fbpx

ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଭୁବନେଶ୍ୱର କ୍ଲବର ସଭାପତି ପଦ ପାଇଁ ଦୁଇ ପୂର୍ବତନ ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀ ଓ ସତ୍ୟ ପ୍ରକାଶ ନନ୍ଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ତେବେ ଶେଷରେ ବାଜି ମାରିନେଇଛନ୍ତି ଅସିତ ।

ଅସିତ ପୂର୍ବରୁ ଭୁବନେଶ୍ୱର କ୍ଲବର ସଭାପତି ଥିବା ବେଳେ ଏବେ ସେ ପୁନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ମହେନ୍ଦ୍ର ଗୁପ୍ତା ବିଜୟ ଲାଭ କରିଛନ୍ତି । ଦିଲ୍ଲୀପ ରାଉତରାୟ ସମ୍ପାଦକ, ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ଜିତିଛନ୍ତି । ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର କ୍ଲବରେ ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ନିର୍ବାଚନ ହୋଇନଥିଲା ।

ଗତ ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଅସିତ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିତିବା ପରେ ଅସିତ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ । ଅସିତ ପୂର୍ବରୁ ଚିଫ୍ ସେକ୍ରେଟାରୀ, ଉନ୍ନୟନ କମିସନର ଭାବେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ସେହିପରି ସତ୍ୟ ପ୍ରକାଶ ପୂର୍ବରୁ ଉନ୍ନୟନ କମିସନର ଓ ଓଇଆରସିର ଚେୟାରମ୍ୟାନ ପଦବୀରେ ରହିଥିଲେ । ଭୁବନେଶ୍ୱର କ୍ଲବର ହାଇପ୍ରୋଫାଇଲ ନିର୍ବାଚନ ପାଇଁ ଗତକାଲି ଦିନ ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା ।

Get real time updates directly on you device, subscribe now.