ପ୍ରଥମ ରାତିରେ ହିଁ ଭାଙ୍ଗିଗଲା ବାହାଘର: ସ୍ତ୍ରୀଙ୍କ ଗୋଟିଏ ସତ ପାଇଁ ଯୁବକଙ୍କର ଗଲା ୨ ବର୍ଷ ଓ ୧୦ ଲକ୍ଷ ଟଙ୍କା!
ପ୍ରଥମ ରାତିରେ ଭାଙ୍ଗିଲା ସଂସାର! ୨ ବର୍ଷର ଲଢ଼େଇ, ୧୦ ଲକ୍ଷର ଝଟ୍କା!
ଓଡ଼ିଶା ଭାସ୍କର ଡେସ୍କ: ଭାରତୀୟ ସମାଜରେ ଆରେଞ୍ଜଡ ମ୍ୟାରେଜ୍ କୁ ନେଇ ଅନେକ ଆଶା ଓ ସ୍ୱପ୍ନ ରହିଥାଏ। ମାତ୍ର ବାହାଘରର ପ୍ରଥମ ଦିନରେ ହିଁ ଯଦି ସବୁ ସ୍ୱପ୍ନ ତାସ ଘର ଭଳି ଭାଙ୍ଗିଯାଏ, ତେବେ କ’ଣ ହେବ? ସୋସିଆଲ ମିଡିଆରେ ଜଣେ ଯୁବକଙ୍କ କାହାଣୀ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି କିପରି ୮ ମାସର କଥାବାର୍ତ୍ତା ପରେ ହୋଇଥିବା ବିବାହ ପ୍ରଥମ ରାତିରେ ହିଁ ଶେଷ ହୋଇଗଲା।
ପତ୍ନୀ ସ୍ପଷ୍ଟ ଭାବେ କହିଦେଲେ ଯେ ସେ ପରିବାରର ଚାପରେ ପଡ଼ି ଏହି ବାହାଘର କରିଥିଲେ। ଏହାପରେ ଛାଡ଼ପତ୍ର ପାଇବା ପାଇଁ ସ୍ୱାମୀଙ୍କୁ ଦୀର୍ଘ ୨ ବର୍ଷ ସମୟ ଏବଂ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ @fintech_shark ନାମକ ଏକ ଆକାଉଣ୍ଟରୁ ଏହି ପୋଷ୍ଟ ଶେୟାର କରାଯାଇଛି, ଯାହା ମୂଳତଃ ‘ରେଡିଟ୍’ର ଏକ ପୋଷ୍ଟ ଉପରେ ଆଧାରିତ। ଏଥିରେ ଯୁବକ ଜଣକ ତାଙ୍କ ବିଫଳ ଆରେଞ୍ଜଡ ମ୍ୟାରେଜ୍ ବିଷୟରେ ଜଣାଇଛନ୍ତି।
ବିବାହ ପୂର୍ବରୁ ସେ ପ୍ରାୟ ୮ ମାସ ଧରି ତାଙ୍କ ଭାବି ପତ୍ନୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ବେଶ୍ ଭଲ ବୁଝାମଣା ଥିବା ଜଣାପଡ଼ୁଥିଲା। ବିବାହ ପୂର୍ବରୁ କୌଣସି ଶାରୀରିକ ସମ୍ପର୍କ ନ ରଖିବାକୁ ଝିଅଟି ଇଚ୍ଛା ପ୍ରକାଶ କରିଥିଲା, ଯାହାକୁ ଯୁବକ ଜଣକ ସମ୍ମାନ ଜଣାଇଥିଲେ।
ପ୍ରଥମରାତିରେ ହିଁ ଖୋଲିଲା ରହସ୍ୟ: ଅସଲ ମୋଡ଼ ସେତେବେଳେ ଆସିଥିଲା, ଯେତେବେଳେ ବାହାଘର ଶେଷ ହେବା ପରେ ଉଭୟ ରୁମ୍କୁ ଯାଇଥିଲେ। ଯୁବକଙ୍କ କହିବା ଅନୁଯାୟୀ, ପ୍ରଥମରାତିରେ ହିଁ ତାଙ୍କ ପତ୍ନୀ ଏକ ବଡ଼ ଖୁଲାସା କରିଥିଲେ। ପତ୍ନୀ ସ୍ପଷ୍ଟ କହିଥିଲେ ଯେ ସେ ତାଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ଏବଂ କେବଳ ବାପା-ମା’ଙ୍କ ଚାପରେ ପଡ଼ି ଏହି ବିବାହ କରିଛନ୍ତି।
ତାଙ୍କ ଘରଲୋକ ନିଜକୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିବାରୁ ସେ ବାଧ୍ୟ ହୋଇ ଚୁପ୍ ରହିଥିଲେ। ଏପରିକି ପତ୍ନୀ କହିଥିଲେ ଯେ ସ୍ୱାମୀ ଚାହିଁଲେ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିପାରିବେ, ମାତ୍ର ସ୍ୱାମୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜକୁ ଦୂରେଇ ରଖିଥିଲେ।
୨ ବର୍ଷର ଲଢ଼େଇ ଏବଂ ୧୦ ଲକ୍ଷର କ୍ଷତି: ଏହି ଘଟଣା ପରେ ଦୁହିଁଙ୍କ ରାସ୍ତା ଅଲଗା ହୋଇଗଲା ଏବଂ କଥା ଛାଡ଼ପତ୍ର ପର୍ଯ୍ୟନ୍ତ ପହଞ୍ଚିଲା। ଏହି ମାମଲା ସମାଧାନ ହେବା ଏବଂ ଛାଡ଼ପତ୍ର ମିଳିବାରେ କେତେ ସମୟ ଓ ଟଙ୍କା ଲାଗିଲା ବୋଲି ଜଣେ ସୋସିଆଲ ମିଡିଆ ୟୁଜର ପଚାରିବାରୁ ପୀଡ଼ିତ ଯୁବକ ଜଣକ କହିଥିଲେ ଯେ, ଏଥିପାଇଁ ତାଙ୍କୁ ପୂରା ୨ ବର୍ଷ ସମୟ ଲାଗିଥିଲା। ଏହା ବ୍ୟତୀତ ଆଲିମନି ଏବଂ ଆଇନଗତ ପ୍ରକ୍ରିୟାରେ ତାଙ୍କର ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।
ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା: ଏକ୍ସ ଏବଂ ରେଡିଟ୍ରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଇଣ୍ଟରନେଟ୍ରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଅନେକ ୟୁଜର୍ସ ପୁରୁଷ ଅଧିକାର ଏବଂ ଭାରତୀୟ ଆଇନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, “୨ ବର୍ଷ ନଷ୍ଟ ହେଲା ଏବଂ ୧୦ ଲକ୍ଷ ଟଙ୍କା ବି ଗଲା, ଏବେ ଭାରତରେ ଏଭଳି ପୁଅମାନଙ୍କ ପାଇଁ ପୁନର୍ବାର ବିବାହ କରିବା ବହୁତ କଷ୍ଟକର।”
ସେହିପରି ଅନ୍ୟ କିଛି ୟୁଜରଙ୍କ ମତରେ, ଯେହେତୁ କୌଣସି ଶାରୀରିକ ସମ୍ପର୍କ ସ୍ଥାପନ ହୋଇନଥିଲା, ତେଣୁ ଛାଡ଼ପତ୍ର ବଦଳରେ ବିବାହ ରଦ୍ଦ ପାଇଁ ଆବେଦନ କରାଯାଇ ପାରିଥାନ୍ତା।


