ଗର୍ଲଫ୍ରେଣ୍ଡ ସହ ଗୋଟିଏ ବସରେ ଯାଇ ବିବାଦ ଘେରରେ ଅର୍ଶଦୀପ, ଭାଙ୍ଗିଲେ BCCI ନିୟମ, ଏବେ ଗଣିବେ ତଣ୍ଡ

ଗର୍ଲଫ୍ରେଣ୍ଡ ସହ ଗୋଟିଏ ବସ ଯାଇ ବିବାଦ ଘେରରେ ଅର୍ଶଦୀପ, ଭାଙ୍ଗିଲେ BCCI ନିୟମ

Arshdeep Singh: ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବେ ବଡ଼ ଅଡ଼ୁଆରେ ଫସିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋ ଅନୁଯାୟୀ, ଅର୍ଶଦୀପ ନିଜ ଗାର୍ଲଫ୍ରେଣ୍ଡ ସମରୀନ କୌରଙ୍କ ସହ ପଞ୍ଜାବ କିଙ୍ଗସର ‘ଟିମ୍ ବସ୍’ରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି ଯେ, ଅର୍ଶଦୀପ କ’ଣ ବିସିସିଆଇର କଡ଼ା ନିୟମକୁ ଅଣଦେଖା କରିଛନ୍ତି?

କ’ଣ ରହିଛି BCCI ର ନିୟମ?

ବିସିସିଆଇର ନିୟମ ଅନୁଯାୟୀ, କୌଣସି ବି ଖେଳାଳିଙ୍କ ପରିବାର ସଦସ୍ୟ କିମ୍ବା ବନ୍ଧୁ ଟିମ୍ ବସରେ ଯାତ୍ରା କରିପାରିବେ ନାହିଁ। ଖେଳାଳିଙ୍କ ପରିଜନଙ୍କ ପାଇଁ ଫ୍ରାଞ୍ଚାଇଜ୍ ପକ୍ଷରୁ ଅଲଗା ବସ୍ ବ୍ୟବସ୍ଥା କରାଯାଇଥାଏ। ନିକଟରେ ବିସିସିଆଇ ସମସ୍ତ ଦଳକୁ ଏନେଇ ସତର୍କ କରାଇଥିଲା।

ସୂଚନାଯୋଗ୍ୟ ଯେ, କୌଣସି ଜଣେ ଖେଳାଳିଙ୍କ ଗାର୍ଲଫ୍ରେଣ୍ଡ ଦଳର ଗୋପନୀୟ ତଥ୍ୟ ବାହାରେ ଲିକ୍ କରିଥିବା ଅଭିଯୋଗ ଆସିବା ପରେ ବୋର୍ଡ ଏହି ନିୟମକୁ ନେଇ ଅଧିକ କଠୋର ହୋଇଛି।

ଅର୍ଶଦୀପ ଏବଂ ସମରୀନଙ୍କ ଚର୍ଚ୍ଚା

ଅର୍ଶଦୀପ ଏବଂ ସମରୀନଙ୍କୁ ନେଇ ଚର୍ଚ୍ଚା ଏତିକିରେ ସୀମିତ ନାହିଁ। ନିକଟରେ ଦୁହିଁଙ୍କୁ ମ୍ୟାକଲୋଡଗଞ୍ଜର ରାସ୍ତାରେ ବୁଲୁଥିବାର ଦେଖାଯାଇଥିଲା। ତେବେ ଟିମ୍ ବସରେ ଏକାଠି ବସିଥିବା ଫଟୋ ସାମ୍ନାକୁ ଆସିବା ପରେ ଖେଳାଳିଙ୍କ ଅନୁଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଞ୍ଜାବ କିଙ୍ଗସର ଚିନ୍ତା ବଢ଼ାଇଲା କ୍ରମାଗତ ପରାଜୟ

ଅନ୍ୟପଟେ ମୈଦାନରେ ପଞ୍ଜାବ କିଙ୍ଗସର ପ୍ରଦର୍ଶନ ଗ୍ରାଫ୍ ତଳକୁ ଖସିବାରେ ଲାଗିଛି। ପ୍ରଥମ ୭ଟି ମ୍ୟାଚ୍‌ରେ ଅପରାଜୟ ରହିବା ପରେ ପଞ୍ଜାବ ଏବେ ଲଗାତାର ୪ଟି ମ୍ୟାଚ୍ ହାରିସାରିଛି। ରାଜସ୍ଥାନ ରୟାଲ୍ସ, ଗୁଜରାଟ ଟାଇଟନ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପଞ୍ଜାବ ପରାସ୍ତ ହୋଇଛି।  ପଞ୍ଜାବର ପରବର୍ତ୍ତୀ ମ୍ୟାଚ୍ ୧୪ ମେ’ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି। ଏହାପରେ ଦଳ ଆରସିବି ଏବଂ ଲକ୍ଷ୍ନୌ ସହ ମୁହାଁମୁହିଁ ହେବ।

ଅର୍ଶଦୀପଙ୍କ ଏହି ବିବାଦ ପରେ ବିସିସିଆଇ କିମ୍ବା ପଞ୍ଜାବ କିଙ୍ଗସ ପକ୍ଷରୁ କୌଣସି ଆଧିକାରିକ ବୟାନ ଆସିନାହିଁ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଏଭଳି ବିବାଦ ଦଳର ମନୋବଳ ଉପରେ ପ୍ରଭାବ ପକାଇପାରେ।