ଅର୍ଜୁନ ସମ୍ମାନରେ ସମ୍ମାନିତ ହେବେ ୧୭ ସ୍ପୋର୍ଟ୍ସ ଷ୍ଟାର, ଦିବ୍ୟା-ତେଜସ୍ୱିନ-ଗାୟତ୍ରୀଙ୍କୁ ସ୍ୱୀକୃତି

୨୦୨୬ ବର୍ଷ ପାଇଁ ପ୍ରକାଶ ପାଇଛି ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ୧୭ ଜଣ ଖେଳାଳିଙ୍କ ନାମ, ଦିବ୍ୟା ଦେଶମୁଖ, ତେଜସ୍ୱିନ ଶଙ୍କର, ଗାୟତ୍ରୀ ଗୋପୀଚାନ୍ଦ ଆଦି ପ୍ରମୁଖ ଖେଳାଳୀଙ୍କ ନାମ ରହିଛି...

ଭୁବନେଶ୍ୱର: ପ୍ରକାଶ ପାଇଛି ୨୦୨୬ ବର୍ଷ ପାଇଁ ପ୍ରତିଷ୍ଠିତ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ୧୭ ଜଣ ଖେଳାଳିଙ୍କ ନାମ। ଏହା ମଧ୍ୟରୁ ଚେସ୍ ଷ୍ଟାର ଦିବ୍ୟା ଦେଶମୁଖ, ଆଥଲେଟ୍ ତେଜସ୍ୱିନ ଶଙ୍କର ଏବଂ ବ୍ୟାଡମିଣ୍ଟନ ଖେଳାଳି ଗାୟତ୍ରୀ ଗୋପୀଚାନ୍ଦ ସାମିଲ ଅଛନ୍ତି।

କ୍ରୀଡା ମନ୍ତ୍ରଣାଳୟ ମଙ୍ଗଳବାର ଦିନ ପୁରସ୍କାର ପାଇଁ ମନୋନୀତ ଖେଳାଳିଙ୍କ ନାମ ଘୋଷଣା କରିଛି। ତାଲିକାରେ ଗ୍ରାଣ୍ଡମାଷ୍ଟର ବିଦିତ ଗୁଜରାଥି, ବ୍ୟାଡମିଣ୍ଟନ ଖେଳାଳି ତ୍ରିଶା ଜଲି, ବକ୍ସର ନରେନ୍ଦ୍ର ଏବଂ ବଧିର ରାଇଫଲ୍ ସୁଟର ଧନୁଷ ଶ୍ରୀକାନ୍ତ ଅଛନ୍ତି। ୧୯୬୨ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଫୁଟବଲ୍ ଖେଳାଳି ଆଇ. ଅରୁମାନ୍ୟଗମଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଅର୍ଜୁନ ପୁରସ୍କାର ମିଳିବ।

ଭାରତର ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର, ଦିବ୍ୟା ଦେଶମୁଖ ୨୦୨୫ ମସିହାରେ ଜର୍ଜିଆର ବାଟୁମିରେ ମହିଳା ବିଶ୍ୱକପ୍ ଜିତିବା ପରେ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି, ତେଜସ୍ୱିନ ଶଙ୍କର ଡେକାଥଲନରେ କାଂସ୍ୟ ପଦକ ଜିତି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ।

ପୁରସ୍କୃତ ତାଲିକାରେ ଚେସ୍, ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ବକ୍ସିଂ, ସୁଟିଂ ଏବଂ ଫୁଟବଲ୍ ସମେତ ବିଭିନ୍ନ ଖେଳର ପ୍ରତିଭା ଅନ୍ତର୍ଭୁକ୍ତ। ତଥାପି, କୌଣସି ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖିଲରତ୍ନ ପୁରସ୍କାର 2026 ପାଇଁ ମନୋନୀତ କରାଯାଇ ନାହିଁ।