ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ, ଛାଡ଼ପତ୍ର ବିନା ଦ୍ୱିତୀୟ ବିବାହ କଲେ କଟିବ ସରକାରୀ କର୍ମଚାରୀଙ୍କ ଦରମା

ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କଲେ ସରକାରୀ ଚାକିରିଆଙ୍କ ୨୦% ଦରମା କାଟିଦିଆଯିବ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ପ୍ରଥମ ପତ୍ନୀଙ୍କୁ ଆଇନଗତ ଭାବରେ ଛାଡପତ୍ର ନ ଦେଇ ପୁନଃବିବାହ କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି ଆସାମ ସରକାର। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଏହିପରି କରୁଥିବା କର୍ମଚାରୀଙ୍କ ଦରମାର ୨୦ ପ୍ରତିଶତ କାଟି, ପ୍ରଥମ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ଯଦି ପ୍ରଥମ ପତ୍ନୀ ସରକାରଙ୍କ ନିକଟରେ ଆବେଦନ କରନ୍ତି ତେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇପାରିବ। ଏହାସହ ଯେପର୍ଯ୍ୟନ୍ତ ଛାଡପତ୍ରର ମାମଲା କୋର୍ଟରେ ବିଚାରାଧୀନ ଥିବା ସେ ପର୍ଯ୍ୟନ୍ତ ଏହି ଦରମା କାଟ ଜାରି ରହିପାରିବ। ସରକାରଙ୍କ ଲକ୍ଷ୍ୟ ହେଉଛି ଛାଡପତ୍ର ପ୍ରକ୍ରିୟା ସମାପ୍ତ ନହେବା ପର୍ଯ୍ୟନ୍ତ ପ୍ରଥମ ପତ୍ନୀ ଆର୍ଥିକ ସହାୟତାରୁ ବଞ୍ଚିତ ନ ହୁଅନ୍ତୁ।

ସରକାରଙ୍କ ଏହି ଘୋଷଣାର କାରଣ: ଆସାମରେ କର୍ମଚାରୀମାନେ ସେମାନଙ୍କ ପତ୍ନୀଙ୍କୁ ଛାଡି ଅନୌପଚାରିକ ବିବାହ କରିଥିବା ଅଭିଯୋଗ ଆସିଥିବା ଅନେକ ଘଟଣାର ରିପୋର୍ଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସର୍ମା ଜୋର ଦେଇ କହିଛନ୍ତି ଯେ ନିୟମ ଉଲ୍ଲଂଘନ କରୁଥିବା କର୍ମଚାରୀମାନଙ୍କ ବିରୁଦ୍ଧରେ ଆଇନଗତ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ଆସାମରେ ବହୁବିବାହ ନିଷିଦ୍ଧ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସୂଚିତ କରିଛନ୍ତି ଯେ ସରକାର ଘରୋଇ କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ଏପରି ସୁରକ୍ଷା ପ୍ରଦାନ କରିବାକୁ ବିଚାର କରୁଛନ୍ତି। ଆସାମ ସରକାରଙ୍କ ଏହି ପ୍ରସ୍ତାବକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି।