କୁସ୍ତିରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ; ଶେଷ ମୁହୂର୍ତ୍ତରେ ଅମନଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ
ଫାଇନାଲ୍ ମୁକାବିଲା ଆରମ୍ଭରୁ ଦୁଇ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଅମନ ନିଜର ଫୁର୍ତ୍ତି ଓ ଚମତ୍କାର କୌଶଳ ବଳରେ ପ୍ରଥମ ପଏଣ୍ଟ ହାସଲ କରିଥିଲେ। ଏହାପରେ ଇଞ୍ଜୁରି ବ୍ରେକ୍ ପରେ ଆକ୍ରମଣକୁ ଜୋରଦାର କରି ସ୍କୋରକୁ ୬-୧ରେ ପହଞ୍ଚାଇଥିଲେ।
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିଥିବା ଅମନ ସେହରାୱତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିର ଫାଇନାଲ୍ରେ ବର୍ତ୍ତମାନର ବିଶ୍ୱ ଚାମ୍ପିୟନ୍ ଉତ୍ତର କୋରିଆର ହାନ୍ ଚୋଙ୍ଗ-ସୋଙ୍ଗଙ୍କୁ ୧୧-୭ ପଏଣ୍ଟରେ ପରାସ୍ତ କରି ସେ ଏହି ଗୌରବ ହାସଲ କରିଛନ୍ତି।
ଫାଇନାଲ୍ ମୁକାବିଲା ଆରମ୍ଭରୁ ଦୁଇ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଅମନ ନିଜର ଫୁର୍ତ୍ତି ଓ ଚମତ୍କାର କୌଶଳ ବଳରେ ପ୍ରଥମ ପଏଣ୍ଟ ହାସଲ କରିଥିଲେ। ଏହାପରେ ଇଞ୍ଜୁରି ବ୍ରେକ୍ ପରେ ଆକ୍ରମଣକୁ ଜୋରଦାର କରି ସ୍କୋରକୁ ୬-୧ରେ ପହଞ୍ଚାଇଥିଲେ। ଲାଗୁଥିଲା ଯେ ଅମନ ସହଜରେ ମ୍ୟାଚ୍ ଜିତିଯିବେ। କିନ୍ତୁ ହାନ୍ ଚୋଙ୍ଗ-ସୋଙ୍ଗ ମଧ୍ୟ ହାର ମାନିନଥିଲେ। ସେ ଲଗାତାର ଆକ୍ରମଣ କରି ଅମନଙ୍କୁ ଚାପରେ ପକାଇବା ସହ ସ୍କୋରରେ ଆଗୁଆ ହୋଇଯାଇଥିଲେ।
ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଅମନଙ୍କ ଉପରେ ଥିଲା ପ୍ରବଳ ଚାପ। ହେଲେ ଏହି ସମୟରେ ହିଁ ନିଜର ଅସଲ ଖେଳ ଦେଖାଇଥିଲେ ଭାରତୀୟ କୁସ୍ତିଯୋଦ୍ଧା। ମାତ୍ର କେଇ ସେକେଣ୍ଡରେ ଚମତ୍କାର ଦାଓପେଞ୍ଚ୍ ଖେଳି ପ୍ରତିପକ୍ଷଙ୍କୁ ମ୍ୟାଟ୍ରେ କାବୁ କରିବା ସହ ଲଗାତାର ପଏଣ୍ଟ ହାସଲ କରିଥିଲେ। ଶେଷରେ ୧୧-୭ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅମନଙ୍କ ଏହି ବିଜୟ କେବଳ ଏକ ପଦକ ନୁହେଁ, ବରଂ ଶେଷ ପର୍ୟ୍ୟନ୍ତ ଲଢ଼ିବାର ଏକ ଉଦାହରଣ ପାଲଟିଛି।
ଏସୀୟ କ୍ରୀଡ଼ାରେ ଅମନଙ୍କର ଏହା କ୍ରମାଗତ ଦ୍ୱିତୀୟ ପଦକ। ପୂର୍ବରୁ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ସେ ଏହି ବର୍ଗରେ ବ୍ରୋଞ୍ଜ୍ ପଦକ ଜିତିଥିଲେ। ଏଥର ନାଗୋୟାରେ ସେ ବ୍ରୋଞ୍ଜକୁ ସ୍ୱର୍ଣ୍ଣରେ ପରିଣତ କରିଛନ୍ତି। ଚଳିତ କ୍ରୀଡ଼ାରେ ସୁଜିତ କଲକଲଙ୍କ ପରେ ଫ୍ରିଷ୍ଟାଇଲ୍ କୁସ୍ତିରେ ଏହା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହୋଇଥିବା ବେଳେ କୁସ୍ତିରେ ଏହା ଭାରତର ଚତୁର୍ଥ ପଦକ।
ଅମନଙ୍କ ଏହି ସଫଳତା ପଛରେ ରହିଛି ତାଙ୍କର ଦୀର୍ଘ ଦିନର କଠିନ ପରିଶ୍ରମ ଓ ଅଭ୍ୟାସ। ୨୦୦୩ ଜୁଲାଇ ୧୬ ତାରିଖରେ ହରିୟାଣାର ଝାଜ୍ଜର ଜିଲ୍ଲାର ବିରୋହର ଗାଁରେ ଜନ୍ମ ହୋଇଥିବା ଅମନ ପିଲାଦିନରୁ କୁସ୍ତି ପ୍ରତି ଆକର୍ଷିତ ହୋଇଥିଲେ। ମାଟି ଆଖଡ଼ାରୁ ଆରମ୍ଭ ହୋଇଥିଲା ତାଙ୍କର କୁସ୍ତି ଯାତ୍ରା। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସୁଶୀଲ କୁମାରଙ୍କ ରୌପ୍ୟ ପଦକ ତାଙ୍କୁ ଏତେ ପ୍ରେରଣା ଦେଇଥିଲା ଯେ ମାତ୍ର ୧୦ ବର୍ଷ ବୟସରେ ସେ ଦିଲ୍ଲୀର ଛତ୍ରସାଲ୍ ଷ୍ଟାଡିୟମ୍ରେ ପହଞ୍ଚିଥିଲେ।
୧୧ ବର୍ଷ ବୟସରେ ଅମନଙ୍କ ଜୀବନରେ ଆସିଥିଲା ବଡ଼ ଦୁଃଖ। ଅଳ୍ପ ବୟସରେ ସେ ନିଜ ବାପା ଓ ମାଆଙ୍କୁ ହରାଇଥିଲେ। ଏହି ଦୁଃଖଦ ଘଟଣା ପରେ ଅମନ ଓ ତାଙ୍କ ସାନ ଭଉଣୀ ପୂଜାଙ୍କ ଦାୟିତ୍ୱ ଦାଦା ସୁଧୀର ଓ ପରିବାର ନେଇଥିଲେ। ମାଆଙ୍କ ମୃତ୍ୟୁ ପରେ ଅମନ ମାନସିକ ଚାପ ଓ ଅବସାଦ ସାମ୍ନା କରିଥିଲେ। ଏଭଳି କଠିନ ସମୟରେ କୁସ୍ତି ତାଙ୍କ ପାଇଁ ନିଜକୁ ଆଗକୁ ବଢ଼ାଇବାର ଏକ ମାଧ୍ୟମ ପାଲଟିଥିଲା।
ଛତ୍ରସାଲ୍ ଷ୍ଟାଡିୟମ୍ରେ କୋଚ୍ ଲଳିତ କୁମାରଙ୍କ ମାର୍ଗଦର୍ଶନରେ ସେ କୁସ୍ତିର ବିଭିନ୍ନ କୌଶଳ ଶିଖିଥିଲେ। ନିଜର ସମସ୍ତ ଶକ୍ତି ଓ ଧ୍ୟାନକୁ ଅଭ୍ୟାସରେ ଲଗାଇ ଧୀରେ ଧୀରେ ସଫଳତାର ପାହାଚ ଚଢ଼ିଥିଲେ। ଆଜି ସେହି ଅମନ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ଜିତିବା ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତି ଭାରତର ଗୌରବ ବଢ଼ାଇଛନ୍ତି।

