ନେପାଳରେ ବରଫ ଅତଡା ଧସି ୧୫ ପର୍ବତାରୋହି ମୃତ୍ୟୁ
ହିମାଳୟରେ ବରଫ ଅତଡ଼ା ଧସିବା ଘଟଣାରେ ଅତି କମରେ ୧୫ ଜଣ ପର୍ବତାରୋହଣ ସହାୟକ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।
ନୂଆଦିଲ୍ଲୀ: ନେପାଳ ହିମାଳୟରେ ଭୟଙ୍କର ତୁଷାରପାତ (ବରଫ ଧସିବା) ଯୋଗୁଁ ଅତି କମରେ ୧୫ ଜଣ ପର୍ବତାରୋହି ସହାୟକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉଦ୍ଧାରକାରୀ ଦଳ ମୃତଦେହ ଖୋଜିବା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ମନାଙ୍ଗ ଜିଲ୍ଲାରେ ଥିବା ୭,୧୨୬ ମିଟର ଉଚ୍ଚ ହିମାଲ ହିମଲୁଙ୍ଗ ପର୍ବତର ବେସ୍ କ୍ୟାମ୍ପରେ ଏକ ବିଶାଳ ବରଫ ଅତଡ଼ା ଖସିଥିଲା । ବିଦେଶୀ ପର୍ବତାରୋହୀମାନେ ଶିବିରରେ ପହଞ୍ଚିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା। ପର୍ବତରୁ ବହୁ ପରିମାଣର ବରଫ ଅତଡ଼ା ଖସି ଶିବିର ଉପରେ ପଡ଼ିବାରୁ ସେଠାରେ ଥିବା ୧୬ ଜଣ ନେପାଳୀ ସହାୟକ କର୍ମଚାରୀ ବରଫ ତଳେ ପୋତି ହୋଇଯାଇଥିଲେ।
ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ହେଲିକପ୍ଟର ଯୋଗେ ମୃତଦେହଗୁଡ଼ିକୁ ନେପାଳର ରାଜଧାନୀ କାଠମାଣ୍ଡୁକୁ ଅଣାଯାଇଛି।
ଏହି ଘଟଣାରେ ଓଖଲଧୁଙ୍ଗା ଜିଲ୍ଲାର ଜଣେ କର୍ମଚାରୀ ଏବେ ମଧ୍ୟ ନିଖୋଜ ଅଛନ୍ତି। ଖରାପ ପାଗ ଓ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ନେପାଳର ଉଚ୍ଚ ପର୍ବତ ଅଞ୍ଚଳରେ ବଢ଼ୁଥିବା ହିମସ୍ଖଳନ ବିପଦକୁ ନେଇ ଏହି ଘଟଣା ପୁଣିଥରେ ଚିନ୍ତା ବଢ଼ାଇଛି। ପାଣିପାଗରେ ଦ୍ରୁତ ପରିବର୍ତ୍ତନ ସହ ପ୍ରବଳ ତୁଷାରପାତ ଯୋଗୁଁ ପର୍ବତାରୋହଣ ଓ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି।
ଚଳିତ ନେପାଳ ପର୍ବତାରୋହଣ ଋତୁରେ ହିମଲୁଙ୍ଗ ହିମାଲର ଏହି ଦୁର୍ଘଟଣାକୁ ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି। ଏହା ନେପାଳର ଦୁର୍ଗମ ଓ କଠିନ ପର୍ବତ ଅଞ୍ଚଳରେ ପର୍ବତାରୋହୀଙ୍କ ସହ ସେମାନଙ୍କୁ ସହାୟତା କରୁଥିବା ସ୍ଥାନୀୟ କର୍ମଚାରୀମାନେ କେତେ ବଡ଼ ବିପଦର ସମ୍ମୁଖୀନ ହେଉଛନ୍ତି, ତାହା ସ୍ପଷ୍ଟ କରିଛି।

