ବିଜେପି ନେତାଙ୍କୁ ଠେଙ୍ଗାରେ ପିଟିଲେ, ପଥରରେ ଛେଚିଲେ
ଶିବମଙ୍କ ସାନ ଭାଇ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି
ଲକ୍ଷ୍ନୌ: ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ଶିବମ ସିଂହଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଦୁର୍ବୃତ୍ତମାନେ ତାଙ୍କୁ ଠେଙ୍ଗାରେ ପିଟିଲେ ପରେ ଇଟାପଥରରେ ଛେଚିଲେ । ଯାହାଫଳରେ ଶିବମଙ୍କ ମୃତ୍ୟୁ ଘଟିଛି । ଏପରି ବୀଭତ୍ସ ହତ୍ୟାକାଣ୍ଡ ଉତ୍ତରପ୍ରଦେଶ ବିଭୁତିଖଣ୍ଡ ଥାନା ଜଲୱା କ୍ଲବ ସମ୍ମୁଖରେ ଘଟିଛି । ସିଗାରେଟ୍ ପିଇବାକୁ ନେଇ ହୋଇଥିବା ଗଣ୍ଡଗୋଳରୁ ଏପରି ଘଟିଥିବା ଅଭିଯୋଗ ହୋଇଛି ।
ଅଯୋଧ୍ୟାର ଶିବମ ସିଂହ ତାଙ୍କ ସାଙ୍ଗ ନିଲେଶ ଓ ଜୀଶାନଙ୍କ ସହିତ ଲକ୍ଷ୍ନୌ ଯାଇଥିିଲେ । ବିଳମ୍ବିତ ରାତିରେ ସେମାନେ ବିଭୁଖଣ୍ଡରେ ପହଞ୍ଚିଥିଲେ । ସେମାନେ କ୍ଲବ ବାହାରେ ସିଗାରେଟ୍ ପିଉଥିଲେ । ଯାହାକୁ ନେଇ ସ୍ଥାନୀୟ ଯୁବକଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଧୀରେ ଧୀରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଦୁର୍ବୃତ୍ତମାନେ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ପରେ ଇଟା ପଥର ଫିଙ୍ଗିଥିଲେ । ଯାହାଫଳରେ ଶିବମ ସଜ୍ଞା ହରାଇ ପଡ଼ି ଯାଇଥିଲେ ।
ସ୍ଥାନୀୟ ପୋଲିସ ଶିଭମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାମମୋହନ ଲୋହ୍ୟା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଠିକ୍ ଚିକିତ୍ସା ସୁବିଧା ମିଳିନଥିଲା । ଯେଉଁଥିପାଇଁ ତାଙ୍କୁ ଏକ ପ୍ରାଇଭେଟ୍ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଶିବମଙ୍କ ସାନ ଭାଇ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଏଥିସହ ଆକ୍ରମଣ ସମୟରେ ଶିବମଙ୍କ ସାଙ୍ଗ ନିଲେଶ ରେକଡିଂ କରିଥିବା ଭିଡିଓକୁ ପୋଲିସ ଯାଞ୍ଚ କରୁଛି । ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଥିବା ଜଣାପଡ଼ିଛି ।
ତେବେ ଏଠି ପ୍ରଶ୍ନ ଉଠୁଛି; ଶିବମଙ୍କ ସହିତ ଅନ୍ୟ ଦୁଇ ସାଙ୍ଗ ଯାଇଥିଲେ । ଯେତେବେଳେ ଶିବମଙ୍କ ଉପରେ ଆକ୍ରମଣ ହେଉଥିଲା, ସେତେବେଳେ ତାଙ୍କ ସାଙ୍ଗମାନେ କଣ କରୁଥିଲେ? ଦୁର୍ବୃତ୍ତମାନେ କଣ କେବଳ ଶିବମଙ୍କୁ ଆକ୍ରମଣ କରୁଥିଲେ? ଏମାନେ କାହିଁକି ବିରୋଧ କରୁନଥିଲେ? ଏପରି ନାନା ପ୍ରଶ୍ନ ଭିତରେ ଏବେ ପୋଲିସ ଛନ୍ଦି ହୋଇପଡ଼ିଛି ।

