ବଦଳିଲା ATMରୁ ଟଙ୍କା ଉଠାଇବା ନିୟମ, ଏଣିକି ଫ୍ରି ଲିମିଟ୍ ଶେଷ ହେଲେ ଲାଗିବ ଚାର୍ଜ
ସେପ୍ଟେମ୍ବର ୧ରୁ ବଦଳିଲା ନିୟମ, ମାସକୁ ମାତ୍ର ୫ ଥର ATM ଟ୍ରାଞ୍ଜାକ୍ସନ୍ ଫ୍ରି।
ନୂଆଦିଲ୍ଲୀ: ATM କାର୍ଡ ଅଛି, ଆଉ ଯେତେବେଳେ ଟଙ୍କା ଦରକାର ATMରୁ ଉଠାଇ ନେଉଛନ୍ତି? ତେବେ ଏବେ ଆପଣଙ୍କୁ ଟିକିଏ ସାବଧାନ ହେବାକୁ ପଡ଼ିବ। କାରଣ ATMରୁ ଟଙ୍କା ଉଠାଇବା ଆଗରୁ ଜାଣିନିଅନ୍ତୁ ନୂଆ ଚାର୍ଜ ବିଷୟରେ।
କାନାରା ବ୍ୟାଙ୍କ ୧ ସେପ୍ଟେମ୍ବର ୨୦୨୬ରୁ ATM ଟ୍ରାଞ୍ଜାକ୍ସନ୍ ସମ୍ପର୍କିତ କିଛି ଚାର୍ଜରେ ପରିବର୍ତ୍ତନ କରିଛି। ସବୁଠାରୁ ବଡ଼ କଥା ହେଉଛି, ସେଭିଂସ୍ ଆକାଉଣ୍ଟ ଗ୍ରାହକଙ୍କ ଫ୍ରି ଏଟିଏମ୍ ଟ୍ରାଞ୍ଜାକ୍ସନ୍ ସୀମା ମଧ୍ୟ କମିଛି।
ଏହା ପରେ ଫ୍ରି ଲିମିଟ୍ ପାର୍ ହୋଇ ଏଟିଏମରୁ ଟଙ୍କା ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ। ଏପରିକି ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନ୍ସ ନଥିବାରୁ ATM ଟ୍ରାଞ୍ଜାକ୍ସନ୍ ଫେଲ୍ ହେଲେ ମଧ୍ୟ ଚାର୍ଜ ଲାଗିବ। ତେବେ କେତେ ଟଙ୍କା ଦେବାକୁ ପଡ଼ିବ? ଆଉ କେତେ ଥର ATM ବ୍ୟବହାର କରିପାରିବେ?
ମାସକୁ ଏବେ କେବଳ ୫ଟି ଟ୍ରାଞ୍ଜାକ୍ସନ୍ ଫ୍ରି: କାନାରା ବ୍ୟାଙ୍କର ସେଭିଂସ୍ ଆକାଉଣ୍ଟ ଗ୍ରାହକଙ୍କ ପାଇଁ ଏବେ ମାସକୁ ୫ଟି ATM ଟ୍ରାଞ୍ଜାକ୍ସନ୍ ଫ୍ରି ରହିବ। ପୂର୍ବରୁ ଏହି ସୀମା ୬ଟି ଥିଲା। ଏହି ଲିମିଟ୍ରେ ଫାଇନାନ୍ସିଆଲ୍ ଏବଂ ନନ୍-ଫାଇନାନ୍ସିଆଲ୍ ଉଭୟ ପ୍ରକାରର ଟ୍ରାଞ୍ଜାକ୍ସନ୍ ସାମିଲ ରହିବ।
ତେବେ ସିନିୟର ସିଟିଜେନ୍ଙ୍କ ପାଇଁ ଏଠାରେ ଆଶ୍ୱସ୍ତିର ଖବର ରହିଛି। ସେମାନଙ୍କ ପାଇଁ ମାସକୁ ୮ଟି ଫ୍ରି ଟ୍ରାଞ୍ଜାକ୍ସନ୍ର ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଫ୍ରି ଲିମିଟ୍ ପରେ ଟଙ୍କା ଉଠାଇଲେ କେତେ ଚାର୍ଜ:ଏବେ ଆସୁଛି ସବୁଠାରୁ ବଡ଼ ପରିବର୍ତ୍ତନ। ମାସିକ ଫ୍ରି ଲିମିଟ୍ ଶେଷ ହେବା ପରେ କାନାରା ବ୍ୟାଙ୍କ ATM କିମ୍ବା କ୍ୟାଶ୍ ରିସାଇକ୍ଲରରୁ ଟଙ୍କା ଉଠାଇଲେ ପ୍ରତି ଟ୍ରାଞ୍ଜାକ୍ସନ୍ରେ ୨୩ ଟଙ୍କା+ GST ଚାର୍ଜ ଲାଗିବ। ପୂର୍ବରୁ ଏହି ଚାର୍ଜ ୨୦ ଟଙ୍କା + GST ଥିଲା।
ଅର୍ଥାତ୍ ଫ୍ରି ଲିମିଟ୍ ପରେ ATMରୁ ଟଙ୍କା ଉଠାଇବା ଏବେ ପୂର୍ବାପେକ୍ଷା ମହଙ୍ଗା ହୋଇଛି। ଏଥିରେ UPI ମାଧ୍ୟମରେ ATMରୁ କରାଯାଉଥିବା କ୍ୟାଶ୍ ୱିଥଡ୍ରଲ୍ ମଧ୍ୟ ସାମିଲ ଅଟେ।
ଆକାଉଣ୍ଟରେ କମ୍ ଟଙ୍କା ଥିଲେ ବି ଲାଗିବ ଚାର୍ଜ: ଧରନ୍ତୁ ଆପଣ ATMରୁ ଟଙ୍କା ଉଠାଇବାକୁ ଗଲେ, କିନ୍ତୁ ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନ୍ସ ନଥିବାରୁ ଟ୍ରାଞ୍ଜାକ୍ସନ୍ ଫେଲ୍ ହୋଇଗଲା। ଏଭଳି ସ୍ଥିତିରେ ମଧ୍ୟ ଏବେ ଚାର୍ଜ ବଢ଼ିଛି।
ଫ୍ରି ଟ୍ରାଞ୍ଜାକ୍ସନ୍ ଲିମିଟ୍ ପାର୍ ହୋଇଯିବା ପରେ insufficient funds କାରଣରୁ ଟ୍ରାଞ୍ଜାକ୍ସନ୍ ଫେଲ୍ ହେଲେ ୨୩ ଟଙ୍କା + GST ଚାର୍ଜ ଲାଗିବ। ପୂର୍ବରୁ ଏହି ଚାର୍ଜ ୧୭ ଟଙ୍କା ଥିଲା। ଏହି ନିୟମ କାନାରା ବ୍ୟାଙ୍କ ATM ସହିତ ଅନ୍ୟ ବ୍ୟାଙ୍କ ATMରେ ହେଉଥିବା ଏପରି ଟ୍ରାଞ୍ଜାକ୍ସନ୍ରେ ମଧ୍ୟ ଲାଗୁ ହେବ।
ବାଲାନ୍ସ ଚେକ୍ କଲେ ମଧ୍ୟ ଚାର୍ଜ ଲାଗିପାରେ: ଫ୍ରି ଲିମିଟ୍ ଶେଷ ହେବା ପରେ ନନ୍-ଫାଇନାନ୍ସିଆଲ୍ ATM ସେବା, ଯେପରିକି ବାଲାନ୍ସ ଚେକ୍ ଆଦି ବ୍ୟବହାର କଲେ ୫ ଟଙ୍କା + GST ଚାର୍ଜ ଦେବାକୁ ପଡ଼ିବ। ତେବେ ଗ୍ରାହକଙ୍କ ପାଇଁ ଏକ ଭଲ ଖବର ମଧ୍ୟ ରହିଛି।
Green PIN ପାଇଁ ଚାର୍ଜ ହେଲା ଶସ୍ତା: କାନାରା ବ୍ୟାଙ୍କ ଗ୍ରିନ୍ ପିନ୍ ପୁଣି ଜେନେରେଟ୍ କରିବାର ଚାର୍ଜକୁ ବହୁତ କମାଇଛି। ୧ ସେପ୍ଟେମ୍ବର ୨୦୨୬ରୁ ଫ୍ରି ଟ୍ରାଞ୍ଜାକ୍ସନ୍ ଲିମିଟ୍ ପରେ Green PIN regeneration ପାଇଁ ଚାର୍ଜ ୫ ଟଙ୍କା + GST କରାଯାଇଛି। ପୂର୍ବରୁ ଏହା ୨୩ ଟଙ୍କା ଥିଲା।
ଏହି ଚାର୍ଜ Classic, Standard, Platinum, Business ଏବଂ Select/World ଭଳି କାର୍ଡ ଭାରିଆଣ୍ଟ ପାଇଁ ଲାଗୁ ହେବ।
ଅନ୍ୟ ବ୍ୟାଙ୍କ ATM ବ୍ୟବହାର କଲେ କେତେ ଫ୍ରି: କାନାରା ବ୍ୟାଙ୍କ ଡେବିଟ୍ କାର୍ଡ ନେଇ ଅନ୍ୟ ବ୍ୟାଙ୍କ ATM ବ୍ୟବହାର କଲେ ସେଭିଂସ୍ ଆକାଉଣ୍ଟ ଗ୍ରାହକଙ୍କୁ ମେଟ୍ରୋ ସହରରେ ମାସକୁ ୩ଟି ଏବଂ ନନ୍-ମେଟ୍ରୋ ଅଞ୍ଚଳରେ ୫ଟି ଫ୍ରି ଟ୍ରାଞ୍ଜାକ୍ସନ୍ ମିଳିବ। ଏହା ପରେ ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍ରେ ୨୩ ଟଙ୍କା + GST ଚାର୍ଜ ଲାଗିବ।
ତେଣୁ ଧ୍ୟାନ ଦିଅନ୍ତୁ: ଯଦି ଆପଣ କାନାରା ବ୍ୟାଙ୍କ ATM କାର୍ଡ ବ୍ୟବହାର କରୁଛନ୍ତି, ତେବେ ମାସିକ ଫ୍ରି ATM ଲିମିଟ୍ ଉପରେ ନଜର ରଖନ୍ତୁ। ଲିମିଟ୍ ପାର୍ ହେବା ପରେ ଟଙ୍କା ଉଠାଇବା, ନିର୍ଦ୍ଦିଷ୍ଟ ସେବା ନେବା କିମ୍ବା କମ୍ ବାଲାନ୍ସ ଯୋଗୁଁ ଫେଲ୍ ଟ୍ରାଞ୍ଜାକ୍ସନ୍ ହେଲେ ଅତିରିକ୍ତ ଚାର୍ଜ ସହ GST ଦେବାକୁ ପଡ଼ିପାରେ।


