iPhone ୟୁଜର୍ସ ସାବଧାନ! iCloud ଷ୍ଟୋରେଜ୍ ନାଁରେ ହେଉଛି ବଡ଼ ଠକେଇ

ନୂଆଦିଲ୍ଲୀ :ଯଦି ଆପଣଙ୍କ ପାଖକୁ ଏମିତି କୌଣସି ଇମେଲ୍ ଆସିଛି, ଯେଉଁଥିରେ ଆପଣଙ୍କ iCloud ଷ୍ଟୋରେଜ୍ ଫୁଲ୍ ହୋଇଯାଇଥିବା ଦାବି କରାଯାଇଛି, ତେବେ ଏହି ଇମେଲ୍‌କୁ ତୁରନ୍ତ ଡିଲିଟ୍ କରିଦେବା ହିଁ ଭଲ। ସାଇବର ଅପରାଧୀମାନେ ଆଇଫୋନ୍ ବ୍ୟବହାରକାରୀଙ୍କୁ ଏଭଳି ମେସେଜ୍ ପଠାଉଛନ୍ତି, ଯାହା ଦେଖିବାକୁ ପୁରା ଅସଲି ପରି ଲାଗୁଛି। ସାଧାରଣ ଲୋକେ ଏହା ଆପଲ୍ କମ୍ପାନୀ ପଠାଇଛି ନା ସ୍କାମରମାନେ, ତାହା ପାର୍ଥକ୍ୟ କରିପାରୁନାହାନ୍ତି। ଏହି ଇମେଲ୍‌ରେ କୁହାଯାଉଛି କି ଷ୍ଟୋରେଜ୍ ଭରିଯାଇଥିବାରୁ ଆପଣଙ୍କର ଫଟୋ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡାଟା ଡିଲିଟ୍ ହୋଇଯିବ। ଏଥିରୁ ବଞ୍ଚିବା ପାଇଁ ବ୍ୟବହାରକାରୀଙ୍କୁ ଇମେଲ୍‌ରେ ଦିଆଯାଇଥିବା ଏକ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ କୁହାଯାଉଛି, କିନ୍ତୁ ଏହା କରିବା ଏକ ବଡ଼ ଭୁଲ୍ ହୋଇପାରେ। ଗ୍ରାହକ ସୁରକ୍ଷା ଗ୍ରୁପଗୁଡ଼ିକ ଚେତାବନୀ ଦେଇଛନ୍ତି କି ଏହି ସ୍କାମ୍ ବିଶ୍ୱବ୍ୟାପୀ ଆପଲ୍ ବ୍ୟବହାରକାରୀଙ୍କୁ ଟାର୍ଗେଟ୍ କରୁଛି। ଏହି ନକଲି ଆଲର୍ଟଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣଙ୍କର ପାସୱାର୍ଡ, ବ୍ୟାଙ୍କ ସୂଚନା ଏବଂ ବ୍ୟକ୍ତିଗତ ତଥ୍ୟ ଚୋରି କରିବା।

ଗଲ୍ଫ (Gulf) ରିପୋର୍ଟ ଅନୁସାରେ, ଏହି ନକଲି ଇମେଲ୍‌ଗୁଡ଼ିକରେ ସାଧାରଣତଃ ଦାବି କରାଯାଉଛି କି ଆପଣଙ୍କ iCloud ଷ୍ଟୋରେଜ୍ ସୀମା ଶେଷ ହୋଇଯାଇଛି। ଏବେ ବ୍ୟବହାରକାରୀମାନେ ଏହାକୁ ତୁରନ୍ତ ଅପଗ୍ରେଡ୍ କରିନେବା ଉଚିତ, ନଚେତ୍ ସେମାନେ ନିଜର ବ୍ୟାକଅପ୍, ଫଟୋ ଏବଂ ଫାଇଲ୍ ହରାଇ ପାରନ୍ତି। ୟୁଜର୍ସଙ୍କୁ ଏଭଳି ଚେତାବନୀ ମଧ୍ୟ ଦିଆଯାଉଛି କି ଯଦି ସେମାନେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟ ସସପେଣ୍ଡ୍ କରିଦିଆଯିବ କିମ୍ବା ଡାଟା ସବୁଦିନ ପାଇଁ ଡିଲିଟ୍ ହୋଇଯିବ।

ସାଧାରଣତଃ ଏହି ଇମେଲ୍‌ରେ ଏକ ବଟନ୍ କିମ୍ବା ଲିଙ୍କ୍ ଦିଆଯାଇଥାଏ, ଯାହାକୁ ଦେଖିଲେ ଲାଗେ ଯେମିତି ଏହା ଷ୍ଟୋରେଜ୍ ଅପଗ୍ରେଡ୍ କରିବା ପାଇଁ ବା ଆକାଉଣ୍ଟ୍ ପରିଚାଳନା କରିବା ପାଇଁ ଦିଆଯାଇଛି। କିନ୍ତୁ ପ୍ରକୃତରେ, ଏହା ବ୍ୟବହାରକାରୀଙ୍କୁ ଏମିତି କିଛି ‘ଫିସିଂ’ (Phishing) ୱେବସାଇଟ୍‌କୁ ନେଇଯାଏ, ଯାହାକୁ କେବଳ ପେମେଣ୍ଟ୍ ସୂଚନା ଏବଂ ଲଗ୍‌ଇନ୍ ଆଇଡି-ପାସୱାର୍ଡ ଚୋରି କରିବା ପାଇଁ ତିଆରି କରାଯାଇଥାଏ।

ଦି ଗାର୍ଡିଆନ୍ (The Guardian) ରିପୋର୍ଟ ଅନୁସାରେ, ଏହି ଇମେଲ୍‌ଗୁଡ଼ିକରେ ଏକ ବଟନ୍ ଥାଏ, ଯାହା ଉପରେ କ୍ଲିକ୍ କରି ଆପଣ ନିଜର iCloud ଷ୍ଟୋରେଜ୍ ଅପଗ୍ରେଡ୍ କରିପାରିବେ ବୋଲି କୁହାଯାଏ। ଏହାର ଅର୍ଥ ହେଉଛି ଆପଣ ନିଜର ପେମେଣ୍ଟ୍ ଡିଟେଲ୍ସ (Payment Details) ସେମାନଙ୍କୁ ଦେଉଛନ୍ତି।

ଯଦି ଆପଣ ନିଜ ବ୍ୟାଙ୍କ ସୂଚନା ଦିଅନ୍ତି ବା ପେମେଣ୍ଟ୍ କରନ୍ତି, ତେବେ ଏହି ଠକମାନେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିବାକୁ ଚେଷ୍ଟା କରିପାରନ୍ତି କିମ୍ବା ଆପଣଙ୍କ ତଥ୍ୟକୁ ‘ଡାର୍କ ୱେବ୍’ରେ ଅନ୍ୟ ଅପରାଧୀଙ୍କୁ ବିକ୍ରି କରିଦେଇ ପାରନ୍ତି। କିଛି ଇମେଲ୍‌ର ଶେଷରେ ତ “The iCloud Team” ବୋଲି ମଧ୍ୟ ଲେଖାଯାଇଥାଏ ଏବଂ ସେଗୁଡ଼ିକ ଦେଖିବାକୁ ପୁରା ଆପଲ୍ (Apple) ର ଅସଲି ଡିଜାଇନ୍ ଭଳି ହୋଇଥାଏ।

ଏଗୁଡ଼ିକ କାହିଁକି ଅସଲି ପରି ଲାଗନ୍ତି? ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଏହି ସ୍କାମ୍ ଇମେଲ୍‌ଗୁଡ଼ିକ ପ୍ରାୟତଃ ଆପଲ୍‌ର ଅସଲି ଷ୍ଟୋରେଜ୍ ନୋଟିଫିକେସନ୍‌କୁ ସମ୍ପୂର୍ଣ୍ଣ ନକଲ କରିଥାନ୍ତି। ଏହି କାରଣରୁ ବ୍ୟବହାରକାରୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ମନେରଖନ୍ତୁ, ଆପଲ୍‌ର ଅସଲି ଇମେଲ୍‌ରେ ସାଧାରଣତଃ ଆପଣଙ୍କୁ କୌଣସି ଲିଙ୍କ୍ ଉପରେ କ୍ଲିକ୍ କରି ସିଧାସଳଖ ପେମେଣ୍ଟ୍ ଡିଟେଲ୍ସ ଦେବା ପାଇଁ କୁହାଯାଏ ନାହିଁ।

ଆପଲ୍ ବ୍ୟବହାରକାରୀମାନେ କ’ଣ କରିବା ଉଚିତ? ଅଧିକାରୀ ଏବଂ ଗ୍ରାହକ ସୁରକ୍ଷା ସଂଗଠନଗୁଡ଼ିକ ୟୁଜର୍ସଙ୍କୁ ଏହି ସବୁ ପରାମର୍ଶ ଦେଉଛନ୍ତି:

  • କୌଣସି ବି ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ

  • ସନ୍ଦେହଜନକ ମେସେଜ୍ ବା ଇମେଲ୍‌କୁ ତୁରନ୍ତ ଡିଲିଟ୍ କରିଦିଅନ୍ତୁ

  • ନିଜର ବ୍ୟକ୍ତିଗତ କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ ସୂଚନା କାହା ସହ ଶେୟାର କରନ୍ତୁ ନାହିଁ

  • ଇମେଲ୍ ବଦଳରେ ସିଧାସଳଖ ନିଜ ଫୋନ୍‌ର ସେଟିଂସ (Settings) କୁ ଯାଇ iCloud ଷ୍ଟୋରେଜ୍ ଚେକ୍ କରନ୍ତୁ।