fbpx

ଅନୁଭବ-ବର୍ଷା ବିବାଦ: ଶେଷ ହେଲା କାଉନ୍‌ସେଲିଂ, ୨୭ରେ ମାମଲାର ଶୁଣାଣି

ଭୁବନେଶ୍ୱର ( ଭାସ୍କର ନ୍ୟୁଜ୍‌) : ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ କାଉନ୍‌ସେଲିଂ ଶେଷ ହୋଇଥିବା ବେଳେ ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କାଉନ୍‌ସେଲିଂ ରିପୋର୍ଟ ଆଧାରରେ ମାମଲାର ଅଗ୍ରଗତି ହେବ । କାଉନ୍‌ସେଲିଂ ପ୍ରସଙ୍ଗରେ ମଧ୍ୟସ୍ଥତା କେନ୍ଦ୍ର କାଉନ୍‌ସେଲିଂ ଉପରେ ତାଙ୍କର ଆସ୍ଥା ନଥିବା ବର୍ଷା ଅଭିଯୋଗ କରିଥିଲେ । ଫଳରେ କନ୍‌ସିଲିଏସନ୍‌କୁ ବନ୍ଦ କରିବାକୁ ଅନୁଭବଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଏଥି ସହିତ ବର୍ଷା କୋର୍ଟଙ୍କ ଆଦେଶକୁ ମାନି ନଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଆବେଦନ କରିଛନ୍ତି ।

ସୂଚନାଥାଉକି ବର୍ଷା ଓ ଅନୁଭବଙ୍କ ବୈବାହିକ ଜୀବନକୁ ପୁନଃ ପ୍ରତିଷ୍ଠା ନିମନ୍ତେ କଟକର ପାରିବାରିକ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ବେଳେ ଅନୁଭବଙ୍କ ପକ୍ଷରୁ ବର୍ଷାଙ୍କୁ ଛାଡପତ୍ର ଦେବାକୁ ଆବେଦନ କରିଛନ୍ତି । ବର୍ଷା ଅନୁଭବଙ୍କ ବିରୋଧରେ ମଧ୍ୟ କଟକର ଏକ ଭରଣ ପୋଷଣ ମାମଲା ରୁଜୁ କରିଛନ୍ତି । ଏଥିରେ ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଦର୍ଶାଇଛନ୍ତି । ମହିଳା ହିଂସା ସୁରକ୍ଷା ଆଇନ ୨୦୦୫ ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରାର୍ଥନା କରିଛନ୍ତି । ବର୍ଷା କ୍ଷତି ପୂରଣ ବାବଦକୁ ଅନୁଭବଙ୍କ ନିକଟରୁ ୧୫ କୋଟି, ଘରଭଡା ମାସିକ ୨୦ ହଜାର ଓ ତାଙ୍କର ଚଳିବାକୁ ମାସିକ ୫୦ ହଜାର ଟଙ୍କା ଦାବି କରିଥିବା ବେଳେ ସେ କଟକର ପାରିବାରିକ ଅଦାଲତରେ ସେମାନଙ୍କ ବିବାହର ପୁନଃ ପ୍ରତିଷ୍ଠା ନିମନ୍ତେ ଆବେଦନ କରିଛନ୍ତି । ବର୍ଷାଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ରାମକୃଷ୍ଣ ରଥ ପରିଚାଳନା କରୁଛନ୍ତି । ଅନୁଭବଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଆଲୋକ ମହାପାତ୍ର ପରିଚାଳନା କରୁଛନ୍ତି ।

Get real time updates directly on you device, subscribe now.