fbpx

ଅନଲାଇନରେ ବଢ଼ୁଛି ବାବୁଲାଙ୍କ ଦହିବରା ଚାହିଦା

କଟକ(ଓଡ଼ିଶା ଭାସ୍କର): କୋଭିଡ୍ ସଂକ୍ରମଣ କାରଣରୁ ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି । ଏହି ସମୟରେ କ୍ଷୁଦ୍ର ବ୍ୟବସାୟୀ ମାନେ ଜୀବିକା ଠପ୍ ଥିବାରୁ ଖୁବ୍ ଅସୁବିଧାରରେ ଦିନ କାଟୁଛନ୍ତି । କ୍ଷୁଦ୍ର ବ୍ୟବସାୟୀ ଯେପରି ଦହିବରା, ଗୁପଚୁପ୍, ଚାଟ୍ ଆଦି ଫାଷ୍ଟଫୁଡ୍ ବିକାଳୀ ମାନଙ୍କ ବ୍ୟବସାୟରେ ଯେପରି ତାଲା ପଡିଯାଇଛି । ହେଲେ କଟକ, ଦହିବରା ପାଇଁ ପ୍ରସିଦ୍ଧ ଥିବା ବେଳେ ଏହି ଲକଡାଉନ୍ ସମୟରେ ବି ଏଠାରେ ଦହିବରାର ଚାହିଦା ଖୁବ୍ ବଢ଼ିଛି । କଟକର ଗଳିକନ୍ଦିରେ ଏବେ ଲୋକମାନେ ଘରେ ବସି ସ୍ୱାଦିଷ୍ଟ ଦହିବରାର ମଜା ନେଉଛନ୍ତି । ଲକଡାଉନ୍ ଯୋଗୁଁ ଅନଲାଇନ୍ ଉପରେ ଲୋକମାନେ ନିର୍ଭର କରିବାକୁ ଆରମ୍ଭ କରିଥିବା ବେଳେ ଦହିବରା ବ୍ୟବସାୟୀ ମାନେ ମଧ୍ୟ ନିଜ ଭରଣପୋଷଣ ପାଇଁ ଅନଲାଇନ୍ ରେ ଦହିବରା ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି । ଆଉ ସେଥିରୁ ଆଶାତୀତ ଲାଭ ମଧ୍ୟ ପାଉଛନ୍ତି । ଯେଉଁ ବ୍ୟବସାୟୀ କେବେ ଅନଲାଇନ୍ ବିକ୍ରି ବିଷୟରେ କାଣିଚାଏ ବି ଜାଣି ନଥିଲେ ସେମାନେ ଆଜି ଅନଲାଇନ୍ ବ୍ୟବସାୟରେ ମାଷ୍ଟର ହୋଇଗଲେଣି । ସେମାନେ ଏବେ ଜମାଟୋ ଏବଂ ସ୍ୱିଗି ଭଳି ଅନଲାଇନ୍ ଖାଦ୍ୟ ବିକ୍ରି ସଂସ୍ଥା ସହ ଯୋଡି ହୋଇ ଲୋକମାନଙ୍କ ପାଖରେ ଦହିବରା ପହଞ୍ଚାଉଛନ୍ତି । ଆଉ ଦିନକୁ ୧୦ ରୁ ୨୦ ହଜାର ଟଙ୍କା ବ୍ୟବସାୟ ମଧ୍ୟ କରୁଛନ୍ତି ।

ତେବେ ଏହିଭଳି ଭାବେ ଅନଲାଇନ୍ ଦହିବରା ବ୍ୟବସାୟ ଆରମ୍ଭ କରିଛନ୍ତି କଟକର ଜଣେ ପ୍ରସିଦ୍ଧ ଦହିବରା ବ୍ୟବସାୟୀ ଦେଉଳସାହି ଅନ୍ତର୍ଗତ ଧୋବା ସାହିର ବାସିନ୍ଦା ପ୍ରଦୀପ୍ତ କୁମାର ବେହେରା(ବାବୁଲା )। ତାଙ୍କ ଦହିବରା ଖୁବ୍ ପ୍ରସିଦ୍ଧ । ଏପରିକି ଦିଲ୍ଲୀରେ ହୋଇଥିବା ଫୁଡ୍ ଫେଷ୍ଟିଭାଲରେ ସେ କଟକର ଦହିବରାକୁ ପହଞ୍ଚାଇ ପୁରସ୍କୃତ ହୋଇଥିଲେ । ଗତବର୍ଷ କୋଭିଡ୍ ଲକଡାଉନ୍ ସମୟରେ ତାଙ୍କର ଅନେକ କ୍ଷତି ହୋଇଥିଲା । ବେପାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ହେଲେ କୋଭିଡର ଦ୍ୱିତୀୟ ଲହରରେ ସେ ବୃଦ୍ଧି ଖଟାଇ ନିଜ ବ୍ୟବସାୟକୁ ଅନଲାଇନ୍ ପ୍ଲାଟଫର୍ମକୁ ଆଣିଛନ୍ତି । ସେ ଏବେ ୧ ମାସରୁ ଅଧିକ ଦିନ ହେବ ଅନଲାଇନ୍ ରେ ଦହିବରା ବିକ୍ରି କରୁଛନ୍ତି । ଆଉ ସେ ଦିନକୁ ୨୦୦ ପ୍ଲେଟ୍ ବିକ୍ରି କରୁଥିବା ବେଳେ ଦିନକୁ ତାଙ୍କର ୧୦ ହଜାରରୁ ୨୦ ହଜାର ଟଙ୍କା ବେପାର ହୋଇଯାଉଛି ବୋଲି କହିଛନ୍ତି ବାବୁଲା ।

ସେ କହିଛନ୍ତି ଯେ, ଲକଡାଉନ୍ ସମୟରେ ସେ ନିଜ ଦହିବରାକୁ ଅନଲାଇନ୍ ବିକ୍ରି କରିବା ଆରମ୍ଭ କରିଛନ୍ତି । ଆଉ ଏହା ଖୁବ୍ ଭଲ ଲାଭ ମଧ୍ୟ ଦେଉଛି । ଗୋଟିଏ ପ୍ଲେଟ୍ କୁ ୫୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଲୋକମାନେ ଅନଲାଇନ୍ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ପ୍ରଥମେ ସେ ଭାବିଲେ ଅନଲାଇନ୍ ରେ ବିଶେଷ ବିକ୍ରି ହେବ ନାହିଁ । ହେଲେ ପ୍ରଥମ ଦିନରୁ ହିଁ ଲୋକମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ଦିନକୁ ସେ ଅନୁମାନ କରି ୪୦୦ ଲୋକଙ୍କ ପାଇଁ ଦହିବରା ବିକ୍ରି କରୁଥିଲେ ସୁଦ୍ଧା ସବୁକିଛି ସମୟାନୁସାରେ ସରିଯାଉଛି । ବିକ୍ରି ସମୟସୀମା ଦିନ ୧୦ଟାରୁ ରାତି ୧୦ ହୋଇଥିବା ବେଳେ ଅନେକ ସମୟରେ ଆଗୁଆ ସରିଯାଉଛି । ତେବେ ସେ ନିଜ ବ୍ୟବସାୟକୁ ଜମାଟୋ ସହ ଯୋଡିବା ପରେ ଜମାଟୋର ଜଣେ ଡେଲିଭେରି ବୟ୍ କହିଛନ୍ତି ଯେ, ମାସେ ହେବ ଅନଲାଇନ୍ ଅର୍ଡର ବଢ଼ିବାରେ ଲାଗିଛି । ଲକଡାଉନ୍ ବଢ଼ିବା ସହିତ ଦହିବରାର ଅନଲାଇନ୍ ଚାହିଦା ବି ବଢ଼ିଚାଲିଛି ।

Get real time updates directly on you device, subscribe now.