ଭାରତରେ ରହିଛି ଏସିଆର ସବୁଠାରୁ ସଫା ସହର; ଏଠାରେ ପ୍ଲାଷ୍ଟିକ ଉପରେ ବ୍ୟାନ ଲଗାଇଛନ୍ତି ଗ୍ରାମବାସୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲେ ଆପଣଙ୍କ ମନ ବି ଭରିଯିବ…

ଏସିଆ ମହାଦେଶର ସବୁଠାରୁ ସଫା ଓ ସୁନ୍ଦର ଯାଗା ଏଠାରେ ରହିଛି...

ଓଡିଶା ଭାସ୍କର: ବିଶ୍ୱରେ ଚର୍ଚ୍ଚା ସାଉଁଟୁଛି ଭାରତର ଏହି ଛୋଟ ଗାଁ । ଗାଁ ଛୋଟ ହେଲେ ମଧ୍ୟ ତାର ମହାନ କାମ ପାଇଁ ଏହା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ମେଘାଳୟ ରାଜ୍ୟରେ ଥିବା ମାୱଲିନଙ୍ଗକୁ ଏସିଆର ସବୁଠାରୁ ସଫା ସହର ବୋଲି କୁହାଯାଏ ।

ଏପରିକି ଏଠାରେ ଲୋକମାନେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ କରିଛନ୍ତି । ଯଦି ସେଠାକୁ କେହି ବିଦେଶୀ ପର୍ଯ୍ୟଟକ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ କିମ୍ବା ପ୍ଲାଷ୍ଟିକ ତିଆରି କୌଣସି ଜିନିଷ ନେଇ ଯାଆନ୍ତି, ତାହେଲେ ତାଙ୍କୁ ସେଠାରେ ଫାଇନ ଦେବାକୁ ପଡିଥାଏ ।

ସେଠାରେ ଲୋକେ ପ୍ଲାଷ୍ଟିକ ବଦଳରେ ମୁଖ୍ୟତଃ ହାତରେ ବାଉଁଶ ଦ୍ୱାରା ତିଆରି କରାଯାଇଥିବା ଡଷ୍ଟବିନ ଓ ଡବା ସବୁ ବ୍ୟବହାର କରିଥାନ୍ତି । ମାୱଲିନଙ୍ଗ ଠାରେ ଗୁଟକା ମଧ୍ୟ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି ।

୨୦୦୩ ମସିହାରେ ଜଣେ ସାମ୍ବାଦିକ ଏହି ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ ଆଉ ସେଠାର ପରିବେଶ ଦେଖିବା ପରେ ମାୱଲିନଙ୍ଗ ବିଷୟରେ ଲେଖିଥିଲେ । ଏହାପରେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଗାଁ ବିଷୟରେ କହିଥିଲେ । ଯାହା ପରଠାରୁ ଏହାର ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ଏହି ଅଞ୍ଚଳ ଅନେକ ନାଁ କମେଇଛି ।

ଏଠାରେ ପ୍ରତ୍ୟେକ ଦିନ ସକାଳୁ ଉଠିବା ପିଲା ଠାରୁ ବୟସ୍କ ଲୋକ ଯାଏଁ ସମସ୍ତେ ଘର ବାହାର ସଫା କରିବା ସହ ନିଜ ଆଖପାଖ ଯାଗାକୁ ପରିସ୍କାର କରନ୍ତି । ଯେଉଁ ଜିନିଷ ସବୁ କାମରେ ଆସିବ ଯେପରିକି କମ୍ପୋଷ୍ଟ କରିବା ପାଇଁ ଶୁଖିଲା ପତ୍ର , ପରିବା ଚୋପା ଏସବୁ ଏକାଠି କରି ଏକ ବଡ ଗାତ ଭିତରେ ପୋତି ଦିଅନ୍ତି ।

ପରେ ଏହାକୁ ଚାଷ ପାଇଁ ସାର ଆକାରରେ ବ୍ୟବହାର କରନ୍ତି । କେବଳ ଏତିକି ନୁହେଁ, ପ୍ରତ୍ୟେକ ଲୋକଙ୍କ ଘରେ ପାଇଖାନା କରିବା ସେଠାରେ ଏକ ନିୟମ ରହିଛି । ଏହାଦ୍ୱାରା ଆଖପାଖ ପରିବେଶ ମଧ୍ୟ ପରିଷ୍କାର ରହିଥାଏ । ଏହାଛଡା ଏହି ଗାଁର ଚାରିପାଖକୁ ପାହାଡ ଘେରି ରହିଛି ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କ ମନ କିଣିନେବ ।