ଗୋଲ୍ଡ ଜିତିଲା ଟିମ୍ ଇଣ୍ଡିଆ; ହରମନପ୍ରୀତଙ୍କ ନାଁରେ ବଡ଼ ରେକର୍ଡ
ଫାଇନାଲ୍ ମୁକାବିଲାର ପ୍ରଥମ କ୍ୱାର୍ଟରରୁ ଉଭୟ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଆରମ୍ଭରେ ଭାରତ ସତର୍କ ରହିଥିଲେ ମଧ୍ୟ ଖୁବ୍ଶୀଘ୍ର ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ୧୧ତମ ମିନିଟ୍ରେ ଭାରତକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାର ହକି ମଇଦାନରେ ଗର୍ଜିଲା ଭାରତ! ଫାଇନାଲରେ ମ୍ୟାଲେସିଆକୁ ୫-୧ ଗୋଲ୍ରେ ପରାସ୍ତ କରି ଭାରତୀୟ ପୁରୁଷ ହକି ଟିମ୍ ଜିତିଛି ସ୍ୱର୍ଣ୍ଣ ପଦକ। ଏହା ସହ ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମଥର ପାଇଁ ଭାରତ ନିଜ ହକି ଗୋଲ୍ଡକୁ ଡିଫେଣ୍ଡ କରିବାରେ ସଫଳ ହୋଇଛି। ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତୀୟ ଦଳ ଫାଇନାଲ୍ରେ ମଧ୍ୟ ଦେଖାଇଛି ଦମ୍ଦାର ଖେଳ।
ଏହି ବିଜୟ ସହ ଅଧିନାୟକ ହରମନପ୍ରୀତ ସିଂହଙ୍କ ନାଁରେ ମଧ୍ୟ ଯୋଡ଼ି ହୋଇଛି ବଡ଼ ରେକର୍ଡ। କ୍ରମାଗତ ଦୁଇଟି ଏସୀୟ କ୍ରୀଡ଼ାରେ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦଳର ନେତୃତ୍ୱ ନେଇଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି ହରମନପ୍ରୀତ। ଏହାସହ ଏହି ବିଜୟ ଭାରତକୁ ୨୦୨୮ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଦେଇଛି।
ଫାଇନାଲ୍ ମୁକାବିଲାର ପ୍ରଥମ କ୍ୱାର୍ଟରରୁ ଉଭୟ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଆରମ୍ଭରେ ଭାରତ ସତର୍କ ରହିଥିଲେ ମଧ୍ୟ ଖୁବ୍ଶୀଘ୍ର ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ୧୧ତମ ମିନିଟ୍ରେ ଭାରତକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର। ସୁଯୋଗକୁ ହାତଛଡ଼ା କରିନଥିଲେ ଅଧିନାୟକ ହରମନପ୍ରୀତ। ତାଙ୍କର ଜବରଦସ୍ତ ଡ୍ରାଗ୍-ଫ୍ଲିକ୍ ସିଧା ଗୋଲ୍ପୋଷ୍ଟ ଭିତରକୁ ଯାଇଥିଲା। ଭାରତ ୧-୦ରେ ଆଗୁଆ ହୋଇଥିଲା।
ତିନି ମିନିଟ୍ ପରେ ମ୍ୟାଲେସିଆ ମ୍ୟାଚ୍କୁ ଫେରିଥିଲା। ଶେଲୋ ସିଲଭେରିୟସ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ କରି ସ୍କୋରକୁ ୧-୧ କରିଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମ୍ୟାଲେସିଆ ଭାରତ ଉପରେ ଚାପ ବଢ଼ାଇବାକୁ ଚେଷ୍ଟା କରିଥିଲା। ହେଲେ ୨୩ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଜୁଗରାଜ ସିଂହ ଗୋଲ୍ରେ ପରିଣତ କରିଥିଲେ। ଭାରତ ୨-୧ରେ ଆଗୁଆ ରହି ହାଫ୍ଟାଇମ୍କୁ ଯାଇଥିଲା।
ହେଲେ ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଫରୱାର୍ଡ ଲାଇନ୍ ମ୍ୟାଲେସିଆ ଡିଫେନ୍ସକୁ ପୂରା ଛାରଖାର କରିଦେଇଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ଉପଅଧିନାୟକ ହାର୍ଦ୍ଦିକ ସିଂହ ଗୋଲ୍କିପରଙ୍କୁ ଚକ୍ମା ଦେଇ ବଲ୍କୁ ଗୋଲ୍ପୋଷ୍ଟ ମଝିରେ ପହଞ୍ଚାଇଥିଲେ। ସ୍କୋର ହୋଇଥିଲା ୩-୧।
ଏହାପରେ ମ୍ୟାଲେସିଆ ପାଇଁ ମ୍ୟାଚ୍କୁ ଫେରିବା ଆହୁରି କଷ୍ଟକର ହୋଇପଡ଼ିଥିଲା। ୫୪ତମ ମିନିଟ୍ରେ ଅଭିଷେକ ବେସ୍ଲାଇନ୍ ଦ୍ରୁତ ଗତିରେ ଆଗକୁ ବଢ଼ି ଫାର୍ ପୋଷ୍ଟରେ ଥିବା ଶିଲାନନ୍ଦ ଲାକ୍ରାଙ୍କୁ ଏକ ସଠିକ୍ ପାସ୍ ଦେଇଥିଲେ। ଶିଲାନନ୍ଦ ଏହାକୁ ଗୋଲ୍ରେ ପରିଣତ କରି ସ୍କୋରକୁ ୪-୧ କରିଦେଇଥିଲେ।
ମ୍ୟାଚ୍ ଶେଷ ହେବାକୁ ଆଉ କିଛି ମିନିଟ୍ ବାକି ଥିବା ବେଳେ ଭାରତ ଆଉ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ପୁଣିଥରେ ଦାୟିତ୍ୱ ନେଇଥିଲେ ଅଧିନାୟକ ହରମନପ୍ରୀତ। ତାଙ୍କର ରକେଟ୍ ଭଳି ଦ୍ରୁତ ଡ୍ରାଗ୍-ଫ୍ଲିକ୍ ମ୍ୟାଲେସିଆର ଗୋଲ୍ପୋଷ୍ଟର ଟପ୍-ଲେଫ୍ଟ କର୍ଣ୍ଣରରେ ପଶିଯାଇଥିଲା। ସ୍କୋରବୋର୍ଡରେ ଚମକିଥିଲା ୫-୧।

