ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ ଅନେକ ଗୁରୁତର
ବାଂଲାଦେଶର ଏକ ସମୁଦ୍ର କୂଳରେ ଥିବା ରିସର୍ଟରେ ଶନିବାର ସକାଳେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ହୋଇଛି।
ବାଂଲାଦେଶ: ବାଂଲାଦେଶର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଏକ ସମୁଦ୍ରକୂଳିଆ ରିସର୍ଟରେ ଶନିବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମ୍ରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଜଣାପଡ଼ିଛି। ନିଆଁରେ ବାଉଁଶ ଓ କାଠରେ ତିଆରି ତିନି ମହଲା ବିଶିଷ୍ଟ ରିସର୍ଟଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।
ଖବର ଅନୁସାରେ, କକ୍ସ ବଜାର ଜିଲ୍ଲାର ମେରାଇନ୍ ଡ୍ରାଇଭ୍ ନିକଟ ପାଟୁଆରଟେକ୍ ବିଚ୍ ପାଖରେ ଥିବା ଇନାନି ଅଞ୍ଚଳର ‘ଟୁପ୍ଟୁପ୍ ରେଷ୍ଟୋ ଆଣ୍ଡ୍ ରିସର୍ଟ’ରେ ସକାଳ ପ୍ରାୟ ୬ଟା ୩୦ ମିନିଟ୍ରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ସମୟରେ ରିସର୍ଟରେ ପ୍ରାୟ ୩୦ ଜଣ ରହୁଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ମାତ୍ର ୪ରୁ ୫ ଜଣ ବାହାରକୁ ଆସି ଜୀବନ ବଞ୍ଚାଇ ପାରିଥିବା ସୂଚନା ମିଳିଛି।
ଏହି ଅଗ୍ନିକାଣ୍ଡରେ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କକ୍ସ ବଜାର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ୫ ଜଣଙ୍କ ଶରୀରର ପ୍ରାୟ ୫ ପ୍ରତିଶତ ଅଂଶ ପୋଡ଼ିଯାଇଛି। ଅନ୍ୟ ଜଣେ ବ୍ୟକ୍ତି ତଳେ ପଡ଼ିଯାଇ ଆହତ ହୋଇଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି।
ଜିଲ୍ଲାପାଳ ଏ. ମନ୍ନାନ୍ଙ୍କ ସୂଚନା ଅନୁସାରେ, ୬ଟି ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ଜାଣିବା ପାଇଁ ସେମାନଙ୍କ ଡିଏନ୍ଏ ନମୁନା ସଂଗ୍ରହ କରାଯିବ। ପରିଚୟ ସ୍ପଷ୍ଟ ହେବା ପରେ ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ରିସର୍ଟରେ ନିଆଁ କିପରି ଲାଗିଲା, ତାହା ଏଯାଏଁ ଜଣାପଡ଼ିନାହିଁ। ରୋଷେଇ ଘରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ହିଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀମାନେ କହିଛନ୍ତି।


