fbpx

୨ ହଜାର ପାକିସ୍ତାନୀ ସୈନ୍ୟଙ୍କ ଝାଳ ବାହାର କରିଦେଇଥିଲେ ୧୨୦ ଭାରତୀୟ ଯବାନ; Battle of longewala

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର ପରାକାଷ୍ଠା ସହିତ ୨୦୦୦ ପାକିସ୍ତାନୀ ଯବାନଙ୍କୁ ରୋକିବାରେ ସମର୍ଥ ହୋଇଥିଲେ । ରାଜସ୍ଥାନର ଲଙ୍ଗେୱାଲା ଠାରେ ମାତ୍ର ୧୨୦ ଜଣ ଯବାନଙ୍କୁ ନେଇ ପାକିସ୍ତାନର ୨୦୦୦-୩୦୦୦ ସୈନ୍ୟ ଓ ୪୦ଟି ଟ୍ୟାଙ୍କକୁ ହରାଇବାରେ ସମର୍ଥ ହୋଇଥିଲେ ମେଜର କୁଲଦୀପ ସିଂ ଚାନ୍ଦପୁରୀ ।

ଯୁଦ୍ଧରେ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ସବୁଠାରୁ ବଡ ଶକ୍ତି ବୋଲି କୁହାଯାଇଥାଏ । ତେବେ ଡିସେମ୍ବର ୪, ୧୯୭୧ରେ ଏହାକୁ ଭୁଲ ପ୍ରମାଣିତ କରିଥିଲେ ମେଜର କୁଲଦୀପ । ଯୋଜନା ଏବଂ ଦେଶପ୍ରେମ କିଭଳି ଏକ ବଡ ସେନାକୁ ପରାସ୍ତୁ କରିବାରେ ସକ୍ଷମ ହୋଇଥାଏ ତାହାର ଉଦାହରଣ ସୃଷ୍ଟି କରିଥିଲେ । ରାଜସ୍ଥାନର ଜୈସଲମେର ଠାରେ ଆଲ୍ଫା କମ୍ପାନୀ -୨୩ର ନେତୃତ୍ୱ ନେଉଥାନ୍ତି ଚାନ୍ଦପୁରୀ । ଅପ୍ରତ୍ୟାଶିତ ଭାବରେ ରାତିରେ ଆକ୍ରମଣ କରେ ପାକିସ୍ତାନ । ପ୍ରତିକୂଳ ପାଗ କାରଣରୁ ବାୟୁସେନା ମଧ୍ୟ ସହୟତା ପାଇଁ ନାସ୍ତିବାଚକ ଶୁଣାଏ । ତେବେ ହାର ମାନିବା ପରିବର୍ତ୍ତେ ନିଜ ଯବାନଙ୍କୁ ଉତ୍ସାହିତ କରିଥିଲେ ଚାନ୍ଦପୁରୀ । ବିଭିନ୍ନ ସ୍ଥାନରେ ଯୋଜନାବଦ୍ଧ ଭାବରେ ମାଇନ୍ସ ବିଛାଇବା ସହିତ ପୋଷ୍ଟ ବଞ୍ଚାଇବାକୁ ପ୍ରୟାସ କରିଥିଲେ ଚାନ୍ଦପୁରୀ ।

ମାଇନ୍ସ କାରଣରୁ ପାକ ସେନାର ଅନେକ ଟ୍ୟାଙ୍କ ନଷ୍ଟ ହୋଇଯାଇଥିବା ବେଳେ ସୂର୍ଯ୍ୟୋଦୟ ପରେ ଭାରତୀୟ ବାୟୁସେନା ସହାୟତାରେ ପୋଷ୍ଟ ବଞ୍ଚାଇବା ସହିତ ବିଜୟ ହାସଲ କରିଥିଲା ଭାରତ । ଏହି ଯୁଦ୍ଧ ସମୟରେ ଭାରତର ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ପାକିସ୍ତାନର ୨୦୦ ଯବାନ ପ୍ରାଣ ହରାଇଥିଲେ । ଏହା ସହିତ ପାକିସ୍ତାନର ୩୮ଟି ଟ୍ୟାଙ୍କ ନଷ୍ଟ କରି ଦେଇଥିଲେ ଭାରତୀୟ ଯବାନ । ଯୁଦ୍ଧରେ ଅସାଧାରଣ ପରାକ୍ରମ ପାଇଁ ଚାନ୍ଦପୁରୀଙ୍କୁ ମହାବୀର ଚକ୍ର ଏବଂ ଆଲ୍ଫା କମ୍ପାନୀ ୨୩ର ୧୦ ଜଣ ଯବାନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା । ଏହି ଘଟଣାକୁ ନେଇ ୧୯୯୭ରେ ଜେପି ଦତ୍ତ ବର୍ଡର ଫିଲ୍ମ ନିର୍ମାଣ କରିଥିଲେ । ସନ୍ନି ଦେଓଲ ଚାନ୍ଦପୁରୀଙ୍କ ଚରିତ୍ରରେ ନଜର ଆସିଥିଲେ ।

Get real time updates directly on you device, subscribe now.