ହଠାତ୍ କାହିଁକି ବନ୍ଦ ହେଲା Bajaj Pulsar N125? ସାମ୍ନାକୁ ଆସିଲା ବଡ଼ କାରଣ
ଭାରତରେ Bajaj Pulsar N125 ବାଇକ୍ର ବିକ୍ରି ବନ୍ଦ ହୋଇଯାଇଥିବା ଜଣାପଡ଼ୁଛି, କାରଣ ଡିଲରମାନେ କହିଛନ୍ତି ଯେ କିଛି ମାସ ହେବ ସେମାନଙ୍କ ପାଖକୁ ଏହି ମୋଟରସାଇକେଲ୍ ଆସିବା ବନ୍ଦ ହୋଇଯାଇଛି।
ଭୁବନେଶ୍ୱର : ଭାରତରେ Bajaj Pulsar N125 ବାଇକ୍ର ବିକ୍ରି ବନ୍ଦ ହୋଇଯାଇଥିବା ଜଣାପଡ଼ୁଛି, କାରଣ ଡିଲରମାନେ କହିଛନ୍ତି ଯେ କିଛି ମାସ ହେବ ସେମାନଙ୍କ ପାଖକୁ ଏହି ମୋଟରସାଇକେଲ୍ ଆସିବା ବନ୍ଦ ହୋଇଯାଇଛି। ଯଦିଓ ଏହି ମୋଟରସାଇକେଲ୍ ଏବେ ମଧ୍ୟ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ରେ ଦେଖାଉଛି, ତଥାପି ଏହାକୁ ଯେକୌଣସି ସମୟରେ ହଟାଇ ଦିଆଯାଇପାରେ ବୋଲି ରିପୋର୍ଟରୁ ପ୍ରକାଶ ପାଇଛି। କ୍ରମାଗତ ଭାବେ ଏହି ବାଇକ୍ର ବିକ୍ରି କମ୍ ହେବା କାରଣରୁ Bajaj Pulsar N125 କୁ ବନ୍ଦ କରିଦିଆଯାଇଥିବା କୁହାଯାଉଛି।
ପଲସର ବାଇକ୍ ସାଧାରଣତଃ ଏହାର ଦମଦାର ଏବଂ ମସ୍କୁଲାର୍ (ହୃଷ୍ଟପୃଷ୍ଟ) ଲୁକ୍ ପାଇଁ ଜଣାଶୁଣା। ପଲସର ବ୍ରାଣ୍ଡ୍ ଏହାର ଅନ୍ୟ ସବୁ ମଡେଲ୍ରେ ମଧ୍ୟ ଏହି ମସ୍କୁଲାର୍ ଶୈଳୀ ବଜାୟ ରଖିଛି। କିନ୍ତୁ, N125 ବାଇକ୍ଟି ଦେଖିବାକୁ ବହୁତ ସ୍ପୋର୍ଟି ହେବା ସହ ପତଳା ଏବଂ ଛୋଟ ଥିଲା। ଏହା ପଲସରର ପାରମ୍ପରିକ ଡିଜାଇନ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ବୋଧହୁଏ ଏହି କାରଣରୁ ୧୨୫ ସିସି (125cc) ପ୍ରିମିୟମ ବାଇକ୍ କିଣୁଥିବା ଗ୍ରାହକମାନଙ୍କୁ ଏହା ପସନ୍ଦ ଆସିଲାନାହିଁ।
ତେବେ ବଜାଜ୍ କମ୍ପାନୀର ଗୋଟିଏ ଇତିହାସ ରହିଛି ଯେ, ସେମାନେ ନିଜର କିଛି ଗାଡ଼ିକୁ ବନ୍ଦ କରିଦିଅନ୍ତି ଏବଂ ପରେ କିଛି ସାମାନ୍ୟ ପରିବର୍ତ୍ତନ କରି କିମ୍ବା ବିନା କୌଣସି ବଦଳରେ ସେଗୁଡ଼ିକୁ ପୁଣି ବଜାରକୁ ଆଣନ୍ତି। Pulsar N125 ସବୁଦିନ ପାଇଁ ବନ୍ଦ ହୋଇଗଲା ନା ଏହାର କୌଣସି ନୂଆ ମଡେଲ୍ ଉପରେ କାମ ଚାଲିଛି, ତାହା କେବଳ ସମୟ ହିଁ କହିବ। ବର୍ତ୍ତମାନ ସମୟରେ ବଜାଜ୍ ୧୨୫ ସିସି ସେଗମେଣ୍ଟରେ ଦୁଇଟି ବାଇକ୍ ବିକ୍ରି କରୁଛି – ଗୋଟିଏ Pulsar 125 ଏବଂ ଅନ୍ୟଟି ଅଧିକ ସ୍ପୋର୍ଟି ଲୁକ୍ ଥିବା NS125। Pulsar 125 ର ପ୍ରାରମ୍ଭିକ ମୂଲ୍ୟ ୮୧,୫୫୬ ଟଙ୍କା ଥିବାବେଳେ, NS125 ର ପ୍ରାରମ୍ଭିକ ମଡେଲ୍ର ଦାମ୍ ୯୪,୧୮୮ ଟଙ୍କା ରହିଛି (ଏହି ଦୁଇଟିଯାକ ଏକ୍ସ-ଶୋ’ରୁମ୍ ମୂଲ୍ୟ)।


