fbpx

Ashes 2021: ଏବେ ଚୁଟି କାଟି ପାରିବେ ନାହିଁ ଅଷ୍ଟ୍ରେଲିଆ ଖେଳାଳି, କଡା ନିୟମ ଲାଗୁ କଲା ବୋର୍ଡ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଆସେସ୍ ଟେଷ୍ଟ ଖେଳାଯାଉଛି । ମାତ୍ର କରୋନା କାରଣରୁ ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଷ୍ଟିଭ୍ ସ୍ମିଥ୍ ଦଳର ନେତୃତ୍ୱ ନେଇଛନ୍ତି । ଏହା ମଧ୍ୟରେ କ୍ରିକେଟ୍ ଅଷ୍ଟ୍ରେଲିଆ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ପାଇଁ ଖେଳାଳିଙ୍କ ପାଇଁ କଡା ନିୟମ ଲାଗୁ କରିଛନ୍ତି । ଏହା ଅନୁଯାୟୀ ଏବେ ଖେଳାଳି ଚୁଟି କାଟି ପାରିବେ ନାହିଁ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଆୟୋଜକ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ ରହିଛି ।

ଡେଲି ମେଲର ଖବର ଅନୁଯାୟୀ, ମେଲବର୍ଣ୍ଣ ଓ ସିଡନୀରେ ଖେଳାଯିବାକୁ ଥିବା ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ସମୟରେ କରୋନାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ଉପରେ କଡା କଟକଣା ଲାଗୁ କରାଯାଇଛି । ଜଣେ ଖେଳାଳି କହିଛନ୍ତି, ଆମକୁ ତିନୋଟି ଗ୍ରୁପ କରି ଅଭ୍ୟାସ୍ କରିବାକୁ ଅନୁମତି ଦିଆଯାଇଛି । ଅର୍ଥାତ ପୂରା ବୋଲିଂ ୟୁନିଟ୍ ଏକ ସଙ୍ଗେ ଓହ୍ଲାଇ ପାରିବ ନାହିଁ । ଏହା ବ୍ୟତୀତ ଖେଳାଳିଙ୍କୁ ରେଷ୍ଟୁରାଣ୍ଟରେ ଖାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି । ପାଟ୍ କମିନ୍ସ ରେଷ୍ଟୁରାଣ୍ଟରୁ ହିଁ ଜଣେ କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏପରିକି ପବ୍ଲିଜ ଜିମର ବ୍ୟବହାର ଉପରେ ମଧ୍ୟ ରୋକ୍ ଲଗାଯାଇଛି ।

ଏହା ବ୍ୟତୀତ ଖେଳାଳି ଏବେ ମଇଦାନରେ ପ୍ରଶଂସକଙ୍କ ସହ ମିଶି ପାରିବେ ନାହିଁ । ତାଙ୍କୁ ଅଟୋଗ୍ରାଫ ଦେଇ ପାରିବେ ନାହିଁ । ଖେଳାଳି ବାହାରେ କେବଳ ନିଜର ପରିବାର କିମ୍ବା ବନ୍ଧୁଙ୍କୁ ଭେଟି ପାରିବେ । ଏହା ପରେ ଦଳରେ ସାମିଲ୍ ହେବା ପୂର୍ବରୁ ତାଙ୍କର କରୋନା ପରୀକ୍ଷଣ କରାଯିବ ।

Get real time updates directly on you device, subscribe now.