ବୋହୂ ଉପରେ ଗରମ ତେଲ ଢାଳି ଶାଶୁର ହତ୍ୟା ଉଦ୍ୟମ

ମନ୍ଦାର ଗଛର ଡାଳକୁ ନେଇ ମହିଳା ଓ ତାଙ୍କ ଶାଶୂଙ୍କ ମଧ୍ୟରେ ବିବାଦ ହୋଇଥିଲା।

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଜଣେ ଶାଶୂ ନିଜ ବୋହୂଙ୍କ ଉପରେ ଗରମ ତେଲ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଘଟିଥିବା ଏହି ଘଟଣାରେ ବୋହୂ ଗୁରୁତର ଭାବେ ପୋଡ଼ିଯାଇଛନ୍ତି। ଖଇରା ଥାନା ଅଧୀନ ମଠାନୁଆଗାଁରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ମନ୍ଦାର ଗଛର ଡାଳକୁ ନେଇ ମହିଳା ଓ ତାଙ୍କ ଶାଶୂଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ଶୁକ୍ରବାର ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ଅଭିଯୋଗ ଅନୁସାରେ, ଶାଶୂ ବୋହୂଙ୍କ ଉପରେ ଗରମ ତେଲ ଫିଙ୍ଗି ଦେଇଥିଲେ।

ଏଥିରେ ମହିଳାଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ିଯାଇଥିବା ଜଣାପଡ଼ିଛି। ତାଙ୍କୁ ପ୍ରଥମେ ଉଦ୍ଧାର କରି ଖଇରା ହସ୍ପିଟାଲକୁ ନିଆଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପୀଡ଼ିତା ମହିଳା ଅଭିଯୋଗ କରିଛନ୍ତି ଯେ, ବିବାହ ପରଠାରୁ ତାଙ୍କ ଶାଶୂ ତାଙ୍କୁ ନିର୍ଯାତନା ଦେଇଆସୁଥିଲେ। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ।