fbpx

Ind vs Aus, ୪୮୦ରେ ଅଟକିଲା ଅଷ୍ଟ୍ରେଲିଆ! ଅଶ୍ୱୀନଙ୍କ ଫିରକିରେ ଫସିଲା କଙ୍ଗାରୁ

ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଭାରତ ବିପକ୍ଷରେ ବିଶାଳ ସ୍କୋର ଠିଆ କରିଛି ଅଷ୍ଟ୍ରେଲିଆ । ଓପନର ଉସ୍ମାନ ଖ୍ୱାଜା ଏବଂ ଷ୍ଟାର ଅଲରାଉଣ୍ଡର କ୍ୟାମରନ ଗ୍ରୀନଙ୍କ ଧୂଆଁଧାର ବ୍ୟାଟିଂରେ ଅଷ୍ଟ୍ରେଲିଆ ୪୮୦ ରନରେ ପହଞ୍ଚିଛି । ତେବେ ଏହି ଯୋଡି ଆଗରେ ରୋହିତଙ୍କ ସବୁ ଅସ୍ତ୍ର ଫେଲ ମାରିଥିଲା । ତେବେ ବିଶ୍ୱର ସର୍ବଶ୍ରେଷ୍ଟ ଟେଷ୍ଟ ବୋଲର ପୁଣିଥରେ ଦଳକୁ କମବ୍ୟାକ କରାଇଛନ୍ତି । ଅଷ୍ଟ୍ରେଲିଆର ୬ ଜଣ ଖେଳାଳିଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ ।

ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆ ଖେଳାଳିମାନଙ୍କ ବ୍ୟାଟିଂର ଜଲୱା ଦେଖିବାକୁ ମିଳିଛି । ଉସ୍ମାନ ଖ୍ୱାଜା ଏବଂ କ୍ୟାମରନ ଗ୍ରୀନଙ୍କ ଶତକ ଭାରତ ଆଗରେ ଏକ ବିଶାଳ ରନ ଛିଡା କରିଛି । ଏହି ମ୍ୟାଚର ପ୍ରଥମ ଇନିଂସରେ ଉସ୍ମାନ ବ୍ୟକ୍ତିଗତ ୧୮୦ ରନ କରିଥିବା ବେଳେ ଅଲରାଉଣ୍ଡର କ୍ୟାମରନ ଗ୍ରୀନ ୧୧୪ ରନର ଦମଦାର ପାଳି ଖେଳିଛନ୍ତି । ଦ୍ୱିତୀୟ ଦିନର ଟି- ବ୍ରେକ ପରେ ଦ୍ୱିଶତକ ଆଡକୁ ବଢୁଥିବା ଉସ୍ମାନ ଖ୍ୱାଜାଙ୍କ ପାଳିରେ ବ୍ରେକ ଲଗାଇଥିଲେ ଅକ୍ସର ପଟେଲ । ଏହାପରେ ଅଶ୍ୱୀନ ଶେଷ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ପ୍ରଥମ ଇନିଂସ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୮୦ ରନର ଏକ ବିଶାଳ ସ୍କୋରରେ ପହଞ୍ଚିଛି ।

ତେବେ ଅନ୍ୟ ପକ୍ଷରେ ଭାରତ ତରଫରୁ ଶାଣିତ ବୋଲିଂ କରିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଟେଷ୍ଟ ବୋଲର ରବିଚନ୍ଦ୍ରନ ଅଶ୍ୱୀନ । ଅଷ୍ଟ୍ରେଲିଆ ଟିମର ମୋଟ ୬ ଜଣଙ୍କ ୱିକେଟ ନେଇଥିବା ବେଳେ ଦଳ ପାଇଁ ବିପଦ ହୋଇ ଠିଆ ହୋଇଥିବା କ୍ୟାମରନ ଗ୍ରୀନଙ୍କ ଭଳି ୱିକେଟ ସାମିଲ ରହିଛି । ତେବେ ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଶାମୀ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଏହାବ୍ୟତୀତ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲ ଗୋଟିଏ ଲେଖାଏଁ ଶିକାର କରିଛନ୍ତି ।

Get real time updates directly on you device, subscribe now.