ଅନ୍ଧାରରେ ବୁଡ଼ିଲା ବାଂଲାଦେଶ! ଭାରତକୁ ମାଗିଲା ସାହାଯ୍ୟ, MEA କହିଲା- ‘ପ୍ରଥମେ ଆମର ଆବଶ୍ୟକତା…’
ଶକ୍ତି ସଙ୍କଟରେ ବ୍ୟାକଫୁଟ୍ରେ ବାଂଲାଦେଶ ସରକାର, ଭାରତ ଆଗରେ ହାତ ପତେଇଲା।
ଓଡିଶାଭାସ୍କର: ବାଂଲାଦେଶରେ ଦେଖାଦେଇଥିବା ଶକ୍ତି ସଙ୍କଟ ଏବଂ ଏଥିପାଇଁ ଭାରତ ନିକଟରୁ ମଗାଯାଇଥିବା ସହାୟତା ସମ୍ପର୍କିତ ରିପୋର୍ଟ ଉପରେ ବିଦେଶ ମନ୍ତ୍ରଣାଳୟ (MEA) ପକ୍ଷରୁ ଜବାବ ଦିଆଯାଇଛି।
ବିଗତ କିଛି ଦିନ ହେବ ବାଂଲାଦେଶ ଗୁରୁତର ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ଏହାକୁ ନେଇ ସେଠାକାର ମନ୍ତ୍ରୀ ଇକବାଲ ହସନ ମହମୁଦ ଭାରତକୁ ଅଧିକ ଡିଜେଲ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି।
ଏହି ଅନୁରୋଧ ଉପରେ MEA ପ୍ରବକ୍ତା ରଣଧୀର ଜୟସୱାଲ କହିଛନ୍ତି ଯେ, ଭାରତ ନିଜର ଆବଶ୍ୟକତାକୁ ଧ୍ୟାନରେ ରଖି ବାଂଲାଦେଶର ଏହି ଅନୁରୋଧ ଉପରେ ବିଚାର କରୁଛି।
ବିଦେଶ ମନ୍ତ୍ରଣାଳୟର ବୟାନ: ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ କହିଛନ୍ତି, “ବାଂଲାଦେଶ ସହିତ ଆମର ଶକ୍ତି କ୍ଷେତ୍ରରେ ସହଯୋଗ ଜାରି ରହିଛି। ଯେଉଁଠାରେ ଅତିରିକ୍ତ ଚାହିଦାର କଥା ଆସୁଛି, ଆମେ ନିଜର ଆବଶ୍ୟକତା, ଆମର ରିଫାଇନିଂ କ୍ଷମତା ଏବଂ ଆମ ପକ୍ଷରେ ଉପଲବ୍ଧତାକୁ ଧ୍ୟାନରେ ରଖି ଏହା ଉପରେ ବିଚାର କରୁଛୁ।”
ଅନ୍ଧାରରେ ବୁଡ଼ିଲା ବାଂଲାଦେଶ: ବାଂଲାଦେଶରେ ଏବେ ଗୁରୁତର ଶକ୍ତି ସଙ୍କଟ ଦେଖାଦେଇଛି। ରାଜଧାନୀ ଢାକାର ଗ୍ରାମାଞ୍ଚଳ ସମେତ ଦେଶର ଅନେକ ସ୍ଥାନରେ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେଉଥିବା ରିପୋର୍ଟ ସାମ୍ନାକୁ ଆସିଛି। ଇନ୍ଧନ ଓ LNG ଅଭାବ ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇଛି।
ସଙ୍କଟ ଏତେ ବଢ଼ିଛି ଯେ ବିଦ୍ୟୁତ୍ ସଞ୍ଚୟ ପାଇଁ ତାରିକ ରହମାନ ସରକାର ଶପିଂ ମଲ୍, ଦୋକାନ ଓ ବଜାରଗୁଡ଼ିକୁ ରାତି ୮ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ବିଜ୍ଞାପନ ବୋର୍ଡ ଓ ଅନ୍ୟାନ୍ୟ ଅତିରିକ୍ତ ବିଦ୍ୟୁତ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି।
ବାଂଲାଦେଶର ଅର୍ଥମନ୍ତ୍ରୀ ଆମିର ଖୁସରୁ ମହମୁଦ ଚୌଧୁରୀ କହିଛନ୍ତି ଯେ, ଦେଶର ଶକ୍ତି ସଙ୍କଟର ସମାଧାନ ପାଇଁ ଅତି କମରେ ଦୁଇ ବର୍ଷ ସମୟ ଲାଗିପାରେ।
ଏକ ନୂଆ ଫ୍ଲୋଟିଂ LNG ଟର୍ମିନାଲ ନିର୍ମାଣ ପାଇଁ ପ୍ରାୟ ଦେଢ଼ରୁ ଦୁଇ ବର୍ଷ ସମୟ ଲାଗିବାରୁ ତୁରନ୍ତ ଏହି ସଙ୍କଟର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।
ବିଦ୍ୟୁତ୍ ଉତ୍ପାଦନ କମିବା ଏବଂ ସରକାରଙ୍କ ଲୋଡ୍ଶେଡିଂ ନିର୍ଦ୍ଦେଶ ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦେଶର ଅନେକ ଜିଲ୍ଲାରେ ବିଦ୍ୟୁତ୍ ବଣ୍ଟନ କମ୍ପାନୀର କାର୍ଯ୍ୟାଳୟଗୁଡ଼ିକ ସୁରକ୍ଷା ପାଇଁ ପୋଲିସ ମୁଖ୍ୟାଳୟ ଏବଂ ଆଇନ ଶୃଙ୍ଖଳା ବାହିନୀର ସହାୟତା ମାଗିଥିବା ମଧ୍ୟ ଜଣାପଡ଼ିଛି।
ଏଭଳି ସ୍ଥିତିରେ ବାଂଲାଦେଶର ଶକ୍ତି ସଙ୍କଟ କେବଳ ଘରୋଇ ଜୀବନକୁ ନୁହେଁ, ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରୁଛି।
ବ୍ୟାକଫୁଟ୍ରେ ବାଂଲାଦେଶ ସରକାର: ବାଂଲାଦେଶର ବିଦ୍ୟୁତ୍, ଶକ୍ତି ଓ ଖଣିଜ ସମ୍ପଦ ମନ୍ତ୍ରୀ ଇକବାଲ ହସନ ମହମୁଦ ସରକାରଙ୍କ ସୀମିତ କ୍ଷମତା ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ଲୋଡ୍ଶେଡିଂକୁ ପରିଚାଳନା କରିବା ବ୍ୟତୀତ ଏବେ ଅନ୍ୟ କୌଣସି ବିକଳ୍ପ ନାହିଁ।
ସେ ଗୁରୁବାର କହିଛନ୍ତି, “ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ଆମେ କାମ କରୁଛୁ। ଏହି ସଙ୍କଟ ସମୟରେ ମୁଁ କିଛି କରିପାରୁନାହିଁ। କାରଣ ଏବେ ମୁଁ ଗ୍ୟାସ୍ ବାହାର କରିପାରିବି ନାହିଁ। ଏବଂ ଫ୍ଲୋଟିଂ ଷ୍ଟୋରେଜ୍ ଆଣ୍ଡ ରିଗ୍ୟାସିଫିକେସନ୍ ୟୁନିଟ୍ (FSRU) ବିନା ମୋ ପାଖରେ ଥିବା ଗ୍ୟାସ୍କୁ ମଧ୍ୟ ବ୍ୟବହାର କରିପାରିବି ନାହିଁ।”


