fbpx

ବ୍ୟାଙ୍କ ମ୍ୟାନେଜରଙ୍କ ମାନସିକ ଚାପ: କର୍ମଚାରୀ କଲେ ଆତ୍ମହତ୍ୟା ଉଦ୍ୟମ, ଜୀବନ-ମରଣ ସହ କରୁଛନ୍ତି ସଂଘର୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ବ୍ୟାଙ୍କ ମ୍ୟାନେଜର ତାଙ୍କ ଉଚ୍ଚ ପଦାଧିକାରୀଙ୍କ ଚାପ ଯୋଗୁଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଗଣେଶ କୁମାର ପାଇକରାୟ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର୍ ଭାବରେ କାମ କରନ୍ତି । ବ୍ୟାଙ୍କ ଅଧ୍ୟକ୍ଷଙ୍କ ମାନସିକ ଚାପ ପାଇଁ ଗଣେଶ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା, ପରେ ପରିବାର ସଦସ୍ୟ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗଣେଶ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଗଣେଶ ଗତ ୨ ବର୍ଷ ଧରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କାର୍ୟ୍ୟ କରୁଛନ୍ତି।

ବ୍ୟାଙ୍କରେ କୌଣସି ମ୍ୟାନେଜର ନ ଥିବାରୁ ତାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ମ୍ୟାନେଜର ପୋଷ୍ଟରେ ନିଯୁକ୍ତ କରିଥିଲେ। ତେବେ ସେ ଏହି କାର୍ୟ୍ୟ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ ଏବଂ ତାହା କରିବାକୁ ମନା କରିଦେଇଥିଲେ। କିନ୍ତୁ ଅଧିକାରୀମାନେ ତାଙ୍କ କଥାକୁ ଅଣଦେଖା କରିଥିଲେ। ନିକଟରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଗଣେଶ ତାଙ୍କ ସମସ୍ୟା ସମ୍ପର୍କରେ କହିଥିଲେ। କିନ୍ତୁ ତାଙ୍କ ବରିଷ୍ଠ ଅଧିକାରୀ ମାନେ କିଛି ନଶୁଣି ତାଙ୍କ କ୍ୟାରିୟର୍ କୁ ନଷ୍ଟ କରିବାକୁ ଧମକ ଦେଇଥିଲେ । ତେଣୁ କର୍ମଚାରୀ ଜଣକ ଏବେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ତେବେ ଗଣେଶଙ୍କ ପରିଜନ ମାନେ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଭଉଣୀ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ଭାଇ ଘରକୁ ଆସି ବେଳେ ବେଳେ କାନ୍ଦୁଥିଲେ । ଏହା ହେଉଛି ବ୍ୟାଙ୍କ ଅଧ୍ୟକ୍ଷଙ୍କ ଦ୍ୱାରା କରାଯାଇଥିବା ହତ୍ୟା, ଆତ୍ମହତ୍ୟା ନୁହେଁ । ଏନେଇ ଗଣେଶଙ୍କ ଭାଇ କହିଛନ୍ତି ଯେ, ବ୍ୟାଙ୍କର ଜେନେରାଲ୍ ମ୍ୟାନେଜର୍ ଓ ଅଧ୍ୟକ୍ଷ କର୍ମଚାରୀ ମାନଙ୍କୁ ଟ୍ରାନ୍ସଫର୍ କରିଦେବା ନେଇ ଭୟ ଦେଖାଉଥିଲେ ଓ ମାନସିକ ଚାପ ଦେଉଥିଲେ ।

Get real time updates directly on you device, subscribe now.