାନ ସଦୃଶ ହେବ ବୋଲି ଜଣାପଡ଼ିଛି । ମଇଁଷି କ୍ଷୀରରେ କର୍କଟ ପ୍ରତିରୋଧୀ ଉପାଦାନ ରହିଥିବା ନେଇ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଓ ନ୍ୟାସନାଲ ବ୍ୟୁରୋ ଅପ୍ ଆନିମଲ ଜେନେଟିକ୍ ରିସୋର୍ସେସ (ଏନବିଏଜିଆର)ର ଜଣେ ବୈଜ୍ଞାନିକ ସୂଚନା ଦେଇଛନ୍ତି ।

ସାରା ଦେଶରେ ବର୍ତ୍ତମାନ ୧୯ ପ୍ରକାରର ମଇଁଷି ରହୁଥିବା ବେଳେ ଚିଲିକାର ମଇଁଷି ସ୍ୱତନ୍ତ୍ର ପ୍ରଜାତିର ବୋଲି କୁହାଯାଇଛି । ଦୀର୍ଘ ୭ ବର୍ଷ ଧରି ମଇଁଷିଙ୍କ କ୍ଷୀର ଓ ଦହିକୁ ନେଇ ରିସର୍ଚ୍ଚ କରିବା ପରେ ବୈଜ୍ଞାନିକମାନେ ଏହି ସଫଳତା ପାଇଥିବା କୁହାଯାଉଛି । ଚିଲିକା ମଇଁଷିଙ୍କ ଡିମାଣ୍ଡ ହଠାତ୍ ବଢ଼ିବାରେ ଲାଗିଥିବା ବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟ ଏହା ଉପରେ ଗବେଷଣା ଜାରି ରଖିଛି । ଏହି ଖବର ପ୍ରଘଟ ହେବା ପରେ ମଇଁଷି ପାଳକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

Get real time updates directly on you device, subscribe now.