fbpx

ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରାଜ୍ୟ ଆଇନ ସଚିବଙ୍କୁ ASIର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୋଲିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ କରାଯିବ । ଗତ ୮ ତାରିଖରେ ଏଏସଆଇ ଏହି ଚିଠି ଲେଖିଥିବା ଜଣାପଡ଼ିଛି । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ରାଜ୍ୟ ଆଇନ ବିଭାଗ ସଚିବଙ୍କୁ ମଧ୍ୟ ଏଏସଆଇ ଚିଠି ଲେଖିଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଅଳଙ୍କାରକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ସନ୍ଦେହ ବଢ଼ିଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାରର ହଜିଥିବା ଚାବି ପ୍ରସଙ୍ଗ ଉପରୁ ପରଦା ହଟିନାହିଁ । ବାସ୍ତବରେ ଚାବି ହଜିଥିଲା ନା ନାହିଁ, ସେନେଇ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଚାବି ହଜିବା ନେଇ ଜିଲ୍ଲାପାଳ କି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ କୌଣସି ଚିଠି କରାଯାଇ ନଥିଲା । ତେଣୁ ଏହା ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି ।

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୧୭ ଜଣିଆ କମିଟି ଗଠନ କରିଥିଲେ । ଉକ୍ତ କମିଟି ୨୦୧୮ ଏପ୍ରିଲରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ । ମାତ୍ର ଯାଞ୍ଚ ପାଇଁ ଯାଇଥିବା ଦଳ ଅଧାରୁ ଫେରି ଆସିଥିଲେ । ରତ୍ନଭଣ୍ଡାର ଅସୁରକ୍ଷିତ ରହିଥିବା ଉକ୍ତ କମିଟି ରିପୋର୍ଟ ଦେଇଥିଲେ । ୨୦୧୮ ଜୁନରେ ତକ୍ରାଳୀନ ଜିଲ୍ଲାପାଳ ହଜିଥିବା ଚାବି ମିଳିଯାଇଥିବା ଗଣମାଧ୍ୟମକୁ କହିଥିଲେ । ତେବେ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବି ନ ଦେଖାଇ କେବଳ ଲଫାପା ଦେଖାଇ ଛଳନା କରିଥିବା ଜଣେ ସୂଚନା ଅଧିକାର କର୍ମୀ କହିଥିଲେ ।

Get real time updates directly on you device, subscribe now.