fbpx

ଆତ୍ମନିର୍ଭର ଭାରତ ଫେଲ୍: ବିଦେଶୀଙ୍କ ସାହାଯ୍ୟ ଲୋଡୁଛି ଦେଶ

ନୂଆଦିଲ୍ଲୀ, ୦୭/୦୫(ଓଡିଶା ଭାସ୍କର) : ୨୦୨୦ରୁ ମହାମାରୀ କରୋନା ଠାରୁ ଦେଶରେ ଆତଙ୍କ ଖେଳାଇଛି । ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷରୁ ଅଧିକ ଟପିବାରେ ଲାଗିଛି । କରୋନା ମୁକାବିଲା କରିବାକୁ ଯାଇ ଏବେ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ବର୍ତ୍ତମାନ ସମୟରେ ଏଭଳି ଏକ ମୁହୁର୍ତ୍ତ ପହଞ୍ଚିଛି କି ହସ୍ପିଟାଲମାନଙ୍କରେ ଚିକିତ୍ସାର ମୌଳିକ ସେବା ମଧ୍ୟ ରୋଗୀଙ୍କୁ ମିଳିପାରୁନି । କେଉଁ ଠାରେ ଅକ୍ସିଜେନ୍ ର ଅଭାବ ଦେଖାଦେଇଛି ତ କେଉଁଠି ରୋଗୀଙ୍କ ପାଇଁ ବେଡ୍ ନାହିଁ । ଏପରିକି ବିଭିନ୍ନ ଚିକିତ୍ସାଗତ ଉପକରଣ ମଧ୍ୟ ଏଠାରେ ଉପଲବ୍ଧ ନାହିଁ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଫେଲ୍ ମାରିଛି । ଗତ ୧୬ ବର୍ଷ ପରେ ବୈଦେଶିକ ସହାୟତା ପାଇବା ନୀତିରେ ଭାରତରେ ଏକ ବଡ ପରିବର୍ତ୍ତନ ହୋଇଛି । ଏହି ପରିବର୍ତ୍ତନରେ ବିଦେଶରୁ ଆସୁଥିବା ବିଭିନ୍ନ ପ୍ରକାର ସହାୟତା, ଦାନ ଏବଂ ଉପହାରକୁ ଭାରତ ସ୍ୱୀକାର କରିବା ଆରମ୍ଭ କରିଛି । ଏପରିକି ଚୀନ ଠାରୁ ମଧ୍ୟ ଚିକିତ୍ସା ଉପକରଣ ଆଦି କିଣିବାକୁ ନିଷ୍ପତି ନେଇଛି ଦେଶ ।


ଗଣମାଧ୍ୟମର ରିପୋର୍ଟ ଅନୁସାରେ, କରୋନା ମହାମାରୀ ଭାରତରେ ବ୍ୟାପିବା ଦିନଠାରୁ ବିଦେଶୀ ସହାୟତାରେ ଅନେକ ପରିବର୍ତ୍ତନ ଆସିଛି । ଭାରତକୁ ଏବେ ଚୀନ ଠାରୁ ଚିକିତ୍ସା ସମ୍ପର୍କିତ ଉପକରଣ କିଣିବା ପାଇଁ କୌଣସି ସମସ୍ୟା ନାହିଁ । ତେବେ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ଭାରତକୁ ସହଯୋଗର ହାତ ବଢ଼ାଇଛି । କିନ୍ତୁ ପାକିସ୍ତାନ ଠାରୁ କୌଣସି ପ୍ରକାରର ସାହାଯ୍ୟ ନେବା ମାମଲାରେ ଭାରତ କୌଣସି ନିଷ୍ପତି ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ । କିନ୍ତୁ ଅନ୍ୟ ଦେଶ ମାନଙ୍କୁ ଠାରୁ ସାହାଯ୍ୟ ନେବା ପାଇଁ ଅମଙ୍ଗ ହୋଇନି ଦେଶ ।

ସାଧାରଣତଃ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜର ପରିଚୟ ତିଆରି କରିଛି ଏବଂ ଆତ୍ମନିର୍ଭର ଭାରତ ଉପରେ ଅଧିକ ଗୁରୁତ୍ୱ ଦେଇଛି । ୧୬ ବର୍ଷ ପୂର୍ବେ ମନମୋହନ ସିଂଙ୍କ ନେତୃତ୍ୱରେ ବିଦେଶୀ ସହାୟତା ନ ନେବା ପାଇଁ ନିଷ୍ପତି ହୋଇଥିଲା । ଏହା ପୁର୍ବରୁ ଉତ୍ତରକାଶୀ ଭୁକମ୍ପ(୧୯୯୧), ଲାତୁର ଭୁକମ୍ପ(୧୯୯୩), ଗୁଜୁରାଟ ଭୁକମ୍ପ(୨୦୦୧), ବେଙ୍ଗଲ ଘୁର୍ଣ୍ଣିବଳୟ (୨୦୦୨) ଏବଂ ବିହାର ବନ୍ୟା(୨୦୦୪) ସମୟରେ ବିଦେଶୀ ସରକାରଙ୍କ ସହାୟତା ସ୍ୱୀକାର କରିଥିଲା ଭାରତ । ହେଲେ ଏବେ ପୁଣିଥରେ ୧୬ ବର୍ଷ ପରେ ସେହି ଦିନ ଆସିଛି । ତେବେ ମନମୋହନ ସିଂଙ୍କ ସମୟରେ ସେ ଅପିଲ୍ କରିଥିଲେ ଯେ, ଆମେ ବିଦେଶୀ ସହାୟତା ନେବା ନାହିଁ । ଜରୁରୀ ନଥିଲେ ଆମେ ସେମାନଙ୍କ ସାହାଯ୍ୟ ଗ୍ରହଣ କରିବା ନାହିଁ । ଆଉ ତାଙ୍କ ଆହ୍ୱାନ ପରେ ଭାରତରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୌଣସି ପ୍ରକାରର ବିଦେଶୀ ସାହାଯ୍ୟ ନିଆଯାଇ ନଥିଲା । ଏପରିକି ସରକାର ସାହାଯ୍ୟ ଗ୍ରହଣ କରିବାକୁ ସଫା ସଫା ମନା କରିଦେଇଥିଲେ । ୨୦୧୩ ମସିହାରେ ହୋଇଥିବା କେଦାରନାଥ ବନ୍ୟା, ୨୦୦୫ରେ ହୋଇଥିବା କାଶ୍ମୀର ଭୁକମ୍ପ ଏବଂ କାଶ୍ମୀର ବନ୍ୟା(୨୦୧୪) ସମୟରେ ବିଦେଶୀ ମାନେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସୁଦ୍ଧା ଭାରତ ତାର ଆତ୍ମନିର୍ଭରଶୀଳ ନୀତିକୁ ଜାବୁଡି ଧରିଥିଲା ।

ବର୍ତ୍ତମାନ କରୋନା ମହାମାରୀ ଦେଶକୁ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କରି ଦେଇଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ସଠିକ୍ ଚିକିତ୍ସା ନପାଇ ଲୋକ ମରୁଛନ୍ତି । ଏହି ସମୟରେ ୨୦ରୁ ଅଧିକ ଦେଶ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ଏହି ତାଲିକାରେ ରହିଛନ୍ତି ଚୀନ , ପାକିସ୍ତାନ, ଭୁଟାନ, ଆମେରିକା, ବ୍ରିଟେନ୍, ଜର୍ମାନୀ, ବେଲଜିୟମ୍, ଆୟରଲ୍ୟାଣ୍ଡ, ହଙ୍ଗକଙ୍ଗ୍, ରୋମାନିୟା, ସ୍ୱିଡେନ୍, ଅଷ୍ଟ୍ରେଲିୟା, ସାଉଦୀ ଆରବ, ସିଙ୍ଗାପୁର, ଋଷ, ଫ୍ରାନ୍ସ, ଫିନଲ୍ୟାଣ୍ଡ, ଥାଇଲ୍ୟାଣ୍ଡ, ଇଟାଲୀ ଆଦି ଦେଶ ।

Get real time updates directly on you device, subscribe now.