fbpx

ସରିଲା ବସୁନ୍ଧରା ଯୁଗ! ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପି ପୋଷ୍ଟରରୁ ହେଲେ ଗାଏବ୍

ଜୟପୁର: ଦେଶରେ କରୋନା ସଂକ୍ରମଣ ଧୀରେଧୀରେ କମି ଆସୁଥିବା ବେଳେ ବିଭିନ୍ନ ରାଜ୍ୟରେ ରାଜନୀତି ସରଗରମ୍ ହେବାରେ ଲାଗିଲାଣି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ବର୍ତ୍ତମାନ ଏଥିରେ ସାମିଲ ହୋଇଛି ରାଜସ୍ଥାନ । ପୂର୍ବରୁ କଂଗ୍ରେସକୁ ନେଇ ରାଜସ୍ଥାନ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ବିଜେପିର ସ୍ୱର ତେଜିଛି । ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପି ପୋଷ୍ଟରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଫଟୋ ହଟାଯାଇଛି । ରାଜସ୍ଥାନ ବିଜେପିରେ ଯେ ଗୋଷ୍ଠୀ କନ୍ଦଳ ରହିଛି, ତାହା ଏଥିରୁ ସହଜରେ ଅନୁମେୟ । ପାର୍ଟିର ମୁଖ୍ୟାଳୟରେ ଲାଗିଥିବା ପୋଷ୍ଟରରେ ବସୁନ୍ଧରା ନାହାନ୍ତି ।

ବସୁନ୍ଧରା ୨୦୦୩ରୁ ୨୦୦୮ ଓ ୨୦୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । ବସୁନ୍ଧରାଙ୍କ ଭଳି ଜଣେ ବରିଷ୍ଠ ନେତ୍ରୀଙ୍କୁ ଅଣଦେଖା କରାଯିବା ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ରାଜ୍ୟ ମୁଖ୍ୟାଳୟରେ ଲାଗିଥିବା ଗୋଟିଏ ହୋର୍ଡିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୁଲାବ ଚନ୍ଦ କଟାରିଆ ଓ ସତୀଶ ପୁନିଆଁଙ୍କ ଫଟୋ ରହିଛି । ଅନ୍ୟ ଏକ ହୋର୍ଡିଂରେ ଦିନଦୟାଲ ଉପାଧ୍ୟାୟ ଓ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋ ରହିଛି । ରାଜସ୍ଥାନ ବିଜେପି ଅଧ୍ୟକ୍ଷ ସତୀଶ ପୁନିଆଁ କହିଛନ୍ତି ଯେ, ହୋର୍ଡିଂରେ କାହାର ଫଟୋ ଲାଗିବ, କାହାର ନ ଲାଗିବ ତାହା ପାର୍ଟିର କମିଟି ନିଷ୍ପତ୍ତି ନେଇଛି । ସମୟ ସ୍ରୋତରେ ଦଳରେ ପରିବର୍ତ୍ତନ ଲାଗି ରହିଥାଏ ବୋଲି ସେ କହିଛନ୍ତି । ତେବେ ରାଜସ୍ଥାନରେ ବସୁନ୍ଧରାଙ୍କ ବିନା ବିଜେପିର ସତ୍ତା ରହିବ ନାହିଁ ବୋଲି ତାଙ୍କର ସମର୍ଥକମାନେ କହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.